ଅମରାବତୀ ଜମି ଦୁର୍ନୀତି ମାମଲା: ବିଚାରପତିଙ୍କ ହସ୍ତକ୍ଷେପ ବିରୋଧରେ ସୁପ୍ରିମ୍‌ କୋର୍ଟରେ ଅଭିଯୋଗ

ପ୍ରଧାନ ବିଚାରପତିଙ୍କୁ ୭ ପୃଷ୍ଠାର ଅଭିଯୋଗପତ୍ର, ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ

ନୂଆଦିଲ୍ଲୀ: ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ଆନ୍ଧ୍ରପ୍ରଦେଶର ଅନ୍ୟତମ ରାଜଧାନୀ ଅମରାବତୀ ଜମି ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ଶୁଣାଣିକୁ ସୁପ୍ରିମକୋର୍ଟର ଦ୍ବିତୀୟ ବରିଷ୍ଠତମ ବିଚାରପତି ଏନ୍‌ଭି ରମଣା ପ୍ରଭାବିତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଵାଇ ଏସ ଜଗନମୋହନ ରେଡ୍ଡି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ୍‌ ଏ ବୋବଡ଼େଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସଂପୃକ୍ତ ବିଚାରପତିଙ୍କର ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହ ସମ୍ପର୍କ ରହିଥିବା କଥା ଜଗନ ତାଙ୍କ ୮ ପୃଷ୍ଠାର ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବେ ଅମରାବତୀ ଘୋଷିତ ହେବା ପୂର୍ବରୁ ସଂପୃକ୍ତ ବିଚାରପତିଙ୍କ ପରିବାର ସଦସ୍ୟ ଓ ଅନ୍ୟମାନେ ଏହି ଜମି ଦୁର୍ନୀତି ସହ ଜଡ଼ିତ ବୋଲି ସେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୪ ଜୁନ୍‌ରୁ ୨୦୧୯ ମେ ମଧ୍ୟରେ ତତ୍କାଳାନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଅମଳରେ ହୋଇଥିବା ଏହି ଜମି କାରବାରରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ୭୯୭ ଜଣ ସାଧାରଣ ବଣ୍ଟନ ବ୍ୟବସ୍ଥାର ପଡ଼ିକାର୍ଡଧାରୀ ୨,୦୦୦ କୋଟିରୁ ଅଧିକ ଟଙ୍କାର ୭୦୦ ଏକର ଜମି କିଣିଥିବା ତଦନ୍ତରୁ ଜଣାପଡ଼ିଥିଲା। ତେବେ ବଜାର ମୂଲ୍ୟ ୨୦୦ କୋଟି ରହିଥିବା ଜଣାଯାଇଛି। ଅନେକ ଜମିକ୍ରେତାଙ୍କର ମଧ୍ୟ ପ୍ୟାନ୍‌ କାର୍ଡ ନଥିବା ଜଣାଯାଇଛି। ତେବେ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ହେବା ପରେ ପରେ ଜଗନ ଏହି ଜମି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ କରିଥିଲେ। ଏଥିରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ସଂପୃକ୍ତ ଥିବା ବେଳେ ସେବେଠାରୁ ସୁପ୍ରିମକୋର୍ଟର ସଂପୃକ୍ତ ବିଚାରପତି ଏହି ମାମଲାରେ ହସ୍ତକ୍ଷେପ କରି ଆସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି ଅଭିଯୋଗ କରିଛନ୍ତି। ଏହା ସହିତ ବିଭିନ୍ନ ଆଳ କରି ମାମଲାର ଠକେଇ ଓ ଦୁର୍ନୀତି ତଦନ୍ତକୁ ସ୍ଥଗିତ ରଖାଯାଇଛି। ତେବେ ରାଜ୍ୟ ହାଇକୋର୍ଟ ଏହି ମାମଲାରେ ଯେପରି ନିରପେକ୍ଷତା ଅବଲମ୍ବନ କରିବେ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜଗନ ସୁପ୍ରିମକୋର୍ଟର ପ୍ରଧାନବିଚାରପତିଙ୍କୁ ନିବେଦନ କରିଛନ୍ତି। ହାଇକୋର୍ଟ ଶୁଣାଣିକୁ ଉକ୍ତ ସୁପ୍ରିମ୍‌କୋର୍ଟ ବିଚାରପତି ପ୍ରଭାବିତ କରିବାକୁ ପ୍ରୟାସ କରୁଛନ୍ତି ବୋଲି ଜଗନ ତାଙ୍କ ଅଭିଯୋଗରେ ସ୍ପଷ୍ଟ କରିଛନ୍ତି। ସୁପ୍ରିମ୍‌କୋର୍ଟର ଏହି ବରିଷ୍ଠ ବିଚାରପତିଙ୍କ ସହିତ ହାଇକୋର୍ଟର କେତେକ ବିଚାରପତି ହାତ ମିଳାଇ ସରକାର ଭାଙ୍ଗିବାକୁ ଷଡ଼ଯନ୍ତ୍ର ହେଉଥିବା ଅଭିଯୋଗ ମଧ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର