ୱାସିଂଟନ: ମହାକାଶରେ ସମ୍ଭାବ୍ୟ ବିପଦ ଉପରେ ନଜର ରଖିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଅଧୀନରେ ୨୦୧୯ରେ ଗଠିତ ଏକ ନୂତନ ସାମରିକ ଶାଖା ୟୁଏସ୍ ସ୍ପେସ୍ ଫୋର୍ସ (ୟୁଏସ୍‌ଏସ୍‌ଏଫ୍‌) ପୃଥିବୀର କକ୍ଷପଥରେ ଗୋଟିଏ ମାସରେ ହଜାର ହଜାର ୟୁଏଫ୍‌ଓ (ଅଜଣା ଉଡ଼ନ୍ତା ବସ୍ତୁ)କୁ ଠାବ କରିଛି ବୋଲି ଗୁରୁବାର ଗୋପନୀୟ ଦସ୍ତାବିଜକୁ ଉଦାହରଣ ଦେଇ ଏକ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛି।
ଚଳିତ ମାସରେ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ, ଏହି ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି ଯାହାକୁ ସରକାରୀ ଭାବରେ ଏକ ଅଜଣା ଅସ୍ବାଭାବିକ ଘଟଣା (ୟୁଏପି) ବୋଲି କୁହାଯାଏ। ଏହା ମଣିଷ ପାଇଁ କୌଣସି ବିପଦ ସୃଷ୍ଟି କରୁଛି କି ନାହିଁ ତାହା ନିର୍ଣ୍ଣୟ କରିବା କଷ୍ଟକର ହୋଇପଡୁଛି ବୋଲି ରିପୋର୍ଟରେ କୁହାଯାଇଛି। ମହାକାଶ ଅଳିଆ ଭିତରେ ଅନେକ ୟୁଏଫ୍‌ଓ ଲୁଚି ରହିଥିବା ଜଣାପଡ଼ିଛି।