ଆଜିଠୁ ଅମରନାଥ ଯାତ୍ରା

୩ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିବେ

ନୂଆଦିଲ୍ଲୀ: ଗୁରୁବାରଠାରୁ ପ୍ରସିଦ୍ଧ ଅମରନାଥ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ୨ ମାସ ବ୍ୟାପୀ ହେବାକୁ ଥିବା ଏହି ଯାତ୍ରାରେ ଚଳିତ ବର୍ଷ ୧ଲକ୍ଷ ୯୬ ହଜାର ଶ୍ରଦ୍ଧାଳୁ ଅମରନାଥଙ୍କୁ ଦର୍ଶନ କରିବା ପାଇଁ ପଞ୍ଜିକରଣ କରିଛନ୍ତି। ତେବେ ଚଳିତବର୍ଷ ହାରାହାରି ୩ ଲକ୍ଷ ଶ୍ରଦ୍ଧାଳୁ ଏହି ଯାତ୍ରା କରିବେ ବୋଲି ଆଶା କରାଯାଇଛି। ଆଜି ଜମ୍ମୁର ଭାରତୀ ନଗର ଯାତ୍ରୀ ନିବାସରୁ ପ୍ରଥମ ପର୍ଯ୍ୟାୟ ଯାତ୍ରୀ କଶ୍ମୀର ଅଭିମୁଖେ ଗସ୍ତ ଆରମ୍ଭ କରିଛନ୍ତି। ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଶ୍ରଦ୍ଧାଳୁ ଅମରନାଥରେ ପହଞ୍ଚି ପ୍ରଭୁ ଶିବଙ୍କୁ ଦର୍ଶନ କରିବେ। ଜମ୍ମୁ-କଶ୍ମୀର ରାଜ୍ୟପାଳ ଏନ୍‌ଏନ୍‌ ଭୋରାଙ୍କ ନେତୃତ୍ୱରେ ଅମରନାଥ ତୀର୍ଥ ବୋର୍ଡ ପକ୍ଷରୁ ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଦିନକୁ ୭,୫୦୦ ଶ୍ରଦ୍ଧାଳୁ ଅମରନାଥ ପାଇଁ ଯାତ୍ରା କରିପାରିବେ ବୋଲି କୁହାଯାଇଛି। ସେପଟେ, ହେଲିକପ୍ଟର ଯୋଗେ ପାହାଡ ଉପରେ ପହଞ୍ଚୁଥିବା ଶ୍ରଦ୍ଧାଳୁଙ୍କୁ ଏହି ତାଲିକାରେ ସାମିଲ କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଅଗଷ୍ଟ ୨୬ ତାରିଖରେ ହେବାକୁ ଥିବା ଶ୍ରାବଣ ପୂର୍ଣ୍ଣିମାରେ ଏହି ଯାତ୍ରା ଶେଷ ହେବ।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଗାଡ଼ିରେ ଲାଗୁଛି ସ୍ୱତନ୍ତ୍ର ଟ୍ୟାଗ୍‌
୪୦ ହଜାର ଯବାନ, ପାରା ମିଲିଟାରୀ ସେନା, ଜମ୍ମୁ-କଶ୍ମୀର ପୁଲିସ୍‌ ଓ ଏନଡିଆରଏଫ୍‌ ଟିମ୍‌ଙ୍କୁ ଏହି ଯାତ୍ରା ପାଇଁ ନିୟୋଜିତ କରାଯାଇଛି। ଜମ୍ମୁ-କଶ୍ମୀର ଓ ପଞ୍ଜାବ ସୀମାନ୍ତ ଲଖନପୁରରୁ ଅମରନାଥ ପୀଠ ଯାଏଁ ୪ଶହ କିମି ରାସ୍ତାରେ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ବେଳେ ଯାତ୍ରୀଙ୍କ ପାଇଁ ସମସ୍ତ ମୌଳିକ ସୁବିଧାର ବ୍ୟବସ୍ଥା କରାଯାଇଛି। ଏହି ରାସ୍ତାର ସୁରକ୍ଷା ପାଇଁ ସିଆରପିଏଫର ୨୩୮ କମ୍ପାନିଙ୍କୁ ନିୟୋଜିତ କରାଯାଇଛି। ପୁଲିସ ସହ ସମନ୍ଵୟ ପାଇଁ ଯାତ୍ରାରେ ବ୍ୟବହୃତ ସମସ୍ତ ଗାଡିରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିିଫିକେସନ ଟ୍ୟାଗ ଲଗାଯାଇଛି।

ନିଖୋଜ ପୁଲିସ କର୍ମୀ ହିଜ୍‌ବୁଲ୍‌ରେ
ଶ୍ରୀନଗର: ଜମ୍ମୁ କଶ୍ମୀରରେ ଜଣେ ପୁଲିସ କର୍ମୀ ନିଜ ସର୍ଭିସ ରାଇଫଲ୍‌ ସହ ନିଖୋଜ ହୋଇଯାଇଥିବା ବେଳେ ସେ ହିଜ୍‌୍‌ବୁଲ ସଂଗଠନରେ ଯୋଗ ଦେଇଥିବା କେତେକ ସୂତ୍ରରୁ ଜଣାପଡ଼ିଛି। ଦକ୍ଷିଣ କଶ୍ମୀର ପୁଲ୍‌ଓ୍ଵାମା ଜିଲ୍ଲାର ନେହାମ କାକାପୁରା ବାସିନ୍ଦା ଇରଫାନ୍‌ ଅହମଦ୍‌ ଦାର ପାମ୍ପୋର୍‌ ପୁଲିସ ଷ୍ଟେସନ୍‌ରୁ ଗତକାଲି ସନ୍ଧ୍ୟାରୁ ନିଜ ଏକେ-୪୭ ରାଇଫଲ୍‌ ଧରି ବାହାରି ଯାଇଥିଲେ କିନ୍ତୁ ଆଉ ଫେରି ନଥିଲେ। ପୁଲିସ ନିଖୋଜ ପୁଲିସ ଅଧିକାରୀଙ୍କୁ ଖୋଜିବାପାଇଁ ଖୋଳତାଡ଼ ଆରମ୍ଭ କରିଥିବା ବେଳେ ହିଜ୍‌ବୁଲ ମୁଜାହିଦ୍ଦିନ୍‌ ଦାବି କରିଛି ଯେ ନିଖୋଜ ପୁଲିସ କର୍ମୀ ଦାର୍‌ ସେମାନଙ୍କ ସହିତ ସାମିଲ ହୋଇଛନ୍ତି। ହିଜବୁଲ୍‌ ମୁଖପାତ୍ର ବୁରହାନ୍‌ ୟୁ-ଦିନ୍‌ର ଏହି ଦାବି ପରେ ପାମ୍ପୋର ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ସମ୍ବନ୍ଧିତ ଖବର