ଆମେ ଛଟେଇ କରିନୁ, କର୍ମଚାରୀ ନିଜେ ଚାକିରି ଛାଡ଼ିଦେଇଛନ୍ତି : ଆମାଜନ

ବେଙ୍ଗାଲୁରୁ : ଭାରତରେ କର୍ମଚାରୀଙ୍କୁ ଛଟେଇ କରିଥିବା ଆମାଜନ ଏକ ଅଦ୍ଭୁତ ଯୁକ୍ତି କରିଛି । କମ୍ପାନି ପକ୍ଷରୁ କୁହାଯାଇଛି ଯେ ସେମାନେ ନିଜଆଡୁ କାହାକୁ ଛଟେଇ କରିନାହାନ୍ତି, ବରଂ କର୍ମଚାରୀମାନେ ନିଜ ଇଚ୍ଛାରେ ଛାଡ଼ିଦେଇଛନ୍ତି ।

ଇ-କମର୍ସ କମ୍ପାନି ଆମାଜନ ପକ୍ଷରୁ ଭାରତରେ କରାଯାଇଥିବା ଛଟେଇ ଏବେ ଶ୍ରମ ଅଦାଲତରେ ପହଞ୍ଚିଛି । ଆଇଟି ଉଦ୍ୟୋଗ କର୍ମଚାରୀଙ୍କ ଅଧିକାର ପାଇଁ କାମକରୁଥିବା ନାଇଟ୍ସ ନାମକ ଏକ ୟୁନିୟନ ଏହା ବିରୋଧରେ କେନ୍ଦ୍ର ଶ୍ରମ ମନ୍ତ୍ରାଳୟଙ୍କ ହସ୍ତକ୍ଷେପ ଲୋଡ଼ିଥିଲା । ମନ୍ତ୍ରାଳୟ କମ୍ପାନିକୁ ନୋଟିସ ଜାରି କରି ବେଙ୍ଗାଲୁର ଡେପୁଟି ଶ୍ରମ କମିସନରଙ୍କ ନିକଟରେ ହାଜର ହେବାରକୁ ନିର୍ଦ୍ଦେଶ ଦେଇଥିଲେ । ଡେପୁଟି ଶ୍ରମ କମିସନରଙ୍କ ନିକଟରେ ଉପସ୍ଥିତ ହୋଇ କମ୍ପାନି ର ପ୍ରତିନିଧି କହିଥିଲେ ଯେ ସେମାନେ ନିଜଆଡୁ କାହାକୁ ଛଟେଇ କରିନାହାନ୍ତି, ବରଂ କର୍ମଚାରୀମାନେ ନିଜ ଇଚ୍ଛାରେ ଛାଡ଼ିଦେଇଛନ୍ତି ।

କେତେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ କମ୍ପାନି ପକ୍ଷରୁ ଛଟେଇ ପାଇଁ ଏକ ଭଲ୍ୟୁଣ୍ଟାରି ସେପାରେସନ ପ୍ରୋଗ୍ରାମ ( ସରକାରଙ୍କ ଭିଆରଏସ ପରି ) ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହା ମାଧ୍ୟମରେ କେତେକ ନିର୍ଦ୍ଦିଷ୍ଟ ସୁବିଧା ସୁଯୋଗ ଓ କ୍ଷତିପୂରଣ ସହ ସ୍ବେଚ୍ଛାକୃତ ଇସ୍ତଫା ପାଇଁ କର୍ମଚାରୀମାନଙ୍କୁ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଭିତ୍ତିକରି କମ୍ପାନି ଉପରୋକ୍ତ ବୟାନ ଦେଇଥିବା କୁହାଯାଉଛି ।

ଗତ ୧୫ ତାରିଖରେ ଆମାଜନ ପକ୍ଷରୁ ବି କର୍ମଚାରୀ ଛଟେଇ କରାଯିବା ସମ୍ପର୍କରେ ଘୋଷଣା କରାଯାଇଥିଲା । କମ୍ପାନି ପକ୍ଷରୁ ବିଶ୍ବବ୍ୟାପୀ ପ୍ରାୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବା ସଂପର୍କରେ ଘୋଷଣା କରାଯାଇଥିଲା । କେବଳ ଏତିକି ନୁହେଁ, କେତେକ ଠିକା କର୍ମଚାରୀଙ୍କୁ ବି ଛଟେଇ କରିଥିବା କୁହାଯାଉଛି । କମ୍ପାନି ପକ୍ଷରୁ ଭାରତରେ ବି କିଛି କର୍ମଚାରୀଙ୍କୁ ଛଟେଇ କରାଯାଇଛି ।

 

ସମ୍ବନ୍ଧିତ ଖବର