ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି(ଏସ୍ପି)ର ପୂର୍ବତନ ନେତା ତଥା ରାଜ୍ୟସଭା ସାଂସଦ ଅମର ସିଂହ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ କ୍ଷମା ମାଗିଛନ୍ତି। ସେ ନିଜ ଟୁଇଟର ହ୍ୟାଣ୍ଡେଲ୍ରେ ଅମିତାଭ ବଚ୍ଚନଙ୍କ ପରିବାର ପ୍ରତି ନିଜର ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।
Today is my father’s death anniversary & I got a message for the same from @SrBachchan ji. At this stage of life when I am fighting a battle of life & death I regret for my over reaction against Amit ji & family. God bless them all.
— Amar Singh (@AmarSinghTweets) February 18, 2020
ଟୁଇଟ ଜରିଆରେ ଅମର ସିଂହ ଅମିତାଭ ବଚ୍ଚନଙ୍କୁ କ୍ଷମା ପ୍ରାର୍ଥନା କରି ଲେଖିଛନ୍ତି, ‘ମୁଁ ଦେଇଥିବା ଟିପ୍ପଣୀ ପାଇଁ ପଶ୍ଚାତାପ କରୁଛି। ଆଜି ମୋ ବାପାଙ୍କ ପୁଣ୍ୟତିଥି। ଅମିତାଭ ଯେକୌଣସି ଅବସରରେ ଦୂରରେ ଥାଇ ମୋତେ ସୁନ୍ଦର ସୁନ୍ଦର ବାର୍ତ୍ତା ପଠାଇଥାନ୍ତି। ଆଜି ବି ସେ ମୋତେ ବାର୍ତ୍ତା ପଠାଇଛନ୍ତି। ଆଜି ମୁଁ ଜୀବନର ଏଭଳି ଏକ ସ୍ଥାନରେ ଅଛି ଯେଉଁଠାରେ ଜୀବନ ମରଣ ସହ ସଂଘର୍ଷ କରିବାକୁ ପଡ଼ୁଛି। କିଛିଦିନ ତଳେ ଅମିତାଭ ଓ ତାଙ୍କ ପରିବାରକୁ ନେଇ ଦେଇଥିବା ଟିପ୍ପଣୀ ଉପରେ ଦୁଃଖ ପ୍ରକାଶ କରିବା ସହ ପଶ୍ଚାତାପ କରୁଛି। ଭଗବାନ ଅମିତାଭ ଓ ତାଙ୍କ ପରିବାରର ମଙ୍ଗଳ କରନ୍ତୁ ।
ଅମର ସିଂହ ଲେଖିଛନ୍ତି, ‘ମୋର ସହିତ ଏକଦା ଅମିତାଭଙ୍କ ନିବିଡ଼ ସମ୍ପର୍କ ରହିଥିଲା। ହେଲେ ସମୟକ୍ରମେ ସେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା।
ଏହାପରେ ଅମର ବଚ୍ଚନ ପରିବାରଙ୍କ ଉପରେ ଆଙ୍ଗୁଳି ଉଠାଇବା ସହ ସାର୍ବଜନୀନଭାବେ ଟିପ୍ପଣୀ ରଖିଥିଲେ। ଏହାପରେ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଆସିଯାଇଥିଲା। ଏହାକୁ ନେଇ ଅମରଙ୍କୁ ପଶ୍ଚାତାପ ହେବାରୁ ସେ ଅମିତାଭଙ୍କୁ କ୍ଷମା ମାଗିଛନ୍ତି। ଅମର ସିଂହଙ୍କ ଖରାପ ସ୍ୱାସ୍ଥ୍ୟାବସ୍ଥା ଯୋଗୁ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଡନୀ ଜନିତ ସମସ୍ୟା ଥିବାରୁ ସେ ସିଙ୍ଗାପୁରର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବାର ଜଣାପଡ଼ିଛି।