ଅମରନାଥ ଯାତ୍ରା: ୬ ରୁ ୮ ଲକ୍ଷ ଯାତ୍ରୀ ସାମିଲ ହେବା ନେଇ ଆକଳନ, ବ୍ୟାପକ ପ୍ରଚାର ଲାଗି ଆଲୋଚନା

ଯାତ୍ରା କାର୍ଯ୍ୟକ୍ରମର ପ୍ରସାରଣ କରାଯିବ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ, ଯାତ୍ରୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ଜାରି ହେବ ଆର୍‌ଏଫ୍‌ଆଇଡି ଟ୍ୟାଗ

ଶ୍ରୀନଗର: ଶ୍ରୀଅମରନାଥଙ୍କ ଯାତ୍ରା ଆସନ୍ତା ୩୦ ଜୁନ, ୨୦୨୨ରେ ଆରମ୍ଭ ହେବ। ଏଥିପାଇଁ ଆଉ ୪୩ ଦିନ ବାକି ଅଛି। ଏହି ଅବଧିରେ ଯାତ୍ରା ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର କରିବା ଲାଗି ଆଜି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ର ଶ୍ରୀନଗର ଠାରେ ଏକ ବୈଠକରେ ଆଲୋଚନା କରିଛନ୍ତି। ବୈଠକରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବଙ୍କ ସମେତ ଜମ୍ମୁ ଓ କାଶ୍ମୀର ସରକାରଙ୍କ ମୁଖ୍ୟ ଶାସନ ସଚିବ ଅରୁଣ କୁମାର ମେହେଟା, ଶ୍ରୀଅମରନାଥଜୀ ତୀର୍ଥ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହ ଅଧିକାରୀ ନୀତିଶ୍ୱର କୁମାର, ଜମ୍ମୁ ଓ କାଶ୍ମୀର ସରକାରଙ୍କ ପ୍ରମୁଖ ସଚିବ ରୋହିତ କାଁସାଲ, କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ଅଧିକାରୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ବିକ୍ରମ ସହାୟ, ଆକାଶବାଣୀର ପ୍ରମୁଖ ମହାନିର୍ଦ୍ଦେଶକ (ନ୍ୟୁଜ) ଏନ୍‌ଭି ରେଡ୍ଡୀ, ଦୂରଦର୍ଶନ ମହାନିର୍ଦ୍ଦେଶକ ମୟଙ୍କ ଅଗ୍ରୱାଲ, ଶ୍ରୀନଗର ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଶ୍ରୀ ଚନ୍ଦ୍ର କହିଲେ ଯେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ଗଣମାଧ୍ୟମ ୟୁନିଟ୍‌ ଜରିଆରେ ଯାତ୍ରା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ଯୋଜନା ପ୍ରସ୍ତୁତ କରାଯିବ। ଏଥି ପାଇଁ ଜମ୍ମୁ ଓ କାଶ୍ମୀର ସରକାରଙ୍କ ସହିତ ସମନ୍ୱୟ ସ୍ଥାପନ କରାଯିବ। ସାରା ଦେଶରେ ଶ୍ରୀଅମରନାଥଙ୍କ ଯାତ୍ରା ସମ୍ପର୍କରେ ପ୍ରଚାର କରାଯିବ। ଚଳିତ ବର୍ଷ ଅମରନାଥ ଯାତ୍ରରେ ଛଅରୁ ଆଠ ଲକ୍ଷ ଯାତ୍ରୀ ଆସିବାର ସମ୍ଭାବନା ରହିଛି ବୋଲି ଶ୍ରୀ ଚନ୍ଦ୍ର କହିଥିଲେ।

ମୁଖ୍ୟ ସଚିବ ଶ୍ରୀ କୁମାର କହିଲେ ଯେ ଚଳିତ ବର୍ଷ ଶ୍ରୀଅମରନାଥଙ୍କ ଯାତ୍ରାରେ ରେକର୍ଡ ସଂଖ୍ୟକ ଯାତ୍ରୀ ଆସିବାର ସମ୍ଭାବନା ରହିଛି। ସେମାନଙ୍କ ପାଇଁ ଉନ୍ନତ ସୁବିଧା ଏବଂ ବାଧାମୁକ୍ତ ଯାତ୍ରା ଅନୁଭୂତି ନିମନ୍ତେ ବ୍ୟବସ୍ଥା କରାଯାଇଛି। ଶ୍ରୀଅମରନାଥଙ୍କ ଯାତ୍ରା ଏଠାକାର ବିବିଧ ସଂସ୍କୃତି ଏବଂ ଯାତ୍ରୀଙ୍କ ସହିତ ସ୍ଥାନୀୟ ଲୋକମାନଙ୍କର ସହଯୋଗର ପ୍ରମୁଖ ଉଦାହରଣ। ଯାତ୍ରାକୁ ସୁବିଧାଜନକ କରିବା ଏବଂ ଯାତ୍ରୀମାନଙ୍କ ଲାଗି ଉନ୍ନତ ପଥପ୍ରାନ୍ତ ସୁବିଧା ଯୋଗାଇ ଦେବାକୁ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷର ତୀର୍ଥଯାତ୍ରାକୁ ସଫଳ କରିବା ଲାଗି ଯଥାସମ୍ଭବ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଯାତ୍ରା ପାଇଁ ପଞ୍ଜୀକରଣ ଠାରୁ ଆରମ୍ଭ କରି ଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁ ପ୍ରକ୍ରିୟାର ବ୍ୟାପକ ପ୍ରଚାରପ୍ରସାର ନିମନ୍ତେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଶ୍ରୀ ସହାୟ ବିଭିନ୍ନ ଗଣମାଧ୍ୟମ ୟୁନିଟଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ଜମ୍ମୁ ଓ କଶ୍ମୀରର ସକାରାତ୍ମକ ପରିବେଶ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି ଯାହାକି ଯାତ୍ରା ସମ୍ପର୍କରେ ରହିଥିବା ସବୁ ସନ୍ଦେହ ଦୂର କରିବ।

ଚଳିତ ବର୍ଷର ଯାତ୍ରା ସମ୍ପର୍କରେ ଅଧିକରୁ ଅଧିକ ସୂଚନା ପ୍ରସାରିତ କରାଯିବା ପାଇଁ ପଦକ୍ଷେପ ନିଆଯିବ। ଯାହାକି ସବୁଦୃଷ୍ଟିରୁ ଯାତ୍ରୀଙ୍କ ପାଇଁ ସହାୟକ ହେବ ବୋଲି ଆକାଶବାଣୀର ପ୍ରମୁଖ ମହାନିର୍ଦ୍ଦେଶକ (ନ୍ୟୁଜ) ଶ୍ରୀ ରେଡ୍ଡୀ, ଦୂରଦର୍ଶନର ମହାନିର୍ଦ୍ଦେଶକ ଶ୍ରୀ ମୟଙ୍କ ଅଗ୍ରୱାଲ ମତବ୍ୟକ୍ତ କରିଥିଲେ। ଯାତ୍ରା ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର କରାଯିବା ନେଇ ଦୁଇ ଗଣମାଧ୍ୟମ ୟୁନିଟ୍‌ ମୁଖ୍ୟ ଏହି ଅବସରରେ ସୂଚନା ଦେଇଥିଲେ। ଶ୍ରୀ ଅମରନାଥ ପୀଠ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ କୁମାର ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଲେ ଯେ ଚଳିତ ବର୍ଷ ଯାତ୍ରାରେ ଦୁଇ ଗୁଣା ଯାତ୍ରୀ ଆସିବାର ସମ୍ଭାବନା ରହିଛି। ଯାତ୍ରାକୁ ସଫଳ କରିବା ଲାଗି ଆମେ ମଧ୍ୟ ଦୁଇଗୁଣା ପ୍ରସ୍ତୁତି କରିଛୁ। ଯାତ୍ରୀଙ୍କ ପାଇଁ ବିଭିନ୍ନ ସମୟରେ ଜାରି ହେଉଥିବା ମାର୍ଗଦର୍ଶିକା ସମ୍ପର୍କରେ ଖବର ପ୍ରସାରଣ କରିବା ଲାଗି ସେ ଗଣମାଧ୍ୟମ ୟୁନିଟ୍‌ ମାନଙ୍କୁ ଅନୁରୋଧ କରିଥିଲେ। ତୀର୍ଥ ଯାତ୍ରୀମାନଙ୍କର ଉପସ୍ଥିତି ବିଷୟରେ ସୂଚନା ସଂଗ୍ରହ କରିବା ଲାଗି ଚଳିତ ବର୍ଷ ରେଡିଓ ଫ୍ରିକୁଏନ୍ସି ଆଇଡେଣ୍ଟିଫିକେସନ (ଆର୍‌ଏଫ୍‌ଆଇଟି) ଟ୍ୟାଗ ବ୍ୟବହାର କରାଯିବ। ଯାତ୍ରାକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଦୂର କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। କାଶ୍ମୀର ଡିଭିଜନାଲ କମିସନର, ଜମ୍ମୁ ଡିଭିଜନାଲ କମିସନର, ଗନ୍ଦେରବାଲ୍‌ର ଡେପୁଟି କମିସନର, ଅନନ୍ତନାଗ ଡେପୁଟି କମିସନର ଏବଂ ସୁରକ୍ଷା ଓ ପ୍ରଶାସନ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର