ଅଲୱାର୍: ପବ୍ଜୀ ଖେଳ ଜରିଆରେ ପ୍ରେମ କରି ପ୍ରେମିକ ସଚିନଙ୍କ ପାଇଁ ପାକିସ୍ତାନରୁ ଭାରତ ଆସିଥିବା ସୀମାଙ୍କ ପରି ଏବେ ରାଜସ୍ଥାନର ବିବାହିତା ମହିଳା ଅଞ୍ଜୁ ତାଙ୍କ ପ୍ରେମିକଙ୍କୁ ଭେଟିବା ପାଇଁ ପାକିସ୍ତାନରେ ପହଞ୍ଚିଛନ୍ତି। ମହିଳା ଜଣକ ଭାରତ ଛାଡ଼ି ପାକିସ୍ତାନ ଯାଇଥିବା ବେଳେ ତାଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଗୁହାରି କରିଛନ୍ତି ତାଙ୍କ ସ୍ବାମୀ।
ବର୍ତ୍ତମାନ ଏହି କାହାଣୀ ଏକ ନୂଆ ମୋଡ଼ ନେଇଛି। ପ୍ରେମିକ ନାସରୁଲ୍ଲା ଖାନଙ୍କୁ ଭେଟିବା ପାଇଁ ପାକିସ୍ତାନ ଯାଇଥିବା ଅଞ୍ଜୁ ତାଙ୍କ ଝିଅ ସହ୍ ଫୋନ୍ରେ କଥା ହୋଇଛନ୍ତି। ଦୁଇ-ତିନି ଦିନ ମଧ୍ୟରେ ସେ ଫେରିଆସିବେ ବୋଲି ଝିଅକୁ କଥା ଦେଇଛନ୍ତି।
ଅନ୍ୟପକ୍ଷରେ ସ୍ୱାମୀ ଅରବିନ୍ଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ପତ୍ନୀଙ୍କୁ ଫେରାଇବାରେ ସାହାଯ୍ୟ କରିବାକୁ ଗୁହାରି କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପତ୍ନୀ ଅଞ୍ଜୁଙ୍କୁ ପାକିସ୍ତାନରୁ ଫେରାଇ ଆଣିବାରେ ସାହାଯ୍ୟ କରନ୍ତୁ ବୋଲି ଅରବିନ୍ଦ ନିବେଦନ କରିଛନ୍ତି । ତାଙ୍କ ପତ୍ନୀ ଫେରିବା ପରେ ସେ ତାଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।
ବର୍ତ୍ତମାନ ତଦନ୍ତକାରୀ ସଂସ୍ଥା ଅଞ୍ଜୁଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା ଆରମ୍ଭ କରିଛି। ଏହି ଘଟଣାକୁ ନେଇ ଏବେ ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଏବଂ କ୍ରିମିନାଲ୍ ଇନ୍ଭେଷ୍ଟିଗେସନ୍ ଡିପାର୍ଟମେଣ୍ଟ୍ (ସିଆଇଡି) ଦଳ ପରିବାରକୁ ପ୍ରଶ୍ନ କରୁଛନ୍ତି।
ଅଞ୍ଜୁଙ୍କ ସ୍ୱାମୀ ଅରବିନ୍ଦ କହିଛନ୍ତି ଯେ ଗୁରୁବାର ଦିନ ପତ୍ନୀ କୌଣସି ବନ୍ଧୁଙ୍କୁ ଭେଟିବା ପାଇଁ ଜୟପୁର ଯାଉଛନ୍ତି ବୋଲି କହିଥିଲେ। ଅରବିନ୍ଦ ତାଙ୍କୁ କଲ୍ କରିଥିଲେ ବି ସେ ପରେ କଥା ହୋଇ ନଥିଲେ। ଅଞ୍ଜୁ ନିଜ ସୁବିଧା ଦେଖି ସୋସିଆଲ୍ ମିଡିଆ ଜରିଆରେ କଲ୍ କରିଥିଲେ ଓ ଲହୋରରେ ଥିବା କଥା କହିଥିଲେ।
ସ୍ୱାମୀଙ୍କ ଘର ଉତ୍ତରପ୍ରଦେଶର ହୋଇଥିବାବେଳେ ପତ୍ନୀ ଅଞ୍ଜୁଙ୍କ ଘର ମଧ୍ୟପ୍ରଦେଶର ଗ୍ୱାଲିଅରରେ। ପ୍ରେମୀ ନସ୍ରୁଲ୍ଲାହଙ୍କ ସହ ଏବେ ଅଞ୍ଜୁ ପାକିସ୍ତାନର ଖୈବର ପଙ୍ଖତୁନଖ୍ବାରେ ରହିଥିବା ସୂଚନା ରହିଛି।
ସେଠାରେ ମେଡିକାଲ ରିପ୍ରେଜେଣ୍ଟେଟିଭ୍ ଥିବା ନସରୁଲ୍ଲାଙ୍କ ସହିତ ରହିବା ପାଇଁ ଅଞ୍ଜୁ ନିଷ୍ପତ୍ତି ନେଇସାରିଛନ୍ତି। ଅଞ୍ଜୁଙ୍କ ଭିସା ସଂପର୍କରେ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଅଞ୍ଜୁଙ୍କ ପାକିସ୍ତାନ ଯାତ୍ରା ପାଇଁ ମେ ୪ରେ ପାକିସ୍ତାନ ଦ୍ବାରା ଭିସା ଜାରି ହୋଇଥିଲା। ଏହି ଭିସାର ଅବଧି ୯୦ ଦିନ ରହିଛି ଏବଂ ସେ ୱାଘା ବୋର୍ଡର ଦେଇ ପାକିସ୍ତାନରେ ପ୍ରବେଶ କରିଛନ୍ତି।