ରୋଗୀଙ୍କୁ ଲୁଟୁଛନ୍ତି ଆମ୍ବୁଲାନ୍ସ ମାଲିକ: ୩୫୦ କିଲୋମିଟର ପାଇଁ ଗଣିଲେ ୧ ଲକ୍ଷ ୨୦ ହଜାର ଟଙ୍କା

ଲୁଧିଆନା: ୩୫୦ କିଲୋମିଟର ଦୂରତା ପାଇଁ କେତେ ଟଙ୍କା ଆମ୍ବୁଲାନ୍ସ ଭଡା ହୋଇପାରେ | ଆପଣ ଭାବୁଥିବେ ୫୦ ହଜାର କିମ୍ବା କିଛି ଅଧିକ ହୋଇଥାଇପାରେ | ତେବେ ଆପଣ ଭୁଲ ଭାବୁଛନ୍ତି | କାରଣ କରୋନା ସମୟରେ ଜଣେ ରୋଗୀଙ୍କ ପାଖରୁ ଆଦାୟ ହୋଇଛି ୧ ଲକ୍ଷ ୨୦ ହଜାର ଟଙ୍କା | କରୋନା ମହାମାରୀରେ ସାରା ଦେଶ କାନ୍ଦୁଥିବାବେଳେ କିଛି ଆମ୍ବୁଲାନ୍ସ ମାଲିକ ଏବେ ରୋଗୀଙ୍କୁ ଶୋଷିବାରେ ଲାଗିପଡିଛନ୍ତି | ମିଳିଥିବା ସୂଚନା ମୁତାବକ ଦିଲ୍ଲୀର ଡାକ୍ତରଖାନାରେ ଶଯ୍ୟା ଏବଂ ଅମ୍ଳଜାନ ଅଭାବରୁ ବହୁ ସଂଖ୍ୟକ ରୋଗୀ ପଞ୍ଜାବର ଲୁଧିଆନା ଆଡକୁ ମୁହାଁଉଛନ୍ତି। ଅମରଦୀପ କୌର ନାମ୍ନୀ ମହିଳାଙ୍କ କହିବା ଅନୁଯାୟୀ ଗୁରୁଗ୍ରାମରେ ରହୁଥିବା ତାଙ୍କ ମା ସତୀନ୍ଦର କୌରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ସେ ଦିଲ୍ଲୀରେ କୌଣସି ମେଡିକାଲରେ ଭର୍ତ୍ତି କରିବାକୁ ଚାହିଁଥିଲେ |

ତେବେ ଦିଲ୍ଲୀରେ କୌଣସି ମେଡିକାଲରେ ବେଡ଼ ନଥିବାରୁ ବାଧ୍ୟ ହୋଇ ସେ ଲୁଧିଆନାରେ ଆଡମିଟ କରାଇବାକୁ ଆମ୍ବୁଲାନ୍ସ ଯୋଗାଉଥିବା ଏକ କମ୍ପାନୀ ସହିତ କଥା ହୋଇଥିଲେ | ତେବେ ଆମ୍ବୁଲାନ୍ସ କମ୍ପାନୀ ପକ୍ଷରୁ ୧.୪୦ ଲକ୍ଷ ଟଙ୍କା ଭଡା ମଗାଯାଇଥିଲା | ତେବେ ଅମରଦୀପଙ୍କ ପାଖରେ ନିଜସ୍ୱ ଅମ୍ଳଜାନ ସିଲିଣ୍ଡର ଥିବାରୁ କମ୍ପାନୀ ୧.୨୦ ଲକ୍ଷ ଟଙ୍କା ସ୍ଥିର କରିଥିଲା ​​| ଯେତେବେଳେ ଏତେ ଟଙ୍କା ଭଡା ବାବଦରେ ପଚରାଗଲା, ସେତେବେଳେ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ଯଦି ସେ ଯିବାକୁ ଚାହାଁନ୍ତି ତେବେ ସେ ଏତେ ଟଙ୍କା ଦେବେ।

ତେବେ ଅମରଦୀପଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିବାରୁ ସେ ୧.୨୦ ଲକ୍ଷ ଟଙ୍କା ଆମ୍ବୁଲାନ୍ସ କମ୍ପାନୀକୁ ପ୍ରଦାନ କରିଥିଲେ। ଡାକ୍ତରଖାନାରେ ତାଙ୍କ ମା ଭର୍ତ୍ତି ହେବା ପରେ ଅମନଦୀପ ସୋସିଆଲ ମିଡିଆରେ ଭଡା ସ୍ଲିପ୍ ଏବଂ କମ୍ପାନୀର ଆଚରଣ ବାବଦରେ ସେୟାର କରିଥିଲେ | ଏହି ସୂଚନା ଦିଲ୍ଲୀ ପୁଲିସର ଦୃଷ୍ଟି ଆକର୍ଷଣ କରିଥିଲା ​​ଏବଂ ସେମାନେ କମ୍ପାନୀ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ଏହା ପରେ କମ୍ପାନୀ ତରବରିଆ ଭାବେ ଅମନଦୀପଙ୍କୁ ପୁରା ରାଶି ଫେରସ୍ତ କରିଛି |

ସମ୍ବନ୍ଧିତ ଖବର