ମୁମ୍ବାଇ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଦେଶରେ ମୁସଲମାନମାନଙ୍କ ପ୍ରତି ହେଉଥିବା ଅସଦାଚରଣ ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି।
‘ଆମେ ଆପଣଙ୍କ ସହିତ ଅଛୁ। ଆମ ଦେଶକୁ କଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଏକ କରି ରଖିବାକୁ ପଡିବ... ମୁଁ ଜଣେ ମୁସଲମାନ, କିନ୍ତୁ ଜଣେ ଭାରତୀୟ ମୁସଲମାନ। ମୁଁ ଚାଇନାର ମୁସଲମାନ ନୁହେଁ’ ବୋଲି କହିଛନ୍ତି ଶ୍ରୀ ଅବଦୁଲ୍ଲା। ଉଲ୍ଲେଖଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦୁଇ ଜଣ ବିଜେପି ନେତା- ଜଣେ ସାଂସଦ ଏବଂ ଜଣେ ବିଧାୟକ- ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ସମ୍ପୂର୍ଣ୍ଣ ବହିଷ୍କାର କରିବା ପାଇଁ ଆହ୍ଵାନ କରି ଦେଇଥିବା ଘୃଣ୍ୟ ଭାଷଣର କିଛି ଦିନ ପରେ ଶ୍ରୀ ଅବଦୁଲ୍ଲା ଏପରି ମନ୍ତବ୍ୟ ଦେଇଛନ୍ତି।
‘ସମସ୍ତେ ଭିନ୍ନ ହୋଇପାରନ୍ତି। କିନ୍ତୁ ଆମେ ମିଳିତ ଭାବେ ଏହି ଦେଶ ଗଠନ କରିପାରିବା। ଏହାକୁ ବନ୍ଧୁତା କୁହାଯାଏ। ଧର୍ମ ଲୋକଙ୍କୁ ପରସ୍ପରକୁ ଘୃଣା କରିବାକୁ ଶିଖାଏ ନାହିଁ... ଏହା ହେଉଛି ହିନ୍ଦୁସ୍ତାନ। ଏହା ସମସ୍ତଙ୍କର’, ବୋଲି ଶ୍ରୀ ଅବଦୁଲ୍ଲା କହିଛନ୍ତି।
ଶରଦ ପାୱାରଙ୍କ ନେତୃତ୍ୱରେ ଏନସିପିର ବରିଷ୍ଠ ନେତା ଛଗନ ଭୁଜବଲଙ୍କ ୭୫ ତମ ଜନ୍ମଦିନ ପାଳନ କରିବା ପାଇଁ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏପରି କହିଛନ୍ତି ଶ୍ରୀ ଅବଦୁଲ୍ଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅନ୍ୟ ନେତାମାନଙ୍କ ମଧ୍ୟରେ ଶିବସେନାର ଉଦ୍ଧବ ଠାକରେ, ଗୀତିକାର ଜାଭେଦ ଅଖତର ଏବଂ ଏନସିପି ନେତା ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ।