ଜୀବନ ବଞ୍ଚାଉଥିବା ଗାଡ଼ି ନେଲା ଜୀବନ: ଆମ୍ବୁଲାନ୍ସର ଚକା ଖସିବାରୁ ୪ଜଣଙ୍କ ମୃତ୍ୟୁ, ଦେଖନ୍ତୁ ଛାତିଥରା ଭିଡିଓ

କୁଣ୍ଡାପୁରା(କର୍ଣ୍ଣାଟକ): ଜୀବନ ବଞ୍ଚାଉଥିବା ଗାଡ଼ି ନେଲା ଜୀବନ। ବର୍ଷା ପାଇଁ ଆମ୍ବୁଲାନ୍ସର ଚାଳକ ଭାରସାମ୍ୟ ହରାଇବାରୁ ଗାଡ଼ିଟି ଓଲଟି ପଡ଼ିଥିଲା। ଆମ୍ବୁଲାନ୍ସଟି ଦ୍ରୁତ ଗତିରେ ଥିବାରୁ ଭିତରେ ଥିବା ରୋଗୀ ବି ବାହାରକୁ ଛିଟିକି ପଡ଼ିଥିଲେ। ଏହି ଘଟଣାଟି କର୍ଣ୍ଣାଟକର କୁଣ୍ଡାପୁରା ଟୋଲ ଗେଟରେ ଘଟିଥିବା ବେଳେ ଟୋଲ କର୍ମଚାରୀଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି।

ଘଟଣାଟି ଟୋଲ ଗେଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ବେଳେ ଦୁର୍ଘଟଣାଟି କେତେ ଭୟାବହ ଥିଲା ତାହା ସ୍ପଷ୍ଟ ଜଣାପଡ଼ୁଛି। ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ, ଆମ୍ବୁଲାନ୍ସ ଆସୁଥିବା ଦେଖି ୨ଜଣ ଟୋଲ କର୍ମଚାରୀ ରାସ୍ତାରେ ରଖାଯାଇଥିବା ବ୍ୟାରିକେଡ ହଟାଇବା ପାଇଁ ଯାଉଛନ୍ତି। ୩ଟି ବ୍ୟାରିକେଡ ରଖାଯାଇଥିବା ବେଳେ ଜଣେ ଟୋଲ କର୍ମଚାରୀ ଦୁଇଟି ହଟାଇ ଥିବା ବେଳେ ଆଉ ଜଣେ ୩ନମ୍ବର ବ୍ୟାରିକେଡ ହଟାଇବାକୁ ଯାଉଥିବା ‌ବେଳେ ଦ୍ରୁତ ଗତିରେ ଆସୁଥିବା ଆମ୍ବୁଲାନ୍ସର ଚକା ଖସି ଯାଉଛି। ଏହା ଫଳରେ ଆମ୍ବୁଲାନ୍ସଟି ଓଲଟି ପଡ଼ିବା ସହ ଟୋଲ ଗେଟରେ ଆସି ମାଡ଼ ହେଉଛି। ଟୋଲ ଗେଟରେ ଆମ୍ବୁଲାନ୍ସଟି ମାଡ଼ ହେବା ପରେ ଭିତରେ ଥିବା ରୋଗୀ ଓ ଦୁଇ ଜଣ ନର୍ସ ତଳକୁ ଖସିପଡ଼ିବା ସହ ବ୍ୟାରିକେଡ ହଟାଉଥିବା ଟୋଲ କର୍ମଚାରୀଙ୍କ ଦେହରେ ଆମ୍ବୁଲ‌ାନ୍ସଟି ମାଡ଼ ହେଉଛି।

ଏହି ଘଟଣା ପରେ ରୋଗୀ, ଦୁଇ ଜଣ ନର୍ସ ଓ ଟୋଲ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆମ୍ବୁଲାନ୍ସ ଚାଳକ ଗୁରୁତର ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର