ରାଜ୍ୟସଭାରେ ୬ଟି ଭାଷା‌ରେ ବକ୍ତବ୍ୟ ରଖିଲେ ଅମର

ନୂଆଦିଲ୍ଲୀ : ଅତୀତରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସଂସଦରେ ଏକାଧିକ ଭାଷାରେ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏପରିକି ସେ ସଂସଦରେ ସଂସ୍କୃତ ଭାଷାରେ ମଧ୍ୟ ଭାଷଣ ଦେଇ ଦେଶବାସୀଙ୍କ ନଜରକୁ ଆସିଥିଲେ। କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ଭଳି ସଂସଦରେ ଆଜି ଓଡ଼ିଆ ଏମପି ଅମର ପଟ୍ଟନାୟକ ଏକାଧିକ ଭାଷାରେ ନିଜର ବ୍ୟକ୍ତବ୍ୟ ରଖି ଚର୍ଚ୍ଚା ପରିସରକୁ ଆସିଛନ୍ତି। ରାଜ୍ୟ‌ସଭାରେ ବିଜେଡି ସାଂସଦ ଶ୍ରୀ ପଟ୍ଟନାୟକ ୬ଟି ଭାଷାରେ ବକ୍ତବ୍ୟ ରଖିଛନ୍ତି। ବଜେଟ୍ ଆଲୋଚନାରେ ଭାଗ ନେବାବେଳେ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିଭିନ୍ନ ପ୍ରସ୍ତାବ ଉପରେ ମତ ରଖିଥିଲେ। ସେ ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ସଂସ୍କୃତ, ଗୁଜରାଟୀ ଏବଂ ତାମିଲ ଭାଷା ବ୍ୟବହାର କରିଥିଲେ। ସରକାରଙ୍କ ପକ୍ଷରୁ ବଜେଟରେ ନିଆଯାଇଥିବା କେତେକ ପ୍ରସ୍ତାବକୁ ସେ ସ୍ବାଗତ କରିବା ସହିତ ରାଜ୍ୟକୁ କେନ୍ଦ୍ରୀୟ ଟିକସରୁ ଅଧିକ ପାଣ୍ଠି ଦେବା ପାଇଁ ଦୃଢ଼ ଦାବି କରିଥିଲେ। ଏହି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଗୃହରେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ଠାରୁ ଓଡ଼ିଶାକୁ ଅଧିକ ପାଣ୍ଠି ଦେବା ପାଇଁ ଶ୍ରୀ ପଟ୍ଟନାୟକ ତାମିଲ ଭାଷାରେ ଦାବି କରିବା ସମୟରେ ଅର୍ଥମନ୍ତ୍ରୀ ସୀତାରମଣ ହସୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର