ଭୂସ୍ଖଳନରେ ୪ ତୀର୍ଥଯାତ୍ରୀଙ୍କ ଜୀବନ ଯିବା ପରେ ଅମରନାଥ ଯାତ୍ରା ସ୍ଥଗିତ

ଉଭୟ ବାଲ୍‌ତାଲ ଓ ପହଲଗମ୍‌ ମାର୍ଗ ବନ୍ଦ

ଶ୍ରୀନଗର: ମଙ୍ଗଳବାର ରାତିରେ ଦକ୍ଷିଣ କଶ୍ମୀରରେ ପ୍ରବଳ ବର୍ଷା ହେବା ଫଳରେ ରାସ୍ତା ଅବସ୍ଥା ଶେଚନୀୟ ହେବାରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଅମରନାଥ ଯିବା ପାଇଁ ରହିଥିବା ଉଭୟ ବାଲ୍‌ତାଲ ମାର୍ଗ ଓ ପହଲଗମ୍‌ ମାର୍ଗରେ ଯାତାୟତ ସ୍ଥଗିତ କରି ଦିଆଯାଇଛି। ପ୍ରବଳ ବର୍ଷା ହେତୁ ଭୂସ୍ଖଳନ ଘଟିବାରୁ ୪ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିବା ପରେ ବୁଧବାର ଏହି ନିଷ୍ପତ୍ତି ନିଆଯାଇଛି। ତୀର୍ଥଯାତ୍ରୀମାନଙ୍କ ମଧ୍ୟରୁ ୨ ଜଣ ମହିଳା ଥିବା ବେଳେ ଅନ୍ୟ ୨ ଜଣ ପୁରୁଷ ରହିଛନ୍ତି। ଚିହ୍ନଟ ହୋଇଥିବା ୩ ମୃତକ ହେଉଛନ୍ତି ବିହାରର ଅଶୋକ ମଥା, ଦିଲ୍ଲୀର ଶୈଳୀନ୍ଦର୍‌(୩୦), ଜ୍ୟୋତି ଶର୍ମା(୩୫)। ସେମାନଙ୍କ ସଂପର୍କରେ ଅଧିକ ସୂଚନା ଏବେ ସୁଦ୍ଧା ହସ୍ତଗତ ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ପ୍ରବଳ ବର୍ଷାପାତ ହେତୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖାଯାଇ ଭୂସ୍ଖଳନ ଘଟଥିବାରୁ ମନ୍ଦିରକୁ ଯିବା ପାଇଁ ଥିବା ବାଲ୍‌ତାଲ ମାର୍ଗରେ ଯାତାୟାତ ସ୍ଥଗିତ କରି ଦିଆଯାଇଥିଲା। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଖଟିଥିବା ହେତୁ ମାର୍ଗଗୁଡ଼ିକ ବିଗିଡ଼ି ଯାଇଥିବାରୁ ବାଧ୍ୟ ହୋଇ ବାଲ୍‌ତାଲ ମାର୍ଗରେ ଯାତାୟାତ ଉପରେ ରୋକ ଲଗାଇବାକୁ ପଡ଼ିଥିଲା। ସେଥିପାଇଁ ଶ୍ରୀ ଅମରନାଥ ସ୍ରାଇନ୍‌ ବୋର୍ଡ(ଏସ୍‌ଏଏସ୍‌ବି) ପକ୍ଷରୁ ଜାଣିବାକୁ ମିଳିଥିଲା ଯେ ଶ୍ରଦ୍ଧାଳୁମାନଙ୍କ ପାଇଁ ପହଲଗମ୍‌ ମାର୍ଗ ଖୋଲା ରହିଛି ବୋଲି। ସେ ସମୟରେ ଯାତ୍ରୀମାନେ ପହଲଗମ୍‌ ମାର୍ଗ ଦେଇ ଯାତାୟାତ କରିଥିଲେ। ଏବେ କିନ୍ତୁ ତୀର୍ଥଯାତ୍ରୀମାନଙ୍କ ପାଇଁ ଉଭୟ ମାର୍ଗ ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର