ଆମେରିକାରେ କରୋନା ମୃତ୍ୟୁର ତାଣ୍ଡବ: ୨୪ ଘଣ୍ଟାରେ ୪,୫୦୦ ଲୋକଙ୍କ ମୃତ୍ୟୁ

ବିଶ୍ବବ୍ୟାପୀ ୨୨ ଲକ୍ଷ ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୦ ହଜାର

ନୂଆଦିଲ୍ଲୀ : ବିଶ୍ବବ୍ୟାପୀ ଆଜି ସୁଦ୍ଧା ପ୍ରାୟ ୨୨ ଲକ୍ଷ ଲୋକ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। କରୋନା ବିଶ୍ବ ମହାମାରୀ ‌ଯୋଗୁଁ ସମଗ୍ର ବିଶ୍ବରେ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୭ ହଜାର ୫୧୨ରେ ପହଞ୍ଚିଛି। ଆମେରିକାରେ ଅଣାୟତ୍ତ ସ୍ଥିତି ଉପୁଜିଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ଆମେରିକା‌ରେ ସର୍ବାଧିକ ୪,୫୦୦ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଆମେରିକାରେ ମୃତ୍ୟୁସଂଖ୍ୟା ୩୪,୦୦୦ ଟପିଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୭୮ ହଜାର ୨୧୦ରେ ପହଞ୍ଚିଛି। ଆମେରିକାରେ ଗତ ୨ ଦିନ ଧରି ଲଗାତାର ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଆମେରିକାରେ କରୋନାର କେନ୍ଦ୍ରସ୍ଥଳ ନ୍ୟୁୟର୍କ। କେବଳ ନ୍ୟୁୟର୍କରେ ମୃତ୍ୟୁସଂଖ୍ୟା ୧୨,୦୦୦ ଟପିଛି। ଏଭଳି ସ୍ଥିତିରେ ଲକ୍‌ଡାଉନ୍‌ ପ୍ରତ୍ୟାହାର ପାଇଁ ଟ୍ରମ୍ପ୍‌ ଘୋଷଣା କରିଛନ୍ତି।

ଅନ୍ୟପକ୍ଷେ ସ୍ପେନ୍‌ରେ କ‌ରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୯୪୮ ରହିଥିବାବେଳେ ମୃତ୍ୟୁସଂଖ୍ୟା ୧୯ ହଜାର ଟପିଛି। ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୮ ହଜାର ୯୪୧ରେ ପହଞ୍ଚିଛି। ଫ୍ରାନ୍ସରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ଟପିଥିବାବେଳେ ମୃତ୍ୟୁସଂଖ୍ୟା ୧୭ ହଜାର ୯୨୦ରେ ପହଞ୍ଚିଛି। ସେହିପରି ଜର୍ମାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୮ ହଜାର ୨୨୧ରେ ପହଞ୍ଚିଛି। ତେବେ ଜର୍ମାନୀ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଜର୍ମାନୀରେ କରୋନା ଭାଇରସ୍‌ ନିୟନ୍ତ୍ରଣରେ ରହିଛି। ବ୍ରି‌ଟେନ୍‌ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩ହଜାର ୯୩ ଥିବାବେଳେ ମୃତ୍ୟୁସଂଖ୍ୟା ୧୪ ହଜାର ଟପିଛି। ବ୍ରିଟେନ୍‌ରେ ମୃତ୍ୟୁସଂଖ୍ୟା‌ ବଢ଼ୁଥିବାରୁ ବ୍ରିଟେନ୍‌ ସରକାର ଲକ୍‌ଡାଉନ୍‌କୁ ପୁଣି ୩ ସପ୍ତାହ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ତେବେ ଦକ୍ଷିଣ କୋରିଆ ପାଇଁ ଏବେ ବଡ଼ ଚିନ୍ତାର କାରଣ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଭାଇରସ୍‌। ଦକ୍ଷିଣ କୋରିଆ କରୋନା ନିୟନ୍ତ୍ରଣ ଦିଗରେ ଏକ ଉଦାହରଣ ପାଲଟିଥିଲା। କିନ୍ତୁ ଦକ୍ଷିଣ କୋରିଆରେ ସୁସ୍ଥ ହୋଇଥିବା ରୋଗୀ ପୁଣି ଭାଇରସ୍‌ ଆକ୍ରାନ୍ତ ହେବା ଏବେ ଚିନ୍ତା ବଢ଼ାଇଛି। ଦକ୍ଷିଣ କୋରିଆରେ ସୁସ୍ଥ ହୋଇଥିବା ୭,୮୨୯ ‌‌ରୋଗୀଙ୍କ ମଧ୍ୟରୁ ୧୬୩ ଜଣ ପୁଣି କରୋନା ସଂକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର