ଚଣ୍ଡିଗଡ଼ : ପାକିସ୍ତାନରେ ଥିବା ଶିଖ ଧର୍ମର ପବିତ୍ର ତୀର୍ଥକ୍ଷେତ୍ର କର୍ତ୍ତାରପୁରକୁ ଖୋଲିବା ପାଇଁ ଗତ ୭୦ ବର୍ଷ ଧରି ଦାବି ହୋଇଆସୁଥିଲା । କିନ୍ତୁ ହଠାତ ପାକିସ୍ତାନ ସରକାର ଏଥିରେ ରାଜି ହୋଇ ଏହାକୁ ଖୋଲିଦେବା ସଂଦେହ ସୃଷ୍ଟି କରୁଛି ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ଶିଖମାନଙ୍କର ଧାର୍ମିକ ଭାବନାକୁ ଆଶ୍ରୟ କରି ପାକିସ୍ତାନ ଭାରତ ବିରୋଧରେ ଏକ ଷଡଯନ୍ତ୍ର ଚଳାଇଛି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ପାକିସ୍ତାନ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିବା ସତ୍ତ୍ୱେ ଭାରତ ବିରୋଧରେ କୌଣସି ଦୁଃସାହସ କରିବ ନାହିଁ । କିନ୍ତୁ ପଞ୍ଜାବ ଏକ ସୀମାବର୍ତ୍ତି ରାଜ୍ୟ ହୋଇଥିବାରୁ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ସତର୍କ ରହିଛି ।
ଏହି ଅବସରରେ ସେ ଶୀରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିକୁ ମଧ୍ୟ ସମାଲୋଚନା କରିଛନ୍ତି । ଏହି କମିଟି ଅକାଳିଦଳ କଥାରେ ପଡି ଗୁରୁ ନାନକଙ୍କ ୫୫୦ତମ ଜନ୍ମ ଜୟନ୍ତୀ ସମାରୋହ ପ୍ରକାଶ ପର୍ବ ପାଳନରେ ସହଯୋଗ କରୁନାହିଁ ।
ସୂଚନାଯୋଗ୍ୟ ଯେ ଆସନ୍ତା ୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ତ୍ତାରପୁର କରିଡରର ଭାରତୀୟ ପାର୍ଶ୍ୱର ଉଦଘାଟନ କରିବେ । ଏହା ପୂର୍ବରୁ ଗୁଇନ୍ଦା ସଂସ୍ଥାଗୁଡ଼ିକ ରିପୋର୍ଟ ଦେଇଛନ୍ତି ଯେ ପାକିସ୍ତାନର ପଞ୍ଜାବ ପ୍ରଦେଶ ନରୋବାଲ ଅଞ୍ଚଳରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ପକ୍ଷରୁ ଆତଙ୍କବାଦୀ ଶିବିର ସ୍ଥାପନ କରାଯାଇଛି ।