ଚୀନକୁ ଆମାଜନର ଝଟକା: ଏହି ଭୁଲ ପାଇଁ ଏକାସଙ୍ଗରେ ୬୦୦ଟି ବ୍ରାଣ୍ଡକୁ ବ୍ୟାନ୍ କଲା କମ୍ପାନି

ନୂଆଦିଲ୍ଲୀ : ଅନଲାଇନ ସପିଂ ୱେବସାଇଟ ଆମାଜନରୁ ବେଶ ସହଜରେ ଓ ସୁବିଧାରେ ଲୋକେ ମନ ମୁତାବକ ଜିନିଷ ଅର୍ଡର କରିଥାନ୍ତି । ବିଭିନ୍ନ ବ୍ରାଣ୍ଡର ଭଳିକି ଭଳି ସାମଗ୍ରୀ ଆଉ ତା’ସାଙ୍ଗରେ ଗ୍ରାହକଙ୍କୁ ଭଲ ଅଫର ଯୋଗାଇ ଆମାଜନ ବେଶ ଲୋକପ୍ରିୟ ହୋଇଛି । ତେଣୁ ଏହି ୱେବସାଇଟରେ କିଛି ଖରାପ ସାମଗ୍ରୀ ବିକ୍ରି ହେଉ ତାହା ଚାହୁଁନାହିଁ ଆମାଜନ୍ । ସେଥିପାଇଁ ଆମାଜନ ନିଜର ନିୟମକୁ ନେଇ ବେଶ କଠୋର ହୋଇଥିବା ଦେଖାଯାଇଛି । କୌଣସି କମ୍ପାନି ନିୟମର ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇ ନଥାଏ ଆମାଜନ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆମାଜନ ୬୦୦ଟି ଚୀନ୍ ବ୍ରାଣ୍ଡକୁ ନିଜ ୱେବସାଇଟରୁ ବ୍ୟାନ୍ କରିଛି ।

ରିପୋର୍ଟ ଅନୁଯାୟୀ, ୬୦୦ଟି ଚୀନ୍ ବ୍ରାଣ୍ଡକୁ ନିୟମ ଉଲଂଘନ ପାଇଁ ବ୍ୟାନ୍ କରିଛି ଆମାଜନ । ଏହି ବ୍ରାଣ୍ଡଗୁଡିକ କମ୍ପାନିର ରିଭ୍ୟୁ ପଲିସିରେ ହେରଫେର କରିଥିଲେ, ଯାହା ଆମାଜନର ନିୟମକୁ ଉଲଂଘନ କରିଥିଲା | ତେଣୁ ଆମାଜନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଦର୍ଶାଯାଇଛି । ନିଜ ସାମଗ୍ରୀ ଉପରେ ଭଲ ରିଭ୍ୟୁ ଦେବାକୁ ଚୀନ୍ କମ୍ପାନିଗୁଡିକ ଲୋକଙ୍କୁ ଆମାଜନ ଗିଫ୍ଟ କାର୍ଡ ଦେଉଥିଲେ, ଯାହାକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆମାଜନ । କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଆମାଜନ ସବୁବେଳେ ଲୋକଙ୍କୁ ଭଲ ସାମଗ୍ରୀ ପହଞ୍ଚାଇବାକୁ ଚେଷ୍ଟା କରିଥାଏ । ତେଣୁ ପ୍ରତି ସାମଗ୍ରୀକୁ ନେଇ ଯେଉଁ ରିଭ୍ୟୁ ଆସିଥାଏ ତାହା କମ୍ପାନି ପାଇଁ ବେଶ ଗୁରୁତ୍ୱ ବହନ କରିଥାଏ । କାରଣ ଏହି ରିଭ୍ୟୁ ପଲିସିକୁ ଦେଖି ଲୋକେ ସାମଗ୍ରୀ କିଣିଥାନ୍ତି । ତେଣୁ ଗ୍ରାହକଙ୍କୁ ମିଛ ରିଭ୍ୟୁ ଦେଇ ଫଶାଇଥିବାରୁ ଆମାଜନ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି |

Amazon and Google face UK competition probe over fake reviews
CNBC

କମ୍ପାନି ପକ୍ଷରୁ କୁହାଯାଇଛି, କେବଳ ଚୀନକୁ ଦୃଷ୍ଟିରେ ରଖି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ତେଣୁ ଏହାକୁ କୌଣସି ଷଡଯନ୍ତ୍ର ଭାବିବା ଭୁଲ । ଆମାଜନ ପୂରା ବିଶ୍ୱରେ ଏହି ନିୟମ ଲାଗୁ କରିବାକୁ ଯାଉଛି | ତେଣୁ କମ୍ପାନିର ପଲିସିକୁ ଯିଏ ବି ଉଲଂଘନ କରିବ ତା’ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କୌଣସି ନିର୍ଦ୍ଦିଷ୍ଟ ଗୋଟିଏ ଦେଶକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯିବ ନାହିଁ ବୋଲି କହିଛି ଆମାଜନ ।

ସମ୍ବନ୍ଧିତ ଖବର