ନୂଆଦିଲ୍ଲୀ : ଗୁରୁବାର ଦିନ ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଗ୍ରାମୀଣ ଓଡ଼ିଶାରେ ଡିଜିଟାଲ ଭିତ୍ତିଭୂମି ଓ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବିକରିଛନ୍ତି। ଟିଆର୍ଏଆଇ ରିପୋର୍ଟକୁ ଆଧାର କରି ଅମର କହିଲେ ଯେ ଓଡ଼ିଶାରେ ସାମଗ୍ରିକ ଟେଲି ସାନ୍ଧ୍ରତା ୭୫.୨୩ ପ୍ରତିଶତ। ଅନ୍ୟପକ୍ଷରେ ପୂର୍ବୋତ୍ତର ଭାରତରେ ୭୭ .୯୮ ପ୍ରତିଶତ ଓ ଜମ୍ମୁ-କାଶ୍ମୀରରେ ଏହା ୮୮.୧୮ ପ୍ରତିଶତ ରହିଥିବା ବେଳେ ଜାତୀୟ ହାରାହାରି ସାନ୍ଧ୍ରତା ରହିଛି ୮୫.୧୧ ପ୍ରତିଶତ।
ଓଡ଼ିଶାର ଗ୍ରାମୀଣ ଇଲାକାରେ ଟେଲି ସାନ୍ଧ୍ରତା ୬୨.୭୩ ପ୍ରତିଶତ ଓ ଇଣ୍ଟରନେଟ ସାନ୍ଧ୍ରତା ୩୪.୫୧ ପ୍ରତିଶତ ରହିଛି। ରାଜ୍ୟର ଗ୍ରାମୀଣ ଜନତା ଡିଜିଟାଲ ଡିଭାଇସ୍ର ଫାଇଦା ପାଇପାରୁନାହାନ୍ତି। କେବିକେ ଜିଲ୍ଲାର ସାତଟି ଆକାଂକ୍ଷୀ ଜିଲ୍ଲାର ଅବସ୍ଥା ସଂପର୍କରେ ସେ ଉଲ୍ଲେଖ କରି କହିଲେ ଯେ ୧୦ ହଜାର ଗାଁ’ରେ ଇଣ୍ଟେରନେଟ୍ ଏବଂ ଟେଲି ଯୋଗାଯୋଗ ନାହିଁ। ୬୨୭୮ ଗାଁ’ରେ ମୋବାଇଲ ଯୋଗାଯୋଗ ନାହିଁ। ଯଦିବା ମୋବାଇଲ ସଂଯୋଗ ରହୁଛି, ତାହା ଅତ୍ୟନ୍ତ ଦୁର୍ବଳ।
ସିଗନାଲ୍ ଦୁର୍ବଳ ରହୁଥିବାରୁ ଘର ଉପରକୁ ନଚେତ ଗଛ ଉପରେ ଚଢ଼ିବାକୁ ପଡୁଛି। ଏଭଳି ଏକ ଅବସ୍ଥାରେ ମୋବାଇଲ ଟାୱାର ସ୍ଥାପନ ଯୋଜନା କରାଯାଇଥିଲା। ମାଓ ଉପଦ୍ରୁତ ଅଂଚଳରେ ଦ୍ବିତୀୟ ପର୍ଯ୍ୟାୟରେ ରିଲାଏନ୍ସ-ଜିଓ ଦ୍ବାରା ୪୮୩ , ଆକାଂକ୍ଷୀ ଜିଲ୍ଲା ପ୍ରକଳ୍ପରେ ୨୩୭୯, ୪- ଜି ସାଚୁରେସନ ପ୍ରକଳ୍ପରେ ୧୫୭୨ ଟାୱାର ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ଥିଲା। ତେବେ କେବେ ଏହାର କ୍ରିୟାନ୍ବୟନ କରାଯିବ ସେ ନେଇ କୌଣସି ସମୟସୀମା ଧାର୍ଯ୍ୟ କରାଯାଇନାହିଁ। ଭାରତନେଟ ପ୍ରକଳ୍ପ ଦ୍ବିତୀୟ ପର୍ଯ୍ୟାୟ ପାଇଁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ନିକଟରେ ୩୨୭ କୋଟି ଟଙ୍କାର ସ୍ବତନ୍ତ୍ର ସହାୟତା ଦାବି କରିଥିଲେ। ଦାବି ଅର୍ଥ ରାଶି ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନାହିଁ। ଅନ୍ୟ ପକ୍ଷରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷର ବଜେଟ ହ୍ରାସପାଇଛି। ଏଭଳି ସ୍ଥିତିରେ ପ୍ରକଳ୍ପଗୁଡ଼ିକୁ କିଭଳି ତ୍ବରାନ୍ବିତ କରାଯାଇପାରିବ ଚିନ୍ତାର ବିଷୟ ବୋଲି ଅମର କହିଥିଲେ। ବିଶେଷକରି ଗ୍ରାମୀଣ ଓଡ଼ିଶାରେ ଡିଜିଟାଲ ଭିତ୍ତିଭୂମି ସୁଦୃଢ଼ କରିବାକୁ ସେ ଦାବି କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Amar_Patnaik.jpg)