ନିଜକୁ ଆଫଗାନ ରାଷ୍ଟ୍ରପତି ଘୋଷଣା କଲେ ଅମରୁଲ୍ଲା ସାଲେହ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କାବୁଲ ଦଖଲ କରିବା ପରେ ତାଲିବାନ ସରକାର ଗଢ଼ିବା ପାଇଁ ପ୍ରସ୍ତୁତି କରୁଥିବାବେଳେ ଉପରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ନିଜକୁ ରାଷ୍ଟ୍ରପତି ଘୋଷଣା କରିଛନ୍ତି। ସାଲେହ ଉତ୍ତାଞ୍ଚଳ ମେଣ୍ଟ ଭଳି ଆଫଗାନ ନାଗରିକମାନଙ୍କୁ ତାଲିବାନ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ନିବେଦନ କରିଛନ୍ତି। ଅମରୁଲ୍ଲାହ ସାଲେହ ଟ୍ବିଟ୍‌ କରି କହିଛନ୍ତି, ଆଫଗାନିସ୍ତାନର ସମ୍ବିଧାନ ଅନୁସାରେ ରାଷ୍ଟ୍ରପତିଙ୍କ ଅନୁପସ୍ଥିତି, ପଳାୟନ, ଇସ୍ତଫା କିମ୍ବା ମୃତ୍ୟୁ ହେଲେ ଉପରାଷ୍ଟ୍ରପତି କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ହୋଇଥାନ୍ତି। ସମ୍ପ୍ରତି ମୁଁ ଦେଶ ଭିତରେ ଅଛି ଏବଂ ବିଧି ଅନୁସାରେ ଦେଶର ରାଷ୍ଟ୍ରପତି। ସମସ୍ତ ନେତାମାନଙ୍କ ସମର୍ଥନ ଏବଂ ସହମତି ପାଇଁ ଯୋଗାଯୋଗ କରୁଛି ବୋଲି ସେ ଟ୍ବିଟ୍‌ କରି କହିଛନ୍ତି।

ଅମରୁଲ୍ଲାହ ସାଲେହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଉପରେ କ୍ଷୋଭ ପ୍ରକାଶ କରି କହିଛନ୍ତି, ତାଙ୍କ ସହ ଯୁକ୍ତିତର୍କ କରିବା ବେକାର। ତାଙ୍କ କଥାକୁ ଗୁରୁତ୍ବ ଦେବା ଅନାବଶ୍ୟକ। ଆମକୁ ପ୍ରମାଣିତ କରିବାକୁ ହେବ ଯେ ଆଫଗାନିସ୍ତାନ ଭିଏତନାମ ନୁହେଁ। ତାଲିବାନ ମଧ୍ୟ ଭିଏତନାମୀ କମ୍ୟୁନିଷ୍ଟଙ୍କ ଭଳି ନୁହନ୍ତି। ୟୁଏସ୍‌-ନାଟୋର ବିପରୀତ ଆମେ ଆଶା ହରାଇ ନାହୁଁ। ଆଗକୁ ଆମେ ଅପାର ସମ୍ଭାବନା ଦେଖୁଛୁ। ଚେତାବନୀର ସମୟ ଶେଷ ହୋଇଛି। ଏବେ ପ୍ରତିରୋଧ କରିବା ଅଭିଯାନରେ ସମସ୍ତେ ସାମିଲ ହୁଅନ୍ତୁ ବୋଲି ଅମରୁଲ୍ଲାହ ସାଲେହ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ରବିବାର ଦିନ ସାଲେହ ଟ୍ବିଟ୍ କରି କହିଥିଲେ, କୌଣସି ପରିସ୍ଥିତିରେ ସେ ତାଲିବାନ ଆତଙ୍କବାଦୀଙ୍କ ନିକଟରେ ନତମସ୍ତକ ହେବେ ନାହିଁ। ସେ ନିଜର ନେତା ଅହମଦ ଶାହ ମସୁଦ, କମାଣ୍ଡର, ଲିଜେଣ୍ଡ ଏବଂ ଗାଇଡ୍‌ଙ୍କ ଆତ୍ମା ଓ ବିଶ୍ବାସ ସହିତ ବିଶ୍ବାସଘାତକତା କରିପାରିବେ ନାହିଁ। ତାଙ୍କ କଥା ଶୁଣୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ନିରାଶ କରିବେ ନାହିଁ। ଗୋଟିଏ ଛାତ ତଳେ ତାଲିବାନଙ୍କ ସହ ସେ କେବେବି ରହିପାରିବେ ନାହିଁ ବୋଲି ଅମରୁଲ୍ଲାହ ସାଲେହ ଟ୍ବିଟରରେ ସ୍ପଷ୍ଟ କରିଥିଲେ।

ସୂଚନାଯୋଗ୍ୟ, ତାଲିବାନ ଭୟରେ ଅମରୁଲ୍ଲାହ ସାଲେହ ଆଫଗାନିସ୍ତାନର ପଞ୍ଜଶୀର ଘାଟିରେ ଲୁ ରହିଛନ୍ତି। ଏହି ଅଞ୍ଚଳକୁ ନର୍ଦନ ଆଲିଆନ୍ସର ପୂର୍ବତନ କମାଣ୍ଡର ଅହମଦ ଶାହ ମସୁଦଙ୍କ ଗଡ଼ ବୋଲି କୁହାଯାଏ। ପଞ୍ଜଶୀର ଅଞ୍ଚଳ ଏତେ ବିପଦପୂର୍ଣ୍ଣ ଯେ ଆଜି ପର୍ଯ୍ୟନ୍ତ ତାଲିବାନ ବି ଏହାକୁ କବ୍‌ଜା କରିପାରି ନାହିଁ। ଉତ୍ତର-ମଧ୍ୟ ଆଫଗାନିସ୍ତାନର ଏହି ଘାଟୀକୁ ୧୯୭୦ ଦଶକରେ ସୋଭିଏତ୍‌ ସଂଘ କିମ୍ବା ୧୯୯୦ ଦଶକରେ ତାଲିବାନ କେହି କବ୍‌ଜା କରିପାରି ନଥିଲେ।

ସମ୍ବନ୍ଧିତ ଖବର