ଅମୃତସର: ଆଗକୁ ପଂଜାବ ବିଧାନସଭା ନିର୍ବାଚନ ଥିବାବେଳେ ପଂଜାବର ଅସନ୍ତୁଷ୍ଟ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ କଂଗ୍ରେସ ଗତକାଲି ସନ୍ତୁଷ୍ଟ କରିଛି। ନବଜୋତ ସିଂହ ସିଦ୍ଧୁ ପଂଜାବ କଂଗ୍ରେସର ନୂଆ ସଭାପତି ହୋଇଛନ୍ତି। କୁହାଯାଉଛି ଯେ, ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ କଂଗ୍ରେସର ଏହି ନିଷ୍ପତ୍ତିରେ ଆଦୌ ସନ୍ତୁଷ୍ଟ ନାହାନ୍ତି। କିନ୍ତୁ ସେ ଦଳର ନିଷ୍ପତ୍ତିକୁ ଗ୍ରହଣ କରିନେଇଛନ୍ତି। ତେବେ ଅମରିନ୍ଦର ସିଦ୍ଧୁଙ୍କ ପଦୋନ୍ନତିରେ ଆଦୌ ସନ୍ତୁଷ୍ଟ ନଥିବା ଏକ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ମିଳିଥିବା ସୂଚନାନୁଯାୟୀ ଆସନ୍ତା ୨୧ ତାରିଖରେ ଅମରିନ୍ଦର ପଞ୍ଚକୁଳାରେ ଏକ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି। ଏହି ଅବସରରେ ଅମରିନ୍ଦର ସମସ୍ତ ସାଂସଦ ଏବଂ ବିଧାୟକଙ୍କୁ ନିମନ୍ତ୍ରିତ କରିଛନ୍ତି। କିନ୍ତୁ ସେ ସିଦ୍ଧୁଙ୍କୁ ଏଥିପାଇଁ ନିମନ୍ତ୍ରଣ କରିନାହାନ୍ତି। ଏଥିରୁ ଜଣାପଡ଼ିଛି ଯେ, ପଂଜାବ କଂଗ୍ରେସରେ ଅମରିନ୍ଦର-ସିଦ୍ଧୁ ବିବାଦ ଏଯାଏଁ ତୁଟିନି। ସିଦ୍ଧୁ କଂଗ୍ରେସ ସଭାପତି ହେବା ନିଷ୍ପତ୍ତିକୁ ଅମରିନ୍ଦର ବିରୋଧ କରୁଥିଲେ କିନ୍ତୁ ସେ ଶେଷରେ ଏହାକୁ ସ୍ବୀକାର କରିନେଇଛନ୍ତି। କିନ୍ତୁ ବାସ୍ତବରେ ସେ ସିଦ୍ଧୁଙ୍କୁ ପଂଜାବ କଂଗ୍ରେସ ମୁଖ୍ୟ ଭାବେ ଗ୍ରହଣ କରିପାରୁନାହାନ୍ତି।
ମୋ ଯାତ୍ରା ଆରମ୍ଭ ହେଲା: ସିଦ୍ଧୁ
ଦିଲ୍ଲୀ : ପଂଜାବ କଂଗ୍ରେସର ନୂଆ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ କାନ୍ଧରେ ଗୁରୁ ଦାୟିତ୍ବ। ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଅନିଚ୍ଛା ସତ୍ତ୍ବେ ପାର୍ଟି ହାଇ କମାଣ୍ଡ୍ ପକ୍ଷରୁ ସିଦ୍ଧୁକୁ ହିଁ ପଂଜାବ କଂଗ୍ରେସ ମୁଖ୍ୟ କରାଯାଇଛି। ତେବେ ସିଦ୍ଧୁଙ୍କୁ ଏହି ନୂଆ ପଦବି ମିଳିବାପରେ ସେ ଖୁବ୍ ସନ୍ତୋଷବ୍ୟକ୍ତ କରିଛନ୍ତି ଏବଂ ପଂଜାବରେ କଂଗ୍ରେସର ମିସନ୍ ସଫଳ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ନିଜର ଦୃଢ଼ ଇଚ୍ଛାଶକ୍ତି ଦେଖାଇଛନ୍ତି। ସିଦ୍ଧୁ କହିଛନ୍ତି, ତାଙ୍କ ଯାତ୍ରା ଏବେ ଆରମ୍ଭ ହୋଇଛି। ପଂଜାବ କଂଗ୍ରେସ ପରିବାରର ସମସ୍ତ ସଦସ୍ୟଙ୍କ ସହ ମିଶି ସେ କାମ କରିବେ ଏବଂ ‘ ଜିତେଗାପଂଜାବ’ ମିସନ୍ ସଫଳ କରିବେ। ସିଦ୍ଧୁ ଏଥିପାଇଁ କଂଗ୍ରେସ ନେତୃବୃନ୍ଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁଙ୍କ ସହ ତାଙ୍କ ବାପାଙ୍କର ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଗତକାଲି କ୍ରିକେଟରରୁ ରାଜନେତା ବନିଥିବା ସିଦ୍ଧୁଙ୍କୁ ପିପିସିସି (ପଂଜାବ ପ୍ରଦେଶ କଂଗ୍ରେସ କମିଟି) ମୁଖ୍ୟ କରିଥିଲେ। ୨୦୧୭ରୁ ପଂଜାବ କଂଗ୍ରେସ ମୁଖ୍ୟ ଥିବା ସୁନିଲ ଜାଖରଙ୍କ ସ୍ଥାନରେ ସିଦ୍ଧୁ ଏହି ନୂଆ ଦାୟିତ୍ବ ନେବେ। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସିଦ୍ଧୁଙ୍କୁ କାର୍ଯ୍ୟରେ ସହଯୋଗ କରିବାକୁ କଂଗ୍ରେସ ମଧ୍ୟ ୪ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ନିଯୁକ୍ତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/dg4j64gd564j56dg4j56dg456j4dg56jdggjdgjgjgj.jpg)