୬ଷ୍ଠରୁ ୮ମ ପିଲାଙ୍କ ପାଇଁ କେନ୍ଦ୍ର ଜାରି କଲା ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର

ନୂଆଦିଲ୍ଲୀ : କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଏବର୍ଷ ଦେଶର ଶିକ୍ଷା ବ୍ୟବସ୍ଥା ବିଗିଡ଼ି ଯାଇଛି । ଏପର୍ଯ୍ୟନ୍ତ ପିଲାମାନେ ସ୍କୁଲ କିମ୍ବା କଲେଜ ଯାଇପାରିନାହାନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଆଜି ଉଚ୍ଚ ପ୍ରାଥମିକ ଅର୍ଥାତ ୬ଷ୍ଠ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କ ପାଇଁ ଏକ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି ।

ଆସନ୍ତା ଦୁଇମାସ ପାଇଁ ଏହି ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି । ଏହା ପୂର୍ବରୁ ସେ ଉଚ୍ଚ ପ୍ରାଥମିକ ସ୍କୁଲ ପିଲାଙ୍କ ପାଇଁ ୧ ମାସର ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ଉନ୍ମୋଚନ କରିଥିଲେ ।

 

କରୋନା ସମୟରେ ମୁଖ୍ୟତଃ ଘରେ ରହି ପିଲାମାନେ କିପରି ଶିକ୍ଷାଲାଭ କରିପାରିବେ ତାହା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି । ସ୍ମାର୍ଟଫୋନ, ଟେଲିଭିଜନ,ଏସଏମଏସ,ରେଡିଓ କିମ୍ବା ସୋସିଆଲ ମିଡିଆର ବ୍ୟବହାର କରି ଶିକ୍ଷାଲାଭ କରିବାକୁ ଏଥିରେ ବ୍ୟବସ୍ଥା ଅଛି ।
ମନ୍ତ୍ରୀ କହିଛନ୍ତି ଯେ ଏହି ବିକଳ୍ପ ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକଙ୍କୁ ସଶକ୍ତ କରିବ । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଘରେ ରହି କରୋନା ସହ ଲଢିବା ସହ ନିଜର ଶିକ୍ଷାକୁ ଆଗେଇ ନେଇପାରିବେ ।

ଏହା ପୂର୍ବରୁ ଏନସିଇଆରଟି ପକ୍ଷରୁ ଅନ୍ୟ ଶ୍ରେଣୀଗୁଡ଼ିକ ପାଇଁ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ଜାରି କରାଯାଇଥିଲା । ସପ୍ତାହିକ ଯୋଜନା ଭିତ୍ତିରେ ଏହି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି । ଏହି ଶିକ୍ଷା କ୍ୟାଲେଣ୍ଡର ଡିଟିଏଚ ଚ୍ୟାନେଲଗୁଡ଼ିକ ମାଧ୍ୟମରେ ପ୍ରସାରିତ କରାଯିବ । ଆହୁରି ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିବିଏସଇ, ରାଜ୍ୟ ଶିକ୍ଷା ବୋର୍ଡ, ଏସସିଆରଟି, ନବୋଦୟ ବିଦ୍ୟାଳୟ ସଂଗଠନ ଆଦିଙ୍କ ସହ ଏ ସଂପର୍କରେ ଆଲୋଚନା କରାଯିବ ।

ସମ୍ବନ୍ଧିତ ଖବର