ଜମ୍ମୁ: କଡ଼ା ସୁରକ୍ଷା ବଳୟ ଭିତରେ ଆଜିଠାରୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି। ୭୫୦୦ରୁ ଅଧିକ ତୀର୍ଥଯାତ୍ରୀ ଅମରନାଥ ଯାତ୍ରାରେ ବାହାରିଥିବା ବେଳେ ସେମାନେ ହିମାଳୟର ପବିତ୍ର ଗୁମ୍ଫା ସ୍ଥିତ ବାବା ବର୍ଫାନିଙ୍କ ଦର୍ଶନ କରିବେ। ଗତକାଲି କଶ୍ମୀର ଘାଟିରୁ ୨ ହଜାରରୁ ଅଧିକ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରିଥିବା ବେଳେ ଆଜି ଜମ୍ମୁରୁ ୪୪୧୭ ଶ୍ରଦ୍ଧାଳୁ ଯାତ୍ରା ଆରମ୍ଭ କରି ବାଲଟାଲ ଶିବିରରେ ପହଞ୍ଚିଥିଲେ। ସମଗ୍ର ରାସ୍ତାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ଏଥିରେ ପ୍ରାୟ ୬୦ ହଜାର ଯବାନ ନିୟୋଜିତ ଅଛନ୍ତି। ସବୁଠି ସିସିଟିଭି କ୍ୟାମେରା ଲଗାଯିବା ସହ ଯବାନଙ୍କ ହେଲମେଟ୍‌ରେ ମଧ୍ୟ କ୍ୟାମେରା ଲଗାଯାଇଛି। ପ୍ରତ୍ୟେକ ସମ୍ବେଦନଶୀଳ ଅଂଚଳ ଏବଂ ଦୁର୍ଗମ ବୁଲାଣିଗୁଡ଼ିକରେ ସପ୍ତାହକ ପୂର୍ବରୁ ସ୍ଥିତି ଯାଞ୍ଚ କରାଯିବା ସହ ଆତଙ୍କବାଦୀଙ୍କ ଯେ କୌଣସି ଆକ୍ରମଣ ଉଦ୍ୟମକୁ ପଣ୍ଡ କରିବାକୁ ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ତୟାର ଅଛନ୍ତି। ଉତ୍ତର କଶ୍ମୀରର ବାଲଟାଲ ଶିବିରରୁ ୭୫୦୦ ତୀର୍ଥଯାତ୍ରୀ ଆଜି ଏକସଂଗରେ ଯାତ୍ରା କରିଥିବା ବେଳେ ସେମାନେ ପହଲଗାମ ମାର୍ଗ ଦେଇ ଛଡ଼ି ମୁବାରକ୍‌ରେ ପହଞ୍ଚିଛନ୍ତି। ଏହି ୪୫ ଦିନିଆ ବାର୍ଷିକ ଯାତ୍ରା ଅଗଷ୍ଟ ୧୫ ତାରିଖ ଦିନ ସଂପନ୍ନ ହେବ। ଆଜି ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ବାବା ବର୍ଫାନିଙ୍କ ଗର୍ଭଗୃହରେ ପୂଜା କରିବା ସହ ଯାତ୍ରା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ପୁଲୱାମାରେ ଆତ୍ମଘାତୀ ଆକ୍ରମଣ ପରଠାରୁ ଜମ୍ମୁ କଶ୍ମୀରରେ ସୁରକ୍ଷା ରଣନୀତି ବଦଳିଛି। କେନ୍ଦ୍ର ସରକାର ଅମରନାଥ ଯାତ୍ରାର ସୁରକ୍ଷା ବନ୍ଦୋବସ୍ତ ଉପରେ ଅହରହ ନଜର ରଖୁଛନ୍ତି। ସମଗ୍ର ଦେଶରୁ ୧.୫ ଲକ୍ଷ ତୀର୍ଥଯାତ୍ରୀ ଏହି ଯାତ୍ରାରେ ଯିବା ପାଇଁ ପଂଜୀକରଣ କରାଇଛନ୍ତି।