ୱାସିଂଟନ: ରୁଷିଆ ଘନଘନ କ୍ଷେପଣାସ୍ତ୍ର ମାଡ଼ କରି ୟୁକ୍ରେନ୍ର ଶକ୍ତି ଗ୍ରିଡ୍ଗୁଡ଼ିକୁ ଅଚଳ କରିଦେଇଥିବା ବେଳେ ୟୁକ୍ରେନ୍ବାସୀ ପ୍ରବଳ ଶୀତ ଓ ଅନ୍ଧାରରେ ଶଢ଼ୁଛନ୍ତି। ଏହି ପରିପ୍ରେକ୍ଷୀରେ ରୁଷିଆ ଶୀତକୁ ଅସ୍ତ୍ର ଭାବେ ବ୍ୟବହାର କରୁଛି ବୋଲି ଆମେରିକା ଅଭିଯୋଗ କରିଛି। ଅପରପକ୍ଷେ ରୁଷିଆ ଦାବି କରିଛି ଯେ ୟୁକ୍ରେନ୍କୁ ଦୁର୍ବଳ କରି ଆଲୋଚନା ବୈଠକକୁ ଆସିବା ପାଇଁ ବାଧ୍ୟ କରିବା ଉଦ୍ଦେଶ୍ୟରେ ଏହା କ୍ଷେପଣାସ୍ତ୍ର ମାଡ଼ କରୁଛି।
ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଉଦ୍ବୋଧନ ଦେଇ କହିଛନ୍ତି ଯେ, ରୁଷିଆର କ୍ଷେପଣାସ୍ତ୍ର ଆକ୍ରମଣ ମାନବତା ବିରୋଧରେ ଅପରାଧ। ଯେତେବେଳେ ୟୁକ୍ରେନ୍ରେ ତାପମାତ୍ରା ଶୂନ୍ୟ ଡିଗ୍ରି ସେଲସିୟସରୁ ବି ତଳେ ଅଛି, କୋଟି କୋଟି ଲୋକ ଉତ୍ତାପ, ଆଲୋକ ଓ ପାଣି ଗରମ କରିବା ପାଇଁ ବିଜୁଳି ଟିକେ ପାଉନାହାନ୍ତି, ସେହି ସମୟରେ କ୍ଷେପଣାସ୍ତ୍ର ବର୍ଷା କରିବା ଏବଂ ଅଧିକରୁ ଅଧିକ ବିଜୁଳି ଗ୍ରିଡ୍କୁ ଅଚଳ କରିବା ନିଶ୍ଚିତ ଭାବରେ ମାନବତା ବିରୋଧରେ ଅପରାଧ। କିନ୍ତୁ ରୁଷ୍ ଏହି ଅଭିଯୋଗକୁ ଅସ୍ବୀକାର କରି କହିଛି ଯେ ବିଜୁଳି ଗ୍ରିଡ୍ଗୁଡ଼ିକୁ ରୁଷ୍ ଅଚଳ କରିନାହିଁ। ରୁଷ୍ ସୈନିକଙ୍କ ପ୍ରତି ୟୁକ୍ରେନ୍ ଯେଉଁ କ୍ଷେପଣାସ୍ତ୍ର ଆକ୍ରମଣ କରୁଛି ସେଗୁଡ଼ିକ ମଧ୍ୟରୁ କିଛି ଜନବସତିରେ ଥିବା ଗ୍ରିଡ୍ଗୁଡ଼ିକ ଉପରେ ପଡ଼ି ସେଗୁଡ଼ିକୁ ନଷ୍ଟ କରିଦେଇଛି।
ରୁଷିଆର କ୍ଷେପଣାସ୍ତ୍ର ବୃଷ୍ଟି ଫଳରେ ଆଣବିକ ଶକ୍ତି କେନ୍ଦ୍ର ଏବଂ ବହୁ ଅଞ୍ଚଳରେ ଜଳ ଓ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯାଇଛି। ଏହି ସମୟରେ ଆମେରିକା ଅଭିଯୋଗ କରିଛି ଯେ ୟୁକ୍ରେନ୍ବାସୀଙ୍କ ପୀଡ଼ାକୁ ବହୁଗୁଣିତ କରିବା ପାଇଁ ଶୀତକୁ ଅସ୍ତ୍ର କରୁଛି ରୁଷ୍। ଜାତିସଂଘରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଲିଣ୍ଡା ଟମାସ ଗ୍ରିନଫିଲ୍ଡ କହିଛନ୍ତି, ଆତ୍ମସମର୍ପଣ କରିବା ଲାଗି ବାଧ୍ୟ କରିବା ନିମନ୍ତେ ରୁଷ୍ ୟୁକ୍ରେନ୍କୁ ବରଫାୟିତ କରୁଛି।
ବାସ୍ତବରେ ରୁଷିଆ କିଛି ସପ୍ତାହ ହେଲା ୟୁକ୍ରେନ୍ର ଶକ୍ତି କେନ୍ଦ୍ର ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ଗୁଡ଼ିକ ଦ୍ବାରା ଆକ୍ରମଣ କରି ସେଗୁଡ଼ିକୁ ନଷ୍ଟ କରିବାରେ ଲାଗିଛି। ରୁଷ୍ ଆକ୍ରମଣରେ ଦେଶର ଅର୍ଦ୍ଧାଧିକ ବିଦ୍ୟୁତ୍ ଭିତ୍ତିଭୂମି ନଷ୍ଟ ହୋଇଯାଇଛି ବୋଲି ରାଷ୍ଟ୍ରପତି ଜେଲେନ୍ସ୍କି ଦାବି କରିଛନ୍ତି। ୟୁକ୍ରେନୀୟ ଅଧିକାରୀମାନେ କହିଛନ୍ତି ଯେ ରୁଷ୍ ଭାବୁଛି ଲୋକମାନେ ଶୀତ ଓ ଅନ୍ଧାରରେ ହଇରାଣ ହେଲେ ସେମାନଙ୍କ ଭିତରେ ଯୁଦ୍ଧବିରୋଧରେ ଜନମତ ପ୍ରକାଶ ପାଇବ। ଯୁଦ୍ଧ ବନ୍ଦ କରିବା ପାଇଁ ସେମାନେ ୟୁକ୍ରେନ୍ ସରକାରଙ୍କ ଉପରେ ଚାପ ପକାଇବେ। ବର୍ତ୍ତମାନ ରାଜଧାନୀ କିବ୍, ଉତ୍ତରରେ ଖାରକିଭ ଏବଂ ପଶ୍ଚିମରେ ଲ୍ବିବ୍ର କେତେକ ଅଞ୍ଚଳ ଏବଂ ଚେର୍ଣ୍ଣିହିବ, କିରୋବୋହ୍ରାଡ, ଓଡେସା ଓ ଖ୍ମେଲ୍ନିଟ୍ସ୍କିର ଆଂଶିକ ବା ସମ୍ପୂର୍ଣ୍ଣ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି।