ଅମର ସିଂହଙ୍କ ପରଲୋକ, ରାଜନୀତିରେ ବନ୍ଧୁତା ପାଇଁ ଚର୍ଚ୍ଚାରେ ରହୁଥିଲେ

ନୂଆଦିଲ୍ଲୀ: ପୂର୍ବତନ ସମାଜବାଦୀ ପାର୍ଟି ନେତା ଅମର ସିଂହଙ୍କର ଆଜି ପରଲୋକ ଘଟିଛି। ୬୪ ବର୍ଷୀୟ ଅମର ସିଂହ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ପ୍ରାୟ ଦେଢ଼ ମାସ ଧରି ସେ ସିଙ୍ଗାପୁରରେ ଚିକିତ୍ସିତ ହେଉଥିବା ବେଳେ ଆଜି ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଅମର ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ ସାର୍ବଜନୀନ ଜୀବନରେ ସେ ବେଶ୍‌ ପ୍ରତିଭାବାନ ଥିଲେ ଏବଂ ଦେଶର ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଘଟଣାକ୍ରମର ଅଂଶବିଶେଷ ଏବଂ ସାକ୍ଷୀ ରହିଥିଲେ। ଭିନ୍ନ ଭିନ୍ନ କ୍ଷେତ୍ରର ବ୍ୟକ୍ତି ବିଶେଷଙ୍କ ସହିତ ବନ୍ଧୁତା ପାଇଁ ମଧ୍ୟ ସିଂହ ଚର୍ଚ୍ଚିତ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଅମର ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଅସୁସ୍ଥତା ସତ୍ତ୍ବେ ସିଂହ ସୋସିଆଲ ମିଡିଆରେ ସକ୍ରିୟ ରହୁଥିଲେ। ଆଜି ସକାଳେ ମଧ୍ୟ ସେ ସ୍ବାଧୀନତା ସଂଗ୍ରାମୀ ବାଲ୍‌ ଗଙ୍ଗାଧର ତିଲକ୍‌ଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଟ୍ବିଟ୍‌ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୨୨ରେ ସେ ହସ୍ପିଟାଲ୍‌ ବେଡ୍‌ରୁ ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ ଏବଂ କରେନା ମହମାାରୀ ବିରୋଧରେ ଲଢ଼େଇ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସହଯୋଗ କରିବାପାଇଁ ତାଙ୍କ ଅନୁଗାମୀମାନଙ୍କୁ ଅନୁରୋଧ କରିଥିଲେ। ମାର୍ଚ୍ଚ ମାସରେ ତାଙ୍କର ମୃତ୍ୟୁକୁ ନେଇ ଗୁଜବ ପ୍ରଚାରିତ ହେବାପରେ ସେ ତୁରନ୍ତ ଏକ ଭିଡିଓ ବାର୍ତ୍ତା ଜାରି କରି ସେ ବଞ୍ଚିଛନ୍ତି ବୋଲି କହିଥିଲେ। ଅମର ସିଂହଙ୍କର ପ୍ରାୟ ୨ ଦଶନ୍ଧି ଧରି ସ୍ବାସ୍ଥ୍ୟ ସମସ୍ୟା ରହିଥିବା ବେଳେ କିଡ୍‌ନି ପ୍ରତିରୋପଣ ପରଠାରୁ ସ୍ବାସ୍ଥ୍ୟରେ ଅବନତି ଦେଖିବାକୁ ମିଳିଥିଲା। ଅମର ସିଂହଙ୍କର ପ୍ରାୟ ୨ ଦଶନ୍ଧି ଧରି ସ୍ବାସ୍ଥ୍ୟ ସମସ୍ୟା ରହିଥିବା ବେଳେ କିଡ୍‌ନି ପ୍ରତିରୋପଣ ପରଠାରୁ ସ୍ବାସ୍ଥ୍ୟରେ ଅବନତି ଦେଖିବାକୁ ମିଳିଥିଲା। ସିଂହ ଏକ ସମୟ‌ରେ ସମାଜବାଦୀ ପାର୍ଟି ମୁଖ୍ୟ ମୁଲା‌ୟମ ସିଂହ ଯାଦବଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ। ସପାରେ ମୁଲାୟମଙ୍କୁ ହଟାଇ ତାଙ୍କ ପୁତ୍ର ଅଖିଳେ ଯାଦବ ଦଳର ସଭାପତି ଦାୟିତ୍ବ ନେବାପରେ ସେ ଏହାର ଜୋର୍‌ଦାର ବିରୋଧ କରିଥିଲେ।

ଉତ୍ତର ପ୍ରଦେଶର ଆଲିଗଡ଼ରେ ଜାନୁଆରି ୨୭, ୧୯୫୬ରେ ଜନ୍ମିତ ଅମର ସିଂହ କୋଲାକାତା ସେଣ୍ଟ ଜାଭିୟର୍ସ କଲେଜ ଏବଂ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରି ହାସଲ କରିଥିଲେ। ୧୯୯୬ରେ ଅମର ସିଂହ ପ୍ରଥମେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଜୁନ୍‌ ୨୦୦୩ରେ ସେ ପୁନଃ ନିର୍ବାଚିତ ହୋଇଥି‌ଲେ। ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ୨୦୧୦ରେ ସମାଜବାଦୀ ପାର୍ଟିରୁ ବହିଷ୍କାର କରାଯାଇଥିଲା। ୨୦୧୪ରେ ସେ ରାଷ୍ଟ୍ରୀୟ ଲୋକଦଳରେ ଯୋଗ ଦେଇଥିଲେ ଏବଂ ୨୦୧୪ରେ ଲୋକସଭା ର୍ନିବାଚନ ଲଢ଼ି ହାରି ଯାଇଥିଲେ। ୨୦୧୬ରେ ଅମର ସିଂହ ଜଣେ ସ୍ବାଧୀନ ପ୍ରାର୍ଥୀ ଭା‌ବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏଥିରେ ତାଙ୍କୁ ବିଜେପିର ସହଯୋଗ ମିଳିଥିଲା।

୨୦୧୧ରେ ବହୁଚର୍ଚ୍ଚିତ ‘ଭୋଟ୍‌ ପାଇଁ ଟଙ୍କା’ ଦୁର୍ନୀତି ମାମଲାରେ ଅମର ସିଂହ ଜେଲ୍‌ ଯା‌ଇଥିଲେ। ୟୁପିଏ-୧ ସରକାରରୁ ବାମଦଳ ସମର୍ଥନ ପ୍ରତ୍ୟାହାର କରିବା ପରେ ସରକାରକୁ ବଞ୍ଚାଇବା ପାଇଁ ଅମର ସିଂହ ୩ ଜଣ ସାଂସଦଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ଅମର ସିଂହ ଦେଶର ମୁଷ୍ଟିମେୟ ଶିଳ୍ପପତି କ୍ଲବ୍‌ର ଜଣେ ସଦସ୍ୟ ଭାବେ ପରିଚିତ ଥିଲେ ଏବଂ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କେରଳ, ଅରୁଣାଚଳ ପ୍ରଦେଶ ଏବଂ ଅନ୍ୟ କେତେକ ରାଜ୍ୟରେ ତାଙ୍କର ବ୍ୟବସାୟିକ ସ୍ବାର୍ଥ ରହିଥିଲା। ୨୦୦୪ରୁ ୨୦୧୪ ମଧ୍ୟରେ ମନମୋହନ ସିଂହ ସରକାରର ୧୦ ବର୍ଷର ଶାସନ କାଳରେ ସେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ ଏକାଠି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ। ୨୦୧୮ରେ ଅମର ସିଂହ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। କିନ୍ତୁ ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ଅମର ସିଂହ ଏକଦା ବିଜେପିର ଘୋର୍‌ ବିରୋଧୀ ଥିବା ବେଳେ ସମୟକ୍ରମେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ବଡ଼ ପ୍ରଶଂସକ ପାଲଟି ଯାଇଥିଲେ ଏବଂ ମୋଦୀ ସରକାରଙ୍କ ସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ସମର୍ଥନ କରୁଥିଲେ।

ଶିଳ୍ପପତି ଅନୀଲ ଅମ୍ବାନି, ସୁବ୍ରତ ରାୟ ଏବଂ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ସହିତ ସିଂହଙ୍କର ଘନିଷ୍ଠ ସଂପର୍କ ରହିଥିଲା। ରାଜନେତା-ଅଭିନେତା-ଶିଳ୍ପପତିଙ୍କ ମଧ୍ୟରେ ସେ ଏକ ଅଭିନବ ସଂପର୍କ ତିଆରି କରିଥିଲେ। ୨୦୧୭ରେ ଅମର ସିଂହ ଦାବି କରିଥିଲେ ଯେ ବୋହୂ ଐଶ୍ବର୍ଯ୍ୟା ରାୟ ବଚ୍ଚଙ୍କ ପାଇଁ ପରିବାରରେ ବଡ଼ ଫାଟ ଦେଖାଦେଇଛି। ଏହାକୁ ନେଇ ବିବାଦ ଉପୁଜିଥିଲା ଏବଂ ବଚ୍ଚନ ପରିବାର ସହ ତାଙ୍କର ସଂପର୍କ ଅଧିକ ତିକ୍ତ ହୋଇଥିଲା। ତେବେ ଚଳିତ ବର୍ଷ ଫେବ୍ରୁଆରିରେ ସେ ତାଙ୍କ ବୟାନ ପାଇଁ ଅନୁତାପ କରିଥିଲେ।

ସମ୍ବନ୍ଧିତ ଖବର