କଂଗ୍ରେସ ଛାଡ଼ିବାକୁ ଅମରିନ୍ଦରଙ୍କ ଘୋଷଣା

ବିଜେପିରେ ବି ସାମିଲ ହେବେ ନାହିଁ, ସିଦ୍ଧୁ ‘ଟିମ୍‌ ପ୍ଲେୟର’ ନୁହଁନ୍ତି, ଜଣେ ଅପରିପକ୍ବ ବ୍ୟକ୍ତି

ନୂଆଦିଲ୍ଲୀ : ପଂଜାବ କଂଗ୍ରେସରେ ଚାଲିଥିବା ବିବାଦ ଥମିବାର ନାମ ନେଉନାହିଁ। ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଅମରିନ୍ଦର କହିଛନ୍ତି, କଂଗ୍ରେସ ଦଳରେ ମୁଁ ବହୁତ ଅପମାନିତ ହୋଇଥିବାରୁ ଦଳରେ ଆଉ ରହିବି ନାହିଁ। ମୁଁ କଂଗ୍ରେସ ଛାଡ଼ିବି କିନ୍ତୁ ବିଜେପିରେ ମଧ୍ୟ ଯୋଗ ଦେଉନାହିଁ ବୋଲି ସେ କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାର ଦିନକ ପରେ ଅମରିନ୍ଦର ଆଜି ବିଜେପିରେ ଯୋଗ ଦେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅବସାନ ଘଟାଇଛନ୍ତି। ଅମରିନ୍ଦର ଗଣମାଧ୍ୟମକୁ କହିଛନ୍ତି, ଦଳରେ ତାଙ୍କୁ ବାରମ୍ବାର ଯୋଜନାବଦ୍ଧ ଭାବେ ଅପମାନିତ କରାଯାଇଛି। ଏପରିକି ବିଧାୟକ ଦଳ ବୈଠକ ଡକାଯିବା ବେଳେ ମଧ୍ୟ ତାଙ୍କୁ ବିଶ୍ବାସଙ୍କୁ ନିଆଯାଇ ନାହିଁ ଏବଂ ଶେଷ ମୁହୂର୍ତ୍ତରେ ଖବର ଦିଆଯାଇଥିଲା। ତେଣୁ ସେ କଂଗ୍ରେସରେ ଆଉ ରହିବା ପ୍ରଶ୍ନ ଉଠୁନାହିଁ ବୋଲି ଅମରିନ୍ଦର ଘୋଷଣା କରିବା ସହ ତାଙ୍କ ଟ୍ବିଟର୍‌ ବାୟୋ ମଧ୍ୟ ବଦଳାଇ ଦେଇଛନ୍ତି। ଟ୍ବିଟରରୁ ସେ କଂଗ୍ରେସ ଦଳର ନାମ ହଟାଇ ଦେଇଛନ୍ତି। ପଂଜାବରେ ଏବେ କଂଗ୍ରେସ ଦଳ ଚରମ ଦୁର୍ଗତି ଆଡ଼କୁ ଗତି କରୁଛି ବୋଲି ଦର୍ଶାଇ ଅମରିନ୍ଦ କହିଛନ୍ତି ଯେ କଂଗ୍ରେସ ଆଦୌ ଦାୟିତ୍ବସଂପନ୍ନ ନଥିବା ନବଜୋତ ସିଂହ ସିଦ୍ଧୁଙ୍କୁ ରାଜ୍ୟରେ ଦଳର ମୁଖ୍ୟ କରି ବସାଇଲା। ତାଙ୍କର ସମସ୍ତ କାର୍ଯ୍ୟକଳାପ ଦଳକୁ ଦିଗହରା କରିଦେଲା ବୋଲି ଅମରିନ୍ଦର କହିଛନ୍ତି। ‘ବିଧାୟକ ଦଳ ବୈଠକ ଡକାଯିବା ପୂର୍ବରୁ ଅଚାନକ ପୂର୍ବାହ୍ନ ୧୦.୩୦ରେ କଂଗ୍ରେସ ସଭାପତି କହିଲେ ଆପଣ ଇସ୍ତଫା ଦିଅନ୍ତୁ। କିନ୍ତୁ ମୁଁ କିଛି ପ୍ରଶ୍ନ ନକରି କହିଥିଲି ଏବେ ହିଁ ଇସ୍ତଫା ଦେଉଛି। ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କ ନିକଟକୁ ଯାଇ ଇସ୍ତଫା ଦେଲି। ୫୦ ବର୍ଷ ଦଳରେ ରହିବା ପରେ ବି ଯଦି ସେମାନଙ୍କର ମୋ ଉପରେ ବିଶ୍ବାସ ନାହିଁ ତେବେ ଦଳରେ ରହିବାର ଅର୍ଥ କ’ଣ ବୋଲି ଅମରିନ୍ଦର କହିଛନ୍ତି।

ମିଳିଥିବା ସୂଚନାନୁଯାୟୀ ,ଅମରିନ୍ଦର ଦଳ ଛାଡ଼ିବା ନେଇ ସୂଚନା ଦେବାପରେ କଂଗ୍ରେସର ବରିଷ୍ଠ ନେତାମାନେ ତାଙ୍କୁ ମନାଇବାକୁ ଚେଷ୍ଟା କରିଛନ୍ତି। ବରିଷ୍ଠ ନେତା କମଳନାଥ, ଅମ୍ବିକା ସୋନି ପ୍ରମୁଖ କ୍ୟାପ୍‌ଟେନଙ୍କୁ ବୁଝାଇବାକୁ ପ୍ରୟାସ କରିଥିବା ଜଣାପଡ଼ିଛି। କିନ୍ତୁ ଅମରିନ୍ଦର କହିଛନ୍ତି, ଯେଉଁ ଦଳରେ ବରିଷ୍ଠ ନେତାମାନଙ୍କ ପ୍ରତି ସମ୍ମାନ ନାହିଁ ସେଠାରେ ବରିଷ୍ଠମାନେ କିଛି କହିପାରିବେ ନାହିଁ ।

ସିଦ୍ଧୁ ଇସ୍ତଫା ‌ଦେବା ପ୍ରସଙ୍ଗରେ ଅମରିନ୍ଦର କହିଛନ୍ତି, ସିଦ୍ଧୁ ଜଣେ ଅପରିପକ୍ବ ବ୍ୟକ୍ତି। ‘ମୁଁ ବାରମ୍ବାର କହୁଛି ‌ଯେ, ସିଦ୍ଧୁ ଆଦୌ ସ୍ଥିର ନୁହନ୍ତି। ସେ କେବଳ କମେଡି ସୋ’ରେ ଅଟ୍ଟହାସ୍ୟ କରିବା ଜାଣନ୍ତି।’ ରାହୁଲଙ୍କ ବିଷୟରେ ଅମରିନ୍ଦର କହିଛନ୍ତି, ରାହୁଲ ଦଳରେ ଯୁବ ପ୍ରତିଭାଙ୍କୁ ଆଣିବାକୁ ଚାହୁଛନ୍ତି କିନ୍ତୁ ସେ ବରିଷ୍ଠ ନେତାମାନଙ୍କର ପରାମର୍ଶ ନେଉନାହାନ୍ତି। କଂଗ୍ରେସ ପଛେଇ ଯାଉଛି। ଜୁଲାଇ ଏବଂ ସେପ୍ଟେମ୍ବର ମଧ୍ୟରେ କଂଗ୍ରେସ ଦ୍ବାରା ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, କଂଗ୍ରେସ ତଳକୁ ଖସିଛି। ଆପ୍‌ ଆଗକୁ ବଢ଼ିଛି। ଲୋକଙ୍କର ସିଦ୍ଧୁଙ୍କ ଉପରେ ବିଶ୍ବାସ ନାହିଁ ବୋଲି ଅମରିନ୍ଦର କହିଛନ୍ତି।

‘ଦେଶର ସୁରକ୍ଷା ନେଇ ଶାହ ଓ ଡୋଭାଲଙ୍କ ସହ ଆଲୋଚନା’
ନୂଆଦିଲ୍ଲୀ : ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ ଅମରିନ୍ଦର ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପଂଜାବ ଏକ ସୀମାନ୍ତ ରାଜ୍ୟ ହୋଇଥିବାରୁ ସେଠାକାର ସୁରକ୍ଷା ବ୍ୟବସ୍ଥା ସର୍ବାଧିକ ସୁଦୃଢ଼ ରହିବା ଆବଶ୍ୟକ ଏବଂ ଏ ବାବଦରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଏନ୍‌ଏସ୍‌ଏ ଅଜିତ ଡୋଭଲଙ୍କ ସହ ଆଲୋଚନା କରିଛନ୍ତି। ପଂଜାବର ସୁରକ୍ଷା ଦୃଷ୍ଟିରୁ ବେପରୁଆ ମାନସିକତାର ଲୋକଙ୍କୁ କ୍ଷମତା ମିଳିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ନବଜୋତ ସିଂହ ସିଦ୍ଧୁ ରାଜ୍ୟରେ ଶାସନ ପରିଚାଳନା ପାଇଁ ଆଦୌ ସଠିକ୍‌ ବ୍ୟକ୍ତି ନୁହନ୍ତି। ଅମରିନ୍ଦର କହିଛନ୍ତି ଯେ ଆଗାମୀ ନିର୍ବାଚନରେ ସେ ସିଦ୍ଧୁଙ୍କ ବିରୋଧରେ ପ୍ରଚାର କରିବେ ତାଙ୍କୁ ପରାଜିତ କରିବାକୁ ଚେଷ୍ଟା କରିବେ। ଅମରିନ୍ଦର କହିଛନ୍ତି, ଅମିତ ଶାହଙ୍କ ସହ କୌଣସି ରାଜନୈତିକ ବିଷୟବସ୍ତୁ ଉପରେ ଆଲୋଚନା ହୋଇନାହିଁ। ପରବର୍ତ୍ତୀ ସମୟରେ ସେ ତାଙ୍କ ଭବିଷ୍ୟତ ଯୋଜନା ସଂକ୍ରାନ୍ତରେ କହିବେ ବୋଲି ଅମରିନ୍ଦର କହିଛନ୍ତି।

ସମ୍ବନ୍ଧିତ ଖବର