ଅଲଓ୍ବାର ଶିବ ମନ୍ଦିର ଭଙ୍ଗା ଘଟଣାକୁ ନେଇ ରାଜନୀତି ତେଜିଲା, ସ୍ବତନ୍ତ୍ର କମିଟି ଗଠନ କଲା ବିଜେପି

ଜୟପୁର : ରାଜସ୍ଥାନର ଅଲଓ୍ବାର ଜିଲ୍ଲାରେ ସରାଇ ମହଲ୍ଲାଠାରେ ଥିବା ଏକ ୩୦୦ ବର୍ଷର ଶିବ ମନ୍ଦିର ଭଙ୍ଗା ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଦିଲ୍ଲୀରେ ବେଆଇନ ବସ୍ତି ଭଙ୍ଗା ଘଟଣାକୁ ନେଇ ବିରୋଧୀଙ୍କ ଆକ୍ରମଣର ସମ୍ମୁଖୀନ ହେଉଥିବା ବିଜେପି ହାତରେ ଏକ ବଡ଼ ପ୍ରସଙ୍ଗ ଲାଗିଯାଇଛି ।

ଏହି ଘଟଣାର ତଦନ୍ତ ପାଇଁ ବିଜେପି ପକ୍ଷରୁ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରାଯାଇଛି । ସିକାରର ସାଂସଦ ସ୍ବାମୀ ସୁମେଧାନନ୍ଦଙ୍କ ନେତୃତ୍ବରେ ଏହି କମିଟି ଗଠନ କରାଯାଇଛି । ଏହି ଦଳ ଆସନ୍ତା ୩ ଦିନରେ ରାଜଗଡ଼ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିବେ ।

ଏହି ମନ୍ଦିର ଭଙ୍ଗାଯାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ବିଜେପି ନେତା ଅମିତ ମାଲବ୍ୟ ଲେଖିଛନ୍ତି ଯେ, ଜାହାଙ୍ଗୀରପୁରୀ ଓ କରୌଲି ରେ ବସ୍ତିଭଙ୍ଗାକୁ ନେଇ ଲୁହ ଗଡ଼ାଉଥିବା କଂଗ୍ରେସ ହିନ୍ଦୁମାନଙ୍କୁ ଆଘାତ ଦେଉଛି-ଏହା କଂଗ୍ରେସର ଧର୍ମନିରପେକ୍ଷତା ।

ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ବିଜେରି ଅଯଥା ରାଜନୀତି କରୁଛି ବୋଲି କଂଗ୍ରେସ କହିଛି । ଏହି ମନ୍ଦିରଟି ଏକ ବେଆଇନ ସ୍ଥାନରେ ନିର୍ମାଣ ହୋଇଥିଲା ଓ ଏହା ସହରର ବିକାଶ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲା । ରାଜସ୍ଥାନ ସରକାରରେ ମନ୍ତ୍ରୀ ଥିବା ମହେଶ ଜୋଷୀ କହିଛନ୍ତି ଯେ ବିଜେପିର ସଦସ୍ୟମାନଙ୍କଠାରୁ ସେ ଅଧିକ ଧର୍ମପରାୟଣ ।

 

ସମ୍ବନ୍ଧିତ ଖବର