ଆମ୍ବେଦକର ମୂର୍ତ୍ତିକୁ ସୁରକ୍ଷା ଦେବା ପାଇଁ ଏହି ଅଭିନବ ଉପାୟ ଅବଲମ୍ବନ କଲେ ଲୋକେ

ଲକ୍ଷ୍ନୌ: ସମ୍ବିଧାନ ନିର୍ମାତା ଆମ୍ବେଦକରଙ୍କ ମୂର୍ତ୍ତି ଉପରେ ହେଉଥିବା ବାରମ୍ବାର ଆକ୍ରମଣକୁ ରୋକିବାକୁ ଉତ୍ତରପ୍ରଦେଶର ବଦାୟୁଁରେ ଲୋକମାନେ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ସେମାନେ ମୂର୍ତ୍ତିକୁ ଏକ ଲୁହା ପିଞ୍ଜରାରେ ରଖି ଦେଇଛନ୍ତି ।

ବିଜେପି ତ୍ରିପୁରାରେ ଜିତିବା ପରେ ଦେଶରେ ବିଭିନ୍ନ ପ୍ରତିମୂର୍ତ୍ତିକୁ ନେଇ ବିବାଦ ଚାଲିଛି । ପ୍ରଥମେ ଲେନିନ, ତାପରେ ପେରିୟାର, ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାଗଲା । କିନ୍ତୁ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ନେଇ ସେବେଠାରୁ ବିବାଦ ଥମିବାର ନାଁ ଧରୁ ନାହିଁ । ଉତ୍ତରପ୍ରଦେଶରେ ନିୟମିତ ଭାବେ ଆମ୍ବେଦକର ମୂର୍ତ୍ତି ଭଙ୍ଗା ଘଟଣା ଚାଲିଛି । ଏହାକୁ ନେଇ ଦଳିତ ସଂପ୍ରଦାୟ ପ୍ରବଳ ବିରୋଧ କରୁଛନ୍ତି । ନିକଟରେ ବଦାୟୁଁରେ ଏକ ଆମ୍ବେଦକର ମୂର୍ତ୍ତି ଭଙ୍ଗାଯିବା ପରେ ରାଜ୍ୟ ସରକାର ଏକ ନୂଆ ମୂର୍ତ୍ତି ସ୍ଥାପନ କରିଥିଲେ । କିନ୍ତୁ ମୂର୍ତ୍ତିକୁ ଗେରୁଆ ରଙ୍ଗ ଦିଆଯାଇଥିବାରୁ ତାହାକୁ ବିରୋଧ କରି ବିଏସପି କର୍ମୀମାନେ ତାହାକୁ ନୀଳ ରଙ୍ଗ ଦେଇଦେଲେ ।

ଆସନ୍ତା କାଲି ଆମ୍ବେଦକର ଜୟନ୍ତୀ ଥିବାରୁ ଏପରି ଘଟଣାରୁ ଏଡେଇବା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସବୁ ମୂର୍ତ୍ତି ପାଖରେ ପୁଲିସ୍‌ ଜଗାଇଦିଆଯାଇଛି । କିନ୍ତୁ ଉତ୍ତର ପ୍ରଦେଶର ବଦାୟୁଁରେ କେତେକ ଲୋକ ମୂର୍ତ୍ତିକୁ ସୁରକ୍ଷା ଦେବା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ସେମାନେ ମୂର୍ତ୍ତିକୁ ଏକ ଲୁହା ପିଞ୍ଜରା ଭିତରେ ରଖିଦେଇଛନ୍ତି । ଏପରି କାମ କିଏ କରିଛି ତାହା ସ୍ଥାନୀୟ ପୁଲିସ ମଧ୍ୟ ଜାଣିନାହିଁ । ତେବେ ମୂର୍ତ୍ତି ପାଖରେ ସୁରକ୍ଷା ବଢାଇଦିଆଯାଇଛି ।

ସମ୍ବନ୍ଧିତ ଖବର