ଭାରତରେ ପହଞ୍ଚି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଆମାଜନ୍‌ ସିଇଓ ଜେଫ୍‌ ବେଜୋସ୍‌

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ପ୍ରମୁଖ ଇ-କମର୍ସ ସଂସ୍ଥାନ ‘ଆମାଜନ୍‌’ ସିଇଓ ଜେଫ୍‌ ବେଜୋସ୍‌ ମଙ୍ଗଳବାର ଦିନ ରାଜଘାଟରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଟୁଇଟ୍‌ କରି ସେ ତାଙ୍କ ରାଜଘାଟ ପରିଦର୍ଶନର ଏକ ଭିଡିଓ ମଧ୍ୟ ସେୟାର୍‌ କରିଛନ୍ତି।

ଭିଡିଓରେ ଦେଖାଯାଉଛି ବେଜୋସ୍‌ ଧଳା କୁର୍ତ୍ତା ଓ ପାଇଜାମା ଉପରେ କମଳା ରଙ୍ଗର େଓ୍ଵଷ୍ଟ୍‍କୋଟ୍‌ ପିନ୍ଧି ସ୍ମାରକୀ ସ୍ଥଳରେ ଫୁଲର ମାଳା ରଖୁଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି: ଏଇକ୍ଷଣି ଭାରତରେ ପହଞ୍ଚିଲି। ବିଶ୍ୱକୁ ଯିଏ ସତରେ ବଦଳାଇ ଦେଇଥିଲେ ତାଙ୍କୁ ସମ୍ମାନ ଜଣାଇବାରେ ସୁନ୍ଦର ଅପରାହ୍ଣଟିଏ ବିତାଇଲି। ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରି ସେ ଲେଖିଛନ୍ତି: ଏ ଭଳି ବଞ୍ଚ ସତେ ଯେମିତି ଆସନ୍ତାକାଲି ତୁମର ମରଣ ହେବ। ଏମିତି ଶିଖ ସତେ ଅବା ତୁମେ ଚିରକାଳ ବଞ୍ଚି ରହିବ।

ତିନିଦିନିଆ ଭାରତ ଗସ୍ତରେ ଆସି ମଙ୍ଗଳବାର ଦିନ ବେଜୋସ୍‌ ଏଠାରେ ପହଞ୍ଚିଛନ୍ତି। ‘ଏମ୍‌ଏସ୍‌ଏମ୍‌ଇ’ ନିମନ୍ତେ ଆମାଜନ୍‌ ଆୟୋଜନ କରିଥିବା ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଏହା ପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ। ଏଥିସହ ସେ ମୁମ୍ବାଇରେ ଶୀର୍ଷସ୍ତରୀୟ ବ୍ୟବସାୟୀ ଓ ବଲିଉଡ୍‌ର ସେଲିବ୍ରିଟିମାନଙ୍କୁ ଭେଟିବେ ବୋଲି କୁହାଯାଉଛି।

ମାତ୍ରାଧିକ ରିହାତି ଏବଂ କେତେକ ନିର୍ଦ୍ଦିଷ୍ଟ ବିକ୍ରେତାଙ୍କ ସହ ବ୍ୟାବସାୟିକ ରାଜିନାମା ସମେତ ଏକାଧିକ ଅଭିଯୋଗରେ ଆମାଜନ୍‌ ବିରୋଧରେ ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିବା ସମୟରେ ବେଜୋସ୍‌ ଭାରତ ଗସ୍ତରେ ଆସିଛନ୍ତି।

ବେଜୋସ୍‌ଙ୍କ ଭାରତ ଗସ୍ତ ପୂର୍ବରୁ, ଅର୍ଥାତ୍‌ ସୋମବାର ଦିନ ‘କମ୍ପିଟିସନ୍‌ କମିସନ୍‌ ଅଫ୍‌ ଇଣ୍ଡିଆ’ (ସିସିଆଇ) ଉଭୟ ଆମାଜନ୍‌ ଏବଂ ଫ୍ଲିପ୍‌କାଟ୍‌ ବିରୋଧରେ ତଦନ୍ତାଦେଶ ଦେଇଛି।

‘ଦିଲ୍ଲୀ ବ୍ୟାପାର ମହାସଂଘ’ କରିଥିବା ଅଭିଯୋଗ ଯଥାର୍ଥ ବୋଲି ‘ସିସିଆଇ’ ବିବେଚନା କରିଛି। ତେଣୁ ୬୦ ଦିନ ମଧ୍ୟରେ ଏହାର ତଦନ୍ତ କରିବାକୁ ‘ସିସିଆଇ’ ନିଜର ମହାନିର୍ଦେଶକଙ୍କୁ କହିଛି।

ବେଜୋସ୍‌ଙ୍କ ଭାରତ ଗସ୍ତ ସମୟରେ ‘କନ୍‌ଫେଡେରେସନ୍‌ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ଅଧୀନରେ ଦେଶରେ ଥିବା ୩୦୦ ସହରର ବ୍ୟବସାୟୀମାନେ ପ୍ରତିବାଦ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର