ବର୍ଷିକିଆ ଶିଶୁର ଜୀବନ ରକ୍ଷା କରିବାକୁ ୧୪ ଘଣ୍ଟାର ପଥ ୭ ଘଣ୍ଟାରେ ଅତିକ୍ରମ କଲା ଆମ୍ବ୍ୟୁଲାନ୍‌ସ୍‌

ତିରୁବନନ୍ତପୁରମ: ବୁଧବାର ରାତିରେ ଗୋଟାଏ ଅସମ୍ଭବ ଘଟଣା ସମ୍ଭବ ହୋଇଛି କେରଳରେ। ସେ ରାତିରେ, ସାଙ୍ଘାତିକ ସ୍ୱାସ୍ଥ୍ୟାବସ୍ଥା ଥିବା ଜଣେ ମାସିକିଆ ଶିଶୁକୁ ଧରି ଗୋଟାଏ ଆମ୍ବୁଲାନ୍‌ସ୍‌ ଉପକୂଳବର୍ତ୍ତୀ ରାଜ୍ୟର ଏମୁଣ୍ଡରୁ ସେମୁଣ୍ଡ ଯାଏଁ ଦ୍ରୁତ ବେଗରେ ଗତି କରି କନ୍ନୁରୁ ସହରର ଉତ୍ତର ଭାଗରୁ କେରଳର ରାଜଧାନୀ ତିରୁଅନନ୍ତପୁରମ୍‌ ମଧ୍ୟରେ ୫୧୬ କିଲୋମିଟର ପଥ ଅତିକ୍ରମ କରିଥିଲା।

ଗୁଗଲ୍‌ ମ୍ୟାପ୍‌ ଅନୁସାରେ ସ୍ୱଳ୍ପ ଯାନବାହନ ଚାଲୁଥିବା ସେ ୫୧୬ କି. ମି. ରାସ୍ତାରେ ଗାଡ଼ି ଚଳାଇ ଆସିବାକୁ ଅତି କମ୍‌ରେ ୧୩ ଘଣ୍ଟା ଲାଗିବ। କେରଳର ସଙ୍କୀର୍ଣ୍ଣ ରାସ୍ତାରେ ଗହଳି ଯୋଗୁଁ ସେତିକ ବାଟ ଅତିକ୍ରମ କରିବାକୁ ହାରାହାରି ୧୪ ଘଣ୍ଟା ଲାଗିବା କଥା।

ସେ ଯାହାହେଉ, ଆମ୍ବ୍ୟୁଲାନ୍‌ସ୍‌ଟି ମାତ୍ର ୭ ଘଣ୍ଟାରେ ସେତିକ ପଥ ଅତିକ୍ରମ କରିଥିଲା। ସେ ଜରୁରୀକାଳୀନ ଗାଢ଼ି ଏବଂ ତା’ର ଚାଳକ ନେଇଥିବା ୧୫ ମିନିଟ୍‌ ଅବସରକୁ ବାଦ୍‌ ଦେଲେ ଦୀର୍ଘ ୬ ଘଣ୍ଟା ୪୫ ମିନିଟ୍‌ ଯାତ୍ରା କରିଥିଲା। ଅର୍ଥାତ ଘଣ୍ଟାପ୍ରତି ଗାଡ଼ିର ବେଗ ଥିଲା ୭୬. ୪ କିଲୋମିଟର୍‌।

ଆମ୍ବ୍ୟୁଲାନ୍‌ସ୍‌ ଚଳାଉଥିଲେ ଉପକୂଳ ସହର କସରାଗୋଡ଼ର ଥାମିମ। ବୁଧବାର ରାତିରେ କନ୍ନୁରସ୍ଥିତ ପରିୟାରାମ୍‌ ମେଡିକାଲ୍‌ କଲେଜରେ କାମ କରିବାକୁ ଥାମିମ୍‌ଙ୍କୁ ଡକା ଯାଇଥିଲା।

ସେଠାରେ ତାଙ୍କୁ ଗୋଟାଏ ମିସନ୍‌ ଦିଆ ଯାଇଥିଲା: ତାଙ୍କୁ ୩୧ ବର୍ଷିୟ କୋଳଛୁଆ ଫାତିମା ଲବିୟାକୁ ନେଇ କନ୍ନୁର ଫେସିଲିଟିରୁ ତିରୁଅନନ୍ତପୁରମ୍‌ସ୍ଥିତ ଶ୍ରୀ ଚିତ୍ର ମିସନ୍‌ ହସ୍‌ପିଟାଲ୍‌କୁ ନେଇ ଯିବାକୁ ପଡ଼ିବ।

ଏ ସପ୍ତାହର ଆଦ୍ୟରୁ ଫାତିମା ଶ୍ୱାସପ୍ରଶ୍ୱାସ ଜନିତ କ୍ଳିଷ୍ଟ ଭୋଗି ଚାଲିବାରୁ ତା’ର ଜରୁରୀକାଳୀନ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ଆବଶ୍ୟକ ଥିଲା। ସେଥି ନିମନ୍ତେ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ତାଙ୍କୁ ରାଜଧାନୀସ୍ଥିତ ଡାକ୍ତରଖାନାକୁ ନେବାକୁ ସ୍ଥିର କରାଯାଇଥିଲା।

ନିକଟସ୍ଥ ବିମାନଘାଟି ତିନି ଘଣ୍ଟା ଦୂରରେ ଥିବାରୁ ତାଙ୍କୁ ବିମାନ ଯୋଗେ ନେବା ସମ୍ଭବପର ନ ଥିଲା। ତା’ଛଡ଼ା ଏୟାର୍‌ ଆମ୍ବ୍ୟୁଲାନ୍‌ସ୍‌ ଯୋଗାଡ଼ କରିବାକୁ ଅନ୍ୟୂନ ପାଞ୍ଚ ଘଣ୍ଟା ଆବଶ୍ୟକ। ତେଣୁ ନିଷ୍ପତ୍ତି ନିଆଗଲା ଯେ ସଡ଼କ ପଥରେ ଶିଶୁଟିକୁ କନ୍ନୁରରୁ ତିରୁବନନ୍ତପୁରମ୍‌ ନିଆଯିବ।

ତା’ପରେ ଯାହା ଘଟିଲା ତାହା ସିଧା ସଳଖ ଜନପ୍ରିୟ ମାଲୟାଲମ୍‌ ଚଳଚ୍ଚିତ୍ର ‘ଟ୍ରାଫିକ୍‌’ର ଦୃଶ୍ୟାବଳୀ ପରି। ତାମିମ୍‌ଙ୍କୁ କାର୍ଯ୍ୟ ନ୍ୟସ୍ତ କରାଯିବା ପରେ ଆମ୍ବ୍ୟୁଲାନ୍‌ସ୍‌ର ନିର୍ବିଘ୍ନ ଯାତ୍ରା ପାଇଁ ଯୋଜନା ଚୂଡ଼ାନ୍ତ କରିବାକୁ କେରଳ ପୁଲିସକୁ ଖବର ଦିଆ ଯାଇଥିଲା।

ପ୍ରଥମେ ଅଧିକାରୀମାନେ କନ୍ନୁର ଜିଲ୍ଲା ପୁଲିସ ସହ କଥାବାର୍ତ୍ତା କରିବାରୁ ସେମାନେ ସମଗ୍ର ଯାତ୍ରା ସକାଶ ସେମାନେ ସ୍ୱତନ୍ତ୍ର ଟିମ୍‌ ମୁତୟନ କରିଥିଲେ। ଅନ୍ୟ ଏକ ଟିମ୍‌ ଯାଇଥିଲା ଆମ୍ବୁଲାନ୍‌ସ୍‌ ସହ। ଦ୍ରୁତ ବେଗରେ ତାମିମ୍‌ଙ୍କ ଗାଡ଼ି ଯିବା ପଥରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ମୁତୟନ କରାଯାଇ ଥିଲା ଆଉ ଏକ ଟିମ୍‌।

କେବଳ ରାଜ୍ୟ ପୁଲିସ ନୁହେଁ। ଯାତ୍ରାର ଖବର ପ୍ରଘଟ ହେବା ପରେ ପରେ ଲାଭରହିତ ସଂସ୍ଥାନ ‘କେରଳ ଚାଇଲ୍‌ଡ୍‌ ପ୍ରୋଟେକ୍ସନ୍‌ ଟିମ୍‌’ ଯାତ୍ରାରେ ସହାୟତା କରିବାକୁ ପୁଲିସକୁ ସହାୟତା କରିଥିଲା।

ବୁଧବାର ରାତି ୮ଟା ୨୩ ମିନିଟ୍‌ରେ ଆରମ୍ଭ ହୋଇଥିଲା ଯାତ୍ରା। ତିରୁବନନ୍ତପୁରମ୍‌ରେ ପହଞ୍ଚିବାକୁ ୫୧୬ କିଲୋମିଟର୍‌ ଯାତ୍ରା ଆରମ୍ଭ କରିବାକୁ ସାଇରନ୍‌ ବଜାଇ ଗ୍ୟାସ୍‌ ପେଡାଲ୍‌ରେ ଚାପ ଦେଇଥିଲେ ତାମିମ୍‌।

ସିପିଟିଙ୍କ ସହାୟତାରେ ଆମ୍ବ୍ୟୁଲାନ୍‌ସ୍‌ର ଯାତ୍ରା ବିଷୟ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଯାଇଥିବାରୁ ସେ ଦୃଶ୍ୟ ଦେଖିବାକୁ ଲୋକେ ରାସ୍ତାର ଉଭୟ ପାର୍ଶ୍ୱରେ ଛଡ଼ି ହୋଇ ଯାଇଥିଲେ। ରାଜ୍ୟ ରାଜଧାନୀକୁ ଦ୍ରୁତ ଗତିରେ ଯାଉଥିବା ଆମ୍ବ୍ୟୁଲାନ୍‌ସ୍‌ ଏବଂ ତାହାର ଚାଳକଙ୍କର ଫୋନ୍‌ରେ ଉତ୍ତୋଳିତ ଚିତ୍ର ସମ୍ବଳିତ ଭିଡିଓ ଟୁଇଟର୍‌ରେ ପୂର୍ଣ୍ଣ ହୋଇ ଯାଇଥିଲା।


କେରଳ ପୁଲିସର ଅନ୍ୟୂନ ଦୁଇଟି ଏସ୍‌ୟୁଭି ସେ ଆମ୍ବ୍ୟୁଲାନ୍‌ସ୍‌ ସାଥିରେ ଥିଲେ। ଜିଲ୍ଲା ସୀମାନ୍ତ ସବୁରେ ଏସ୍‌ୟୁଭି ସବୁ ସୁରୁଖୁରୁରେ ଅଦଳ ବଦଳ ହୋଇ ଯିବାରୁ ତାମିମ୍‌ଙ୍କ ଗାଡ଼ିର ବେଗ କମି ନ ଥିଲା।

ରାତି ପ୍ରାୟ ୧୧ଟା ବେଳେ କୋଝିକୋଡ୍‌ ଅନ୍ତର୍ଗତ କାକାଡୁଠାରେ ଇନ୍ଧନ ଭରିବାକୁ ଯାଇଥିଲା ଆମ୍ବ୍ୟୁଲାନ୍‌ସ୍‌। ସମଗ୍ର ଯାତ୍ରା କାଳରେ ସେହି ଗୋଟିଏ ସ୍ଥାନରେ ହିଁ ଅଟକି ଥିଲା ଗାଡ଼ିଟି।

ଶେଷରେ ରାତି ୩. ୨୩ରେ (ଗୁରୁବାର ପାହନ୍ତା) ଆମ୍ବ୍ୟୁଲାନ୍‌ସ୍‌ ତିରିବନନ୍ତପୁରମ୍‌ସ୍ଥିତ ଶ୍ରୀ ଉତ୍ତରଦାମ ତିରୁନ୍ନାଲ ହସ୍‌ପିଟାଲ୍‌ର ଆଶୁ ଚିକିତ୍ସା ନିକଟରେ ଅଟକି ଥିଲା। ସେଠାରେ ଅପେକ୍ଷମାଣ ଡାକ୍ତର ଏବଂ ମେଡିକାଲ୍‌ କର୍ମଚାରୀଗଣ ଶିଶୁଟିକୁ ଭିତରକୁ ନେଇ ଯାଇଥିଲେ।


କଠିନ ଯାତ୍ରା ପରେ ପରେ ସାମ୍ବାଦିକମାନଙ୍କୁ କଥା କହିବାକୁ ଶବ୍ଦ ପାଇ ନ ଥିଲେ ତାମିମ୍‌। ରାଜ୍ୟ ପୁଲିସ ଏବଂ ସିପିଟିଙ୍କୁ ପ୍ରଶଂସା କରି ତାମିମ୍‌ କହିଥିଲେ ଅଧିକାରୀ ଏବଂ ସଙ୍ଗଠନର ସାହାଯ୍ୟ ଓ ସମର୍ଥନ ବିନା ଏ ଯାତ୍ରା ସମ୍ଭବପର ହୋଇ ନ ଥାଆନ୍ତା। ଘଣ୍ଟା ପ୍ରତି ୧୦୦ ରୁ ୧୨୦ କି. ମି. ବେଗରେ ମୁଁ ଗାଡ଼ି ଚଳାଉ ଥିଲି। ଟିମ୍‌ର ସୁସଙ୍ଗଠିତ ଉଦ୍ୟମ ପାଇଁ ଧନ୍ୟବାଦ।

ଯାତ୍ରାର ସମଗ୍ର ଉଦ୍ଦେଶ୍ୟ, ଫାତିମାଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ତିରୁବନନ୍ତପୁରମ ଡାକ୍ତରଖାନାରେ ପହଞ୍ଚାଇବା ପରେ ମଧ୍ୟ ତା’ର ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ଥିଲା।

ସମ୍ବନ୍ଧିତ ଖବର