ଆମେରିକାରେ ୨୪ଘଣ୍ଟାରେ ୪୮ ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ, ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା ୨ଲକ୍ଷ ଟପିଲା

ସିଙ୍ଗାପୁର ଏସିଆର ହଟ୍‌ସ୍ପଟ୍‌, ଶ୍ରୀଲଙ୍କାରେ ୬୦ ନୌସେନା ସଦସ୍ୟ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବିଶ୍ବବ୍ୟାପୀ କରୋନା ମୃତ୍ୟୁସଂଖ୍ୟା ୨ଲକ୍ଷ ଟପିଛି। ସମଗ୍ର ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟ ୨ ଲକ୍ଷ ୫ ହଜାର ୬୭୬ରେ ପହଞ୍ଚିଛି ଏବଂ ୨୯ ଲକ୍ଷ ୬୨ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଆମେରିକାରେ ମୃତ୍ୟୁସଂଖ୍ୟା ୫୪,୦୦୦ ଟପିଛି। ଆମେରିକାରେ ଶନିବାର ଦିନ ୪୮ ହଜାର ୫୨୯ ନୂଆ ମାମଲା ରିପୋର୍ଟ କରାଯାଇଛି ଏବଂ ୨ହଜାର ୭୭୨ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୧ ହଜାରରେ ପହଞ୍ଚିଛି। ସ୍ପେନ୍‌ରେ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୨୩ ହଜାର ରହିଛି ଏବଂ ଇଟାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୫ ହଜାର ରହିଛି। ତେବେ ସ୍ପେନ୍‌ରେ ମୃତ୍ୟୁସଂଖ୍ୟା କମୁଛି। ସ୍ପେନ୍‌‌ରେ ଗତ ୨୪ ଘଣ୍ଟା‌ ମଧ୍ୟରେ ମୃତ୍ୟୁସଂଖ୍ୟା ୨୮୮ ରହିଛି। ଏହା ଗତ କିଛି ସପ୍ତାହ ମଧ୍ୟରେ ସବୁଠୁ କମ୍‌। ସେହିପରି ରୁଷ୍‌ରେ ୨୪ ଘଣ୍ଟାରେ ୬,୩୬୧ ନୂଆ ମାମଲା ରେକର୍ଡ କରାଯାଇଛି ଏବଂ ଏଠାରେ ଆକ୍ରାନ୍ତ ସଂଖ୍ୟା ୮୦ ହଜାର ଟପିଛି। ରୁଷ୍‌ରେ ମୃତ୍ୟୁସଂଖ୍ୟା ୭୪୭ରେ ପହଞ୍ଚିଛି। ବ୍ରିଟେନ୍‌ରେ ବି ମୃତ୍ୟୁସଂଖ୍ୟା ୨୦ ହଜାର ଟପିଛି। ବ୍ରି‌ଟେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୮ ହଜାର ୩୭୭ ରହିଛି।

ସିଙ୍ଗାପୁର ଏବେ ଏସିଆର ହଟ୍ ହୋଇଯାଇଛି। ରବିବାର ସିଙ୍ଗାପୁରରେ ୯୩୧ ନୂଆ ମାମଲା ସହ ଏଠାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୩ ହଜାର ୬୨୪ ପହଞ୍ଚିଛି। ତେବେ ସିଙ୍ଗାପୁରରେ ବିଦେଶ ଶ୍ରମିକଙ୍କ ଡର୍ମିଟୋରିରୁ ଅଧିକାଂଶ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ମାତ୍ର ୫.୭ ନିୟୁତ ଲୋକ ଥିବା ଏହି ରାଷ୍ଟ୍ରରେ ଏବେ ଏସିଆରେ ସବୁଠୁ ଅଧିକ ସଂକ୍ରମଣ ରହିଛି। ତେବେ ସିଙ୍ଗାପୁରରେ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ହେଉଛନ୍ତି ବିଦେଶୀ ଶ୍ରମିକ। ଏଠାରେ ସଂକ୍ରମଣ ମାତ୍ରା ଅଧିକ ଥିଲେ ମଧ୍ୟ ୧୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୪ ଜଣ ଆଇସିୟୁରେ ରହିଛନ୍ତି। ଶ୍ରୀଲଙ୍କାରେ ୬୦ ଜଣ ନୌସେନା ସଦସ୍ୟ କରୋନା ସଂକ୍ରମିତ ହେବାପରେ ୪,୦୦୦ ଜଣଙ୍କୁ କ୍ବାରାଣ୍ଟିନ୍‌‌ରେ ରଖାଯାଇଛି। ଦେଶର ୱେଲିସାରା ନୌସେନା ଶିବିରରେ ପ୍ରଥମେ ଶୁକ୍ରବାର ୩୦ ଜଣ କ‌ରୋନା ସଂକ୍ରମିତ ହୋଇଥିବାବେଳେ ଶନିବାର ଆଉ ୩୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଏହାଫଳରେ ୪,୦୦୦ ନୌସେନା ସଦସ୍ୟ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ଅନ୍ୟପକ୍ଷେ ଚୀନ୍‌ ଦାବି କରିଛି ଯେ, ଉହାନ୍‌ରେ ସମସ୍ତ ରୋଗୀ ହସ୍ପିଟାଲ୍‌ରୁ ଡିସଚାର୍ଜ ହୋଇଛନ୍ତି।

ସମ୍ବନ୍ଧିତ ଖବର