ଚାଲ୍ ତଳକୁ ଆସ୍…; ଅପମାନିତ କରି ମହିଳା ଏଏସଆଇଙ୍କୁ ଚାପୁଡା ମାରିଲେ ହୋଟେଲ ମ୍ୟାନେଜର

ଅମ୍ବାଲା(ହରିୟାଣା): ଅପମାନିତ କରି ମହିଳା ଏଏସଆଇଙ୍କୁ ଚାପୁଡା ମାରିଲେ ହୋଟେଲ ମ୍ୟାନେଜର। ହରିୟାଣାର ଅମ୍ବାଲାରେ ଘଟିଛି ଏଭଳି ଘଟଣା। ଘଟଣା ଘଟିବା ସମୟର ଏକ ଭିଡିଓ ଏବେ ଭାଇରାଲ ହୋଇଥିବା ବେଳେ ପୁଲିସ ବୋଲି ଜାଣି ମଧ୍ୟ ହୋଟେଲ ମ୍ୟାନେଜର ତାଙ୍କୁ ଅପମାନିତ କରିଥିବା ଦେଖାଯାଇଛି।

ସୂଚନାନୁସାରେ, ନାରାୟଣଗଡର ବିରାଜ ବିବାହ ପ୍ୟାଲେସରେ ପୋକ୍ସୋ ଆକ୍ଟ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇଥିବା ମହିଳା ଏଏସଆଇଙ୍କ ସହ ହୋଟେଲ ମ୍ୟାନେଜରଙ୍କ ଝଗଡା ହୋଇଥିଲା। ଏହି ସମୟରେ କେହି ଜଣେ ଏହାର ଏକ ଭିଡିଓ ରେକର୍ଡ କରି ଏହାକୁ ସେୟାର କରିବା ପରେ ଏବେ ତାହା ଭାଇରାଲ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ​​ଯେ ଅଭିଯୁକ୍ତ ମ୍ୟାନେଜର ବିକାଶ ଯାଦବ ପ୍ରଥମେ ମହିଳା ପୁଲିସ ଏଏସଆଇକୁ ଧମକ ଦେଉଛନ୍ତି। ତଳକୁ ଆସ୍…ତଳକୁ ଆସ୍…ବୋଲି କହି ସେ ସିଢ଼ି ଚଢ଼ି ଉପରକୁ ଯାଉଛନ୍ତି। ତା’ପରେ ସେ ମହିଳା ପୁଲିସ ଏଏସଆଇଙ୍କ ହାତ ଧରି ତାଙ୍କୁ ତଳକୁ ଟାଣିବାକୁ ଚେଷ୍ଟା କରୁଛନ୍ତି। ଏହା ଦେଖି ରାଗରେ ମହିଳା ପୁଲିସ ଏଏସଆଇ ତାଙ୍କୁ ଚାପୁଡା ମାରୁଛନ୍ତି। ଚାପୁଡ଼ା ଖାଇବା ପରେ ବିକାଶ ମହିଳା ପୁଲିସ ଏଏସଆଇଙ୍କ ଉପରକୁ ହାତ ଉଠାଉଛନ୍ତି। ଏଭଳି ବ୍ୟବହାର ଦେଖି ମହିଳା ପୁଲିସ ଏଏସଆଇ ତାଙ୍କୁ ଟାଣି ଟାଣି ଭ୍ୟାନକୁ ନେଉଛନ୍ତି। ପୁଲିସ ଷ୍ଟେସନ ଯିବା ଡରରେ ବିକାଶ ଫୋନ କରି କାହାକୁ ହୋଟେଲ ଆସିବାକୁ କହୁଥିବା ଦେଖିବାକୁ ମିଳିଛି।

ତେବେ ସୂଚନା ମିଳିଛି ଯେ, କିଛି ଦିନ ପୂର୍ବରୁ ବିବାହ ମଣ୍ଡପ ନାଁରେ ନାବାଳିକାଙ୍କୁ ନେଇ ଦେହ ବ୍ୟବସାୟ ଚାଲିଥିବା ଖବର ପୁଲିସକୁ ମିଳିଥିଲା। ଏନେଇ ପୁଲିସ ଚଢ଼ଉ କରି କିଛି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଏହାର ମାଲିକ ଏବଂ ମ୍ୟାନେଜରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଯାଇଥିବା ବେଳେ ଅଭିଯୁକ୍ତ ମହିଳା ଏଏସଆଇଙ୍କୁ ଆକ୍ରମଣ କରି ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲା। ଏବେ ଅଭିଯୁକ୍ତକୁ ପୁଲିସ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର