ବିଜେପିରେ ସାମିଲ ହେବେ ଅମରିନ୍ଦର! ଶାହଙ୍କ ସହିତ ଘଣ୍ଟାଏ ଆଲୋଚନା

ନୂଆଦିଲ୍ଲୀ: ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅମରିନ୍ଦର ସିଂହ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି। ଅମରିନ୍ଦର ବିଜେପିରେ ଯୋଗ ଦେବାନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ଆଜି ସେ ଶାହଙ୍କୁ ଭେଟିବା ପରେ ଏହାକୁ ନେଇ ସରଗରମ ଚର୍ଚ୍ଚା ଚାଲିଛି। ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୧ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଗତକାଲିଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ଅମରିନ୍ଦର ବିଜେପିରେ ଯୋଗ ଦେବା ପ୍ରସଙ୍ଗରେ କିଛି କହିନାହାନ୍ତି। ତେବେ ଚଳିତ ମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସମୟରେ ସେ କହିଥିଲେ ଯେ, ତାଙ୍କ ପାଇଁ ରାଜନୀତିରେ ସୁଯୋଗ ଖୋଲା ଅଛି। ଶାହଙ୍କୁ ଆଜି ଭେଟିବା ପରେ ଅମରିନ୍ଦର କହିଛନ୍ତି ଏହା ଏକ ସୌଜନ୍ୟତାମୂଳକ ସାକ୍ଷାତ ଥିଲା ଏବଂ ସେମାନେ ନୂଆ କୃଷି ଆଇନ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଅମରିନ୍ଦର ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି କୁହାଯାଉଛି। କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ ଜି-୨୩ ନେତାଙ୍କୁ ମଧ୍ୟ ସେ ଭେଟିବା କାର୍ଯ୍ୟକ୍ରମ ରହିଛି। ଅମରିନ୍ଦରଙ୍କ କଡ଼ା ଆଭିମୁଖ୍ୟ ପଛରେ କିଛି ଜି-୨୩ ନେତାଙ୍କ ସମର୍ଥନ ଥିବା କୁହାଯାଉଛି।

ପଂଜାବ କଂଗ୍ରେସ ସଭାପତି ପଦରୁ ନବଜୋତ ସିଂହ ସିଦ୍ଧୁଙ୍କ ଇସ୍ତଫା ଦଳର ସଙ୍କଟକୁ ବଢ଼ାଇ ଦେଇଥିବା ବେଳେ ଆଜି ଅଚାନକ କ୍ୟାପ୍‌ଟେନ ଶାହଙ୍କୁ ଭେଟିବା କଂଗ୍ରେସ ପାଇଁ ଆଉ ଏକ ଝଟ୍‌କା ହୋଇଛି। ସିଦ୍ଧୁ କଂଗ୍ରେସରେ ଆଗକୁ ବଡ଼ ବିପର୍ଯ୍ୟୟ ଘଟାଇବେ ବୋଲି କହୁଥିବା ଅମରିନ୍ଦରଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର