ନୂଆଦିଲ୍ଲୀ: ଦୀର୍ଘ ୪୦ଦିନର ଯାତ୍ରା ପରେ ଗତକାଲି ଅଗଷ୍ଟ ୨୩ ତାରିଖ ବୁଧବାର ସନ୍ଧ୍ୟା ୬.୦୪ରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତା ସହ ଅବତରଣ କରିଥିଲା। ଏହି ଅବତରଣ ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଆରୁଷି। ସେ ଅମ୍ବାଲାର ବୋହୂ। ଗତ ବୁଧବାର ଆରୁଷି ‘ଚନ୍ଦ୍ରଯାନ-୩’ ଅବତରଣର ନିକିନିଖି ବିବରଣୀ ଦେଶକୁ ଦେଇଥିଲେ, ଯାହାକୁ ନେଇ ଆରୁଷିଙ୍କ ଶାଶୁଘରଲୋକ ବହୁତ ଖୁସି ଅଛନ୍ତି। କାରଣ ତାଙ୍କ ବୋହୂ ଏହି ଐତିହାସିକ ମୁହୂର୍ତ୍ତର ଛୋଟବଡ଼ ସମସ୍ତ ଖବର ଦେଶକୁ ଜଣାଉଥିଲେ।
ଆରୁଷି ସେଠ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି । ସେ ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର କଣ୍ଟ୍ରୋଲ ୟୁନିଟରେ କାର୍ଯ୍ୟରତ ଅଛନ୍ତି। ବୁଧବାର ଯେତେବେଳେ ‘ଚନ୍ଦ୍ରଯାନ-୩’ ଲ୍ୟାଣ୍ଡିଂର କାଉଣ୍ଟଡାଉନ ଆରମ୍ଭ ହୋଇଥିଲା ସେତେବେଳେ ଦେଶ ଓ ବିଶ୍ବକୁ ଆରୁଷି ସେଠ ହିଁ ଟିକିନିଖି ଖବର ଦେବା ଆରମ୍ଭ କରିଥିଲେ।
ଆରୁଷିଙ୍କ ବ୍ୟକ୍ତିଗତ ଜୀବନ କଥା କହିଲେ, ସେ ମୂଳତଃ ହାଇଦ୍ରାବାଦର ବାସିନ୍ଦା। ପରବର୍ତ୍ତୀ ସମୟରେ ଅମ୍ବାଲାର ସେକ୍ଟର-୯ରେ ବସବାସ କରୁଥିବା ସିଦ୍ଧାର୍ଥ ଶର୍ମାଙ୍କ ସହିତ ତାଙ୍କର ବିବାହ ହୋଇଥିଲ। ସିଦ୍ଧାର୍ଥଙ୍କ ପୈତୃକଗ୍ରାମ ଅମ୍ବାଲାର ଥମ୍ବଡ଼।
ଆରୁଷି ଓ ସିଦ୍ଧାର୍ଥ ଇଣ୍ଡିୟାନ ଇନଷ୍ଟିଚ୍ୟୁଟ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି(ଆଇଆଇଏସଟି)ରୁ ପାଠପଢ଼ିଛନ୍ତି। ଆରୁଷିଙ୍କ ଶ୍ବଶୁର ସୁରେନ୍ଦ୍ର ପ୍ରକାଶ ଶର୍ମା କହିଛନ୍ତି, ‘ସିଦ୍ଧାର୍ଥ ଓ ଆରୁଷିଙ୍କ ବିବାହ ୨୦୧୭ ମସିହାରେ ହୋଇଥିଲେ। ଆରୁଷି ୨୦୨୩ରୁ ଇସ୍ରୋରେ ଅଛନ୍ତି। ସେ ‘ଚନ୍ଦ୍ରଯାନ-୨’ ଓ ‘ଚନ୍ଦ୍ରଯାନ-୩’ ପାଇଁ କାମ କରିଛନ୍ତି। ଆରୁଷିକୁ ମୋ ବୋହୂ ବୋଲି କହିବାକୁ ମୋତେ ଗର୍ବ ଲାଗେ।’