ନୂଆଦିଲ୍ଲୀ: ମୁଁ ଏନସିପି ସହ ଅଛି ଓ ରହିବି। ଏଭଳି କହି ଏନସିପି ନେତା ଅଜିତ ପାୱାର ମଙ୍ଗଳବାର ଦିନ ବିଜେପି ସହ ହାତ ମିଳାଇବା ଗୁଜବକୁ ଭିତ୍ତିହୀନ ବୋଲି କହିଛନ୍ତି। ଏହା ସହ ସେ ଶରଦ ପାୱାର ନେତୃତ୍ୱାଧୀନ ଦଳର ଏକ ଅଂଶ ହୋଇ ରହିବେ ବୋଲି ସ୍ପଷ୍ଟ କରିଛନ୍ତି।
ମହାରାଷ୍ଟ୍ର ବିଧାନସଭା ବାହାରେ ସାମ୍ବାଦିକମାନଙ୍କୁ ଅଜିତ ପାୱାର କହିଛନ୍ତି ଯେ, "ମୁଁ ଏନସିପି ସହିତ ଅଛି। ମୁଁ ଏନସିପି ସହିତ ରହିବି। ଏନସିପି ଯାହା ନିଷ୍ପତ୍ତି ନେବ, ମୁଁ ସମର୍ଥନ କରିବି। ମୋତେ ନେଇ ମୋ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବାର ପ୍ରୟାସ କରାଯାଉଛି। ହେଲେ ବିଜେପିରେ ମିଶିବା ନେଇ ହେଉଥିବା ଚର୍ଚ୍ଚାରେ ଗୋଟିଏ ପ୍ରତିଶତ ବି ସତ୍ୟତା ନାହିଁ।"
ଅଜିତ ପାୱାର ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ କୌଣସି ବିଧାୟକଙ୍କ ଦସ୍ତଖତ ନେଇ ନାହାଁନ୍ତି ଏବଂ ବିଜେପି ସହ ମେଣ୍ଟ କରିବାକୁ କୌଣସି ଆଲୋଚନା କରାଯାଇ ନାହିଁ। ବିଜେପିକୁ ଟାର୍ଗେଟ କରି ଅଜିତ ପାୱାର କହିଛନ୍ତି, "ବିଜେପି ବେରୋଜଗାର ଭଳି ବାସ୍ତବ ପ୍ରସଙ୍ଗରୁ ଦୂରେଇ ଯାଉଛି। ଅନେକ ପ୍ରସଙ୍ଗ ରହିଛି ଯାହା ବିଜେପି ଦ୍ବାରା ସମାଧାନ କରାଯାଉ ନାହିଁ। ଲୋକଙ୍କ ସମସ୍ୟାର ସମାଧାନ ହେଉନାହିଁ, କୃଷକଙ୍କ ସମସ୍ୟାର ସମାଧାନ କରାଯାଉ ନାହିଁ। କାର୍ଯ୍ୟ କ୍ଷେତ୍ରରେ ସେମାନେ ସମ୍ପୂର୍ଣ୍ଣ ଅବହେଳା କରୁଛନ୍ତି। ମୁଖ୍ୟ କାମ ଛାଡି ସେମାନେ ଏନସିପିକୁ ନେଇ ମିଥ୍ୟା ପ୍ରଚାର କରୁଛନ୍ତି।"