ଜମ୍ମୁ: ବୁଧବାର ଦିନ ଅଭୂତପୂର୍ବ ନିରାପତ୍ତା ମଧ୍ୟରେ ଜମ୍ମୁର ଭଗବତ ନଗରସ୍ଥିତ ମୂଳ କ୍ୟାମ୍ପ୍‌ରୁ ପ୍ରଥମ ବ୍ୟାଚ୍‌ ଯାତ୍ରୀ ବାର୍ଷିକ ଅମରନାଥ ଯାତ୍ରା ଆରମ୍ଭ କରିଛନ୍ତି।

Advertisment

ଆଜି ଜମ୍ମୁ ଓ କଶ୍ମୀରର ମୁଖ୍ୟ ଶାସନ ସଚିବ ବିଭିଆର୍‌ ସୁବ୍ରମଣିୟାନ୍‌, ରାଜ୍ୟପାଳଙ୍କ ଉପଦେଷ୍ଟା ବିବି ବ୍ୟାସ ଏବଂ ବିଜୟ କୁମାର ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।

ଅମରନାଥର ଯାତ୍ରା ଗୋଟାଏ ତାତ୍ପର୍ଯ୍ୟପୂର୍ଣ୍ଣ ବାର୍ଷିକ ଘଟନା। ସର୍ବସାଧାରଣ, ନିରାପତ୍ତା ଏଜେନ୍‌ସି ଏବଂ ଡେଭେଲପ୍‌ମେଣ୍ଟ୍‌ ଏଜନ୍‌ସିଙ୍କ ସହଯୋଗରେ ଗୋଟିଏ ଯୋଜନା କରାଯାଇ ଯାତ୍ରୀମାନଙ୍କ ଭଲମନ୍ଦ ଏବଂ ସୁରୁଖୁରରେ ଗମନାଗମନର ସୁବିଧା ନିମନ୍ତେ ସାଧ୍ୟମତେ ଉଦ୍ୟମ କରୁଛୁ ବୋଲି ରାଜ୍ୟପାଳଙ୍କ ଉପଦେଷ୍ଟା ବିଜୟ କୁମାର କହିଛନ୍ତି।

ଆଜି ସକାଳେ ଅନେକଗୁଡ଼ିଏ ଗାଡ଼ିରେ ନିରାପତ୍ତା ବଳଙ୍କ ତତ୍ତ୍ୱାବଧାନରେ ଦେଶର ବିଭିନ୍ନ ଅଞ୍ଚଳରୁ ଯାତ୍ରୀମାନେ କଶ୍ମୀରର ଦ୍ୱୈତ ବେସ୍‌ କ୍ୟାମ୍ପ୍‌ ବଲତାଲ୍‌ ଏବଂ ପାହାଲଗାମ୍‌କୁ ଆସୁଛନ୍ତି।

ସେଠାରୁ ସେମାନେ ଗୁରୁବାର ଦିନ ପାଦରେ ଚାଲି ଚାଲି ୩, ୮୮୦ ମିଟର୍‌ ଉଚ୍ଚରେ ଥିବା ଗୁମ୍ଫା ଅଭିମୁଖେ ଯାତ୍ରା ଆରମ୍ଭ କରିବେ।

ଅମରନାଥ ଯାତ୍ରା ନିମନ୍ତେ ହୋଇଥିବା ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିବାକୁ ସିଆର୍‌ପିଏଫ୍‌ର ଆଇଜି ଅଭୟ ବୀର ଚୌହାନ ସେ ଅଞ୍ଚଳରେ ଅବସ୍ଥାପିତ ବରିଷ୍ଠ ଅଧିକାରୀମାନଙ୍କର ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ।