ନୂଆଦିଲ୍ଲୀ: ଟିଡିପି ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏନ୍ଡିଏର ୩ ମେଣ୍ଟ ସହଯୋଗୀ ଟିଡିପି, ଜନସେନା ଏବଂ ବିଜେପିର ସମସ୍ତ ବିଧାୟକ ସର୍ବସମ୍ମତି କ୍ରମେ ନାଇଡ଼ୁଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରିବାପରେ ନାଇଡ଼ୁ ଆଜି ଆନ୍ଧ୍ର ରାଜ୍ୟପାଳ ଏସ୍ ଅବଦୁଲ ନଜିରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ନାଇଡ଼ୁଙ୍କ ଶପଥ ଗ୍ରହଣ ପାଇଁ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆନ୍ଧ୍ରପ୍ରଦେଶ ଗସ୍ତ କରିଛନ୍ତି। ତେବେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଟିଡିପି ମୁଖ୍ୟ ନାଇଡ଼ୁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଅମରାବତୀ ଆନ୍ଧ୍ରପ୍ରଦେଶର ରାଜଧାନୀ ହେବ। ନାଇଡ଼ୁ କହିଛନ୍ତି, ଅମରାବତୀ ଆମର ରାଜଧାନୀ ହେବ।
ଆମେ ପ୍ରତିଶୋଧମୂଳକ ରାଜନୀତି ନକରି ଗଠନମୂଳକ ରାଜନୀତି କରିବୁ। ବିଶାଖାପାଟଣା ରାଜ୍ୟର ବାଣିଜ୍ୟିକ ରାଜଧାନୀ ହେବ। ଆମେ ୩ଟି ରାଜଧାନୀ ପାଇଁ ଚେଷ୍ଟା କରି ଲୋକଙ୍କ ସହ ଖେଳିପାରିବୁନି। ବିଶାଖାପାଟଣା ଆମକୁ ସମ୍ପୂର୍ଣ୍ଣ ଜନାଦେଶ ଦେଇଛି। ଆମେ ରୟଲସୀମାକୁ ବିକାଶ କରି ଏଠାରୁ ମଧ୍ୟ ଅତ୍ୟନ୍ତ ଚମକପ୍ରଦ ଜନାଦେଶ ପାଇପାରିବୁ। ସେହିପରି ପୋଲାଭରମ ପ୍ରକଳ୍ପ ଶେଷ କରିବାପାଇଁ ନାଇଡ଼ୁ ପ୍ରତିଶ୍ରୁତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆନ୍ଧ୍ରରେ ପୂର୍ବତନ ୱାଇଏସଆର କଂଗ୍ରେସ ପାର୍ଟି ସରକାର ୩ଟି ରାଜଧାନୀର ପ୍ରସ୍ତାବ ଆଣିଥିଲେ। ବିଶାଖାପାଟଣାକୁ କାର୍ଯ୍ୟପାଳିକା, ଅମରାବତୀକୁ ବ୍ୟବସ୍ଥାପିକା ଏବଂ କୁର୍ନୁଲକୁ ନ୍ୟାୟପାଳିକା ରାଜଧାନୀ କରାଯିବ ବୋଲି ୱାଇଏସଆରସିପି ସରକାର ଏକ ପ୍ରସ୍ତାବ ଆଣିଥିଲେ। ତେବେ ଅମରାବତୀକୁ ରାଜ୍ୟ ରାଜଧାନୀ କରିବାପାଇଁ ୨୦୨୨ ମାର୍ଚ୍ଚରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ୱାଇଏସଆରସିପି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରିଥିଲେ ଏବଂ ଏହି ମାମଲା ଏବେ ବିଚାରାଧୀନ ରହିଛି। ନିର୍ବାଚନ ପ୍ରଚାର ସମୟରେ ନାଇଡ଼ୁ ଅମରାବତୀର ବିକାଶ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।