ଉତ୍ତରପ୍ରଦେଶରେ ପଞ୍ଜୀକୃତ ୬ଟି ଏତଲା ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କଲେ ଅଲ୍ଟ ନ୍ୟୁଜ୍ ସହ ପ୍ରତିଷ୍ଠାତା ଜୁବେର

ନୂଆଦିଲ୍ଲୀ: ଅଲ୍ଟ ନ୍ୟୁଜ୍ ସହ ପ୍ରତିଷ୍ଠାତା ମହମ୍ମଦ ଜୁବେର ଉତ୍ତରପ୍ରଦେଶ ପୁଲିସ ଦ୍ବାରା ପଞ୍ଜୀକୃତ ସମସ୍ତ ୬ଟି ଏଫ୍ଆଇଆର୍ ରଦ୍ଦ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ମହମ୍ମଦ ଜୁବେର କରିଥିବା ବିବାଦୀୟ ଟ୍ୱିଟ୍ ପାଇଁ ଉତ୍ତରପ୍ରଦେଶ ପୁଲିସ ଦ୍ବାରା ଜୁବେରଙ୍କ ବିରୋଧରେ ୬ଟି ଏତଲା ରୁଜୁ ହୋଇଥିଲା। ୟୁପିର ମୁଜାଫରନଗର, ଗାଜିଆବାଦ, ସୀତାପୁର, ଲକ୍ଷ୍ମୀପୁର ଏବଂ ହାଥରାସରେ ତାଙ୍କ ବିରୋଧରେ ୬ଟି ଏଫ୍ଆଇଆର୍ ଦାଖଲ କରାଯାଇଥିଲା।

ଏହା ସହ ତାଙ୍କ ବିରୋଧରେ ବିଚାରାଧୀନ ମାମଲାର ଯାଞ୍ଚ ପାଇଁ ୟୁପି ପୁଲିସ ଦ୍ୱାରା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି)ର ଗଠନକୁ ବିରୋଧ କରି ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି ଜୁବେର। ଇନ୍ସପେକ୍ଟର ଜେନେରାଲ୍ ପୁଲିସ୍ ପ୍ରୀତ ଇନ୍ଦର ସିଂଙ୍କ ନେତୃତ୍ୱରେ ଏହି ଏସଆଇଟି ଗଠନ କରାଯାଇଥିଲା। ଅଲ୍ଟ ନ୍ୟୁଜ୍ ସହ-ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଅନେକ ମାମଲାର ସ୍ୱଚ୍ଛ ତଦନ୍ତ ପାଇଁ ମଙ୍ଗଳବାର ଉତ୍ତରପ୍ରଦେଶ ପୁଲିସ ଏକ ଏସଆଇଟି ଗଠନ କରିଥିଲା। ଜୁବେରଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ଶୀଘ୍ର ତଦନ୍ତ କରି କୋର୍ଟରେ ଚାର୍ଜସିଟ ଦାଖଲ କରିବାକୁ ଏସଆଇଟିକୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୧୮ରେ ଜୁବେର ଟୁଇଟ୍‌ କରିଥିବା ପୋଷ୍ଟଗୁଡ଼ିକରୁ ଗୋଟିକରେ ଧାର୍ମିକ ଭାବାବେଗକୁ ବାଧିବା ଭଳି ବିଷୟବସ୍ତୁ ଥିବାରୁ ଜୁନ୍‌ ୨୭ରେ ଦିଲ୍ଲୀ ପୁଲିସ ମହମ୍ମଦ ଜୁବେରକୁ ଗିରଫ କରିଥିଲା। ସେଦିନ ନିମ୍ନ ଅଦାଲତ ତାଙ୍କୁ ଗୋଟିଏ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଥିଲା। କିଛି ଦିନ ଜେଲରେ ରହିବା ପ‌ରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ। ଜୁବେର୍‌ ବିରୋଧରେ ରହିଥିବା ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୭ ତାରିଖରେ ହେବ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର