ଏବେ ନୂପୁରଙ୍କ ବିରୋଧରେ ଆନ୍ଦୋଳନ କରିବେ ଆମ୍ବେଦକରଙ୍କ ନାତି, ଆଲର୍ଟରେ ମୁମ୍ବାଇ ପୁଲିସ

ମୁମ୍ବାଇ: ସମ୍ବିଧାନ ପ୍ରଣେତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ନାତି ଜୁନ ୧୭ ରେ ମୁମ୍ବାଇରେ ନୂପୁର ଶର୍ମା, ମହମ୍ମଦଙ୍କ ବାବଦରେ ଦେଇଥିବା ବିବାଦୀୟ ମନ୍ତବ୍ୟ ବିରୋଧରେ ଏକ ବିଶାଳ ଆନ୍ଦୋଳନ ଘୋଷଣା କରିଛନ୍ତି । ଦଳିତ ନେତା ପ୍ରକାଶ ଆମ୍ବେଦକର ନିଜ ଦଳର କର୍ମୀ, ବଂଚିତ ବହୁଜନ ଅଘାଡି ଏବଂ ବିଭିନ୍ନ ମୁସଲମାନ ସଂଗଠନ ସହିତ ଏହି ଆନ୍ଦୋଳନର ନେତୃତ୍ୱ ନେବେ।

ସୂଚନା ଥାଉ କି ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କ ବୟାନକୁ ନେଇ ଦେଶର ଅନେକ ସ୍ଥାନରେ ଆନ୍ଦୋଳନ ହୋଇଥିଲା । ପ୍ରକାଶ ଆମ୍ବେଦକରଙ୍କ ଘୋଷଣା ପରେ ମୁମ୍ବାଇ ପୁଲିସ କୌଣସି ଅଘଟଣକୁ ରୋକିବା ପାଇଁ ସଜାଗ ରହିଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲୀପ ବାସେ ପାଟିଲ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ଖରାପ ନହୁଏ ସେଥିପାଇଁ ପୁଲିସ ସତର୍କ ରହିଛି | ମହମ୍ମଦଙ୍କ ବାବଦରେ ବିବାଦୀୟ ମନ୍ତବ୍ୟ ପାଇଁ ବିଭିନ୍ନ ରାଜ୍ୟରେ ବିରୋଧ ହିଂସାତ୍ମକ ରୂପ ନେଇଥିଲା ଏବଂ ଉପଦ୍ରବକାରୀଙ୍କୁ ଘଉଡାଇବା ପାଇଁ ପୁଲିସକୁ ଲାଠି-ଚାର୍ଜ ଏବଂ ଲୁହବୁହା ଗ୍ୟାସ ବ୍ୟବହାର କରିବାକୁ ପଡିଥିଲା ।

ପ୍ରକାଶ ଆମ୍ବେଦକର କହିଛନ୍ତି ଯେ “ନୂପୁର ଶର୍ମାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଦଳରୁ ନିଲମ୍ବନ କରିବା କୌଣସି କାର୍ଯ୍ୟାନୁଷ୍ଠାନ ନୁହେଁ। ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କେହି କିଛି କୁହନ୍ତି, ତେବେ ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ। ଏହି ମାମଲାରେ କାହିଁକି ନୁହେଁ?” ସେ କହିଛନ୍ତି, ନୂପୁର ଶର୍ମା ଏବଂ ତାଙ୍କୁ ସମର୍ଥନ କରୁଥିବା ନେତାଙ୍କ ବିବୃତ୍ତି ଯୋଗୁଁ ବିଦେଶରେ ରହୁଥିବା ଭାରତୀୟଙ୍କ ଜୀବନ ପ୍ରତି ବିପଦ ରହିଛି।

ସମ୍ବନ୍ଧିତ ଖବର