ପାଟନା: ବିହାରର ସରକାରୀ ସ୍କୁଲରେ ସାନିଟାରୀ ନାପକିନ୍ ପାଇଁ ଛାତ୍ରଙ୍କୁ ବଣ୍ଟାଗଲା ଟଙ୍କା। ଏହି ଖବର ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ବିହାରର ସାରଣ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସାନିଟାରୀ ନାପକିନ୍ ପାଇଁ ଆସିଥିବା ଟଙ୍କା ଛାତ୍ରମାନଙ୍କୁ ବଣ୍ଟନ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ସାରଣ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ସିଂ ସୂଚନା ଦେଇଛନ୍ତି ଯେ, ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ୨୦୧୬-୧୭ ମସିହାରେ ଏକ ବିଦ୍ୟାଳୟର ସାତଜଣ ଛାତ୍ରଙ୍କୁ ମଧ୍ୟ ସାନିଟାରୀ ନାପକିନ୍ ପାଇଁ ବର୍ଷକୁ ୧୫୦ଟଙ୍କା ବଣ୍ଟନ କରାଯାଇଥିଲା।
ଅଞ୍ଜୟ କୁମାର ସିଂ କହିଛନ୍ତି ଯେ ମାଞ୍ଝି ବ୍ଲକର ହାଲକୋରୀ ସାହା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏଭଳି କରିଛନ୍ତି। ମାସିକଧର୍ମ ସମୟରେ ସ୍ୱଚ୍ଛତା ନେଇ ସଚେତନତା ସୃଷ୍ଟି କରିବା ପାଇଁ ନୀତୀଶ କୁମାର ସରକାର ସାନିଟାରୀ ନାପକିନ୍ ମାସକୁ ୧୫୦ ଟଙ୍କା ଦେଇଥାନ୍ତି। ହେଲେ ପ୍ରଧାନ ଶିକ୍ଷକ ଛାତ୍ରୀମାନଙ୍କୁ ଟଙ୍କା ନଦେଇ ଛାତ୍ରମାନଙ୍କୁ ଟଙ୍କା ଦେଉଥିବା ସାମ୍ନାକୁ ଆସିଛି। ଏହାର ଯାଞ୍ଚ ପାଇଁ ଦୁଇ ଜଣିଆ କମିଟି ଗଠନ କରାଯାଇଛି। କମିଟିର ଅନୁସନ୍ଧାନକୁ ଭିତ୍ତି କରି ତ୍ରୁଟିପୂର୍ଣ୍ଣ ସରକାରୀ କର୍ମଚାରୀଙ୍କ ବିରୋଧରେ ଉପଯୁକ୍ତ ଶୃଙ୍ଖଳାଗତ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାରି ଦିନ ମଧ୍ୟରେ କମିଟି ଏହାର ରିପୋର୍ଟ ଦାଖଲ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/t-137.jpg)