ନୂଆଦିଲ୍ଲୀ: ସମ୍ବିଧାନର ପ୍ରଣେତା ଡ. ବିଆର୍ ଆମ୍ବେଦକର ସବୁ ଧାରାର ଚିଠା ପ୍ରସ୍ତୁତ କରିଥିଲେ। କିନ୍ତୁ ଧାରା ୩୭୦ ଲେଖିବାକୁ ମନା କରିଦେଇଥିଲେ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଜମ୍ମୁ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି। ଉକ୍ତ ଧାରା ଅଧୀନରେ ଜମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ସୁବିଧା ମିଳିଥିଲା। ସଂପ୍ରତି ଧାରା ୩୭୦ ଉଚ୍ଛେଦ ହେବା ଫଳରେ ଜମ୍ମୁ କାଶ୍ମୀରକୁ ଦେଶର ମୁଖ୍ୟସ୍ରୋତ ସହିତ ସାମିଲ କରାଯାଇ ପାରିଛି। ଏଥିଯୋଗୁ ଜମ୍ମୁ କାଶ୍ମୀରକୁ ନିବେଶ ଏବଂ ବିକାଶର ଦ୍ବାର ବ୍ୟାପକ ମାତ୍ରାରେ ଖୋଲିଯାଇଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଜମ୍ମୁ କାଶ୍ମୀରରେ ଜାତୀୟ ସ୍ତରର ପ୍ରାୟ ସବୁ ପ୍ରତିଷ୍ଠାନ ଥିବାବେଳେ ଆସନ୍ତା କିଛିଦିନ ମଧ୍ୟରେ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବ। ଏହା ଜମ୍ମୁ କାଶ୍ମୀରର ବିକାଶକୁ ଆହୁରି ତ୍ବରାନ୍ବିତ କରିବ। ଏଥିସହିତ ଲୋକଙ୍କୁ ଶାରିରୀକ ଓ ମାନସିକ ସୁସ୍ଥତା ପ୍ରଦାନରେ ଏହା ସହାୟକ ହେବ ବୋଲି ଧନଖଡ଼ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଧାରା ୩୭୦କୁ ଉଚ୍ଛେଦ କରିଥିଲେ। ଏହାଫଳରେ ଜମ୍ମୁ କାଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ମାନ୍ୟତାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଏଥିସହିତ ଜମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରି ଦିଆଯାଇଥିଲା। ସମ୍ବିଧାନ ସଂପର୍କରେ ଉଲ୍ଲେଖ କରି ଉପରାଷ୍ଟ୍ରପତି ଧନଖଡ଼ କହିଛନ୍ତି, ଧାରା ୩୭୦ ଏବଂ ୩୫କ ପ୍ରଥମେ ଅସ୍ଥାୟୀ ବ୍ୟବସ୍ଥା ଭାବେ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଏହା ନ ଥିବାରୁ ସେ ଖୁସି ବୋଲି କହିଛନ୍ତି। ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ମନ୍ତବ୍ୟକୁ ଉଦ୍ଧାର କରି ଧନଖଡ଼ କହିଥିଲେ, ଗୋଟିଏ ଦେଶରେ ଦୁଇଟି ସମ୍ବିଧାନ, ଦୁଇଟି ନୀତି ଏବଂ ଦୁଇଟି ପ୍ରତୀକ କାର୍ଯ୍ୟ ନକରିବା ବର୍ତ୍ତମାନ ବାସ୍ତବତାରେ ପରିଣତ ହୋଇଛି। ଧାରା ୩୭୦ ଉଚ୍ଛେଦ ହେବାପରଠାରୁ ଜମ୍ମୁ କାଶ୍ମୀରରେ ହୋଇଥିବା ବିକାଶ ପାଇଁ ଡ. ମୁଖାର୍ଜୀଙ୍କ ଦୂରଦୃଷ୍ଟିସଂପନ୍ନ ମନୋଭାବକୁ ଧନଖଡ଼ ପ୍ରଶଂସା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/51-15.jpg)