କାନପୁର: ଉତ୍ତରପ୍ରଦେଶର କାନପୁରରେ ଶୁକ୍ରବାର ସକାଳେ ସ୍ୱାମୀଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ଘରକୁ ଆଣୁଥିବା ବେଳେ ଉକ୍ତ ଆମ୍ବୁଲାନ୍ସକୁ ଅନ୍ୟ ଏକ ଗାଡ଼ି ଧକ୍କା ଦେବାରୁ ଜଣେ ୭୦ ବର୍ଷୀୟା ମହିଳା ଏବଂ ତାଙ୍କ ତିନି ଝିଅଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ତୁସରାଉର ଗ୍ରାମ ନିକଟ ପୂର୍ବ-ମୋହନଲାଲଗଞ୍ଜ ରାସ୍ତାରେ ଘଟିଛି। ଦୁର୍ଘଟଣାରେ ପରିବାରର ଅନ୍ୟ ଜଣେ ଝିଅ ଗୁରୁତର ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାର ପ୍ରଭାବ ଏତେ ଥିଲା ଯେ ଆମ୍ବୁଲାନ୍ସଟି ଖଣ୍ଡଖଣ୍ଡ ହୋଇଯାଇଥିଲା। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ନିଖୋଜ ହୋଇଯାଇଥିବା ଜଣାପଡ଼ିଛି।

Advertisment

ମୃତକଙ୍କ ଭିତରେ ଅଛନ୍ତି ୭୦ ବର୍ଷୀୟା ପ୍ରେମା ସବିତା ଯେକି ୭୫ ବର୍ଷୀୟ ଧନୀରାମଙ୍କ ପତ୍ନୀ, ଯାହାଙ୍କ ଶବ ଆମ୍ବୁଲାନ୍ସରେ ଅଣାଯାଉଥିଲା ଏବଂ ସେମାନଙ୍କ ଝିଅ ମଞ୍ଜୁଳା (୪୫), ଅଞ୍ଜଳି (୪୦) ଏବଂ ରୁବି (୩୦)। ପ୍ରେମାଙ୍କ ଝିଅ ୩୬ ବର୍ଷୀୟା ସୁଧାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଅଧୀକ୍ଷକ ସିଦ୍ଧାର୍ଥ ଶଙ୍କର ମୀନା, ଏଏସ୍‌ପି ଶଶିଶେଖର ଏବଂ ସିଓ ଦୀପକ ସିଂ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ଦୁର୍ଘଟଣା ପରଠାରୁ ନିଖୋଜ ଥିବା ଆମ୍ବୁଲାନ୍ସ ଡ୍ରାଇଭରକୁ ଖୋଜା ଚାଲିଛି। ଡ୍ରାଇଭରକୁ ଜେରାହେଲେ ହିଁ ଦୁର୍ଘଟଣା ସମ୍ପର୍କରେ ଅଧିକ ବିବରଣୀ ମିଳିପାରିବ ବୋଲି ଏସ୍‌ପି ମୀନା କହିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି।