ନୂଆଦିଲ୍ଲୀ: ବିଶ୍ବର ଚର୍ଚ୍ଚିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଟୁଲ୍ ଚାଟ୍ଜିପିଟି ବିକାଶ କରିଥିବା ଆମେରିକୀୟ ସଂସ୍ଥା ଓପନ୍ଏଆଇକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ଛଅ ଦିନ ପୂର୍ବେ କଂପାନିର ଯେଉଁ ବୋର୍ଡ ସଦସ୍ୟମାନେ ସିଇଓ ସାମ ଅଲ୍ଟମ୍ୟାନ୍ଙ୍କୁ ବିଦା କରିଥିଲେ ସେମାନେ ଆଜି କଂପାନିରୁ ତଡ଼ା ଖାଇଛନ୍ତି। ଅଲ୍ଟମ୍ୟାନ ନିଜ ପଦ ଫେରିପାଇବା ପରେ ପ୍ରଥମେ ସେହି କାମ କରିଥିଲେ। ଛଅ ଦିନ ପୂର୍ବେ କଂପାନି ବୋର୍ଡରେ ଯେଉଁମାନେ ସଦସ୍ୟ ଥିଲେ ସେମାନଙ୍କ ମଧ୍ୟରୁ କେବଳ ଜଣେ ସଦସ୍ୟ ବର୍ତ୍ତି ଯାଇଛନ୍ତି। ସେ ହେଉଛନ୍ତି କ୍ୟୁରାର ସିଇଓ ଆଡମ୍ ଡି’ଆଞ୍ଜେଲୋ। କଂପାନିର ନୂଆ ବୋର୍ଡ ସଦସ୍ୟ ଭାବେ ସେଲ୍ସଫୋର୍ସର ପୂର୍ବତନ ସିଇଓ ବ୍ରେଟ୍ ଟେଲର, ଆମେରିକାର ପୂର୍ବତନ ଟ୍ରେଜେରି ସଚିବ ଲାରି ସମର୍ସ ଯୋଗଦେବେ।
ଅଲ୍ଟମ୍ୟାନ କିମ୍ବା ତାଙ୍କ ସହ କଂପାନି ଛାଡ଼ିଥିବା ସହ ପ୍ରତିଷ୍ଠାତା ଗ୍ରେଗ୍ ବ୍ରୋକ୍ମ୍ୟାନ୍ ବୋର୍ଡରେ ସଦସ୍ୟ ହୋଇ ବସିବେ ନାହିଁ। ଏକ ଆଶ୍ଚର୍ଯ୍ୟଜନକ ଘଟଣାକ୍ରମେ ଛଅ ଦିନେ ପୂର୍ବେ ଓପନଏଆଇ ସିଇଓ ପଦରୁ ଅଲ୍ଟମ୍ୟାନଙ୍କୁ ବୋର୍ଡ ବିଦା କରିଥିଲା। ଏହା ପରେ ତାଙ୍କ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବା ପରେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା ତାଙ୍କୁ କଂପାନିର ଏଆଇ ଗବେଷଣା ମୁଖ୍ୟ ଭାବେ କାମ କରିବାକୁ ଆମନ୍ତ୍ରଣ କରିଥିଲେ। ସେହି ଖବର ପ୍ରଚାର ହେବା ପରେ ପୁଣି ଥରେ ଘଟଣାର ମୋଡ଼ ବଦଳିଥିଲା। ଓପନଏଆଇ ଅଲ୍ଟମ୍ୟାନଙ୍କୁ ଫେରିଆସିବାକୁ ଅନୁରୋଧ କରିଥିଲା। ତେବେ କେଉଁ କାରଣ ଲାଗି ଅଲ୍ଟମ୍ୟାନଙ୍କୁ ବିଦା କରାଯାଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।