ଆମେରିକା ବାୟୁସେନାର ପ୍ରଥମ ମହିଳା ଯୁଦ୍ଧ ପାଇଲଟ୍‌ଙ୍କ ଗୁରୁତର ଅଭିଯୋଗ

ବରି‌ଷ୍ଠ ଅଧିକାରୀଙ୍କ ଦ୍ବାରା ଦୁଷ୍କର୍ମର ଶିକାର

ୱାସିଂଟନ୍‌: ଆମେରିକା ବାୟୁସେନାର ପ୍ରଥମ ମହିଳା ଯୁଦ୍ଧ ପାଇଲଟ୍‌ ତଥା ସିନେଟର ମାର୍ଥା ମାକ୍‌ସେଲି ଆଜି ଗୁରୁତର ଅଭିଯୋଗ ଆଣିଛନ୍ତି। ବରିଷ୍ଠ ଅଧିକାରୀଙ୍କ ଦ୍ବାରା ସେ ଦୁଷ୍କର୍ମର ଶିକାର ହୋଇଥିବା କହିଛନ୍ତି। ଅଫିସରମାନେ କ୍ଷମତାର ଅପବ୍ୟବହାର କରି ଏଭଳି ଅମାନୁଷିକ କାର୍ଯ୍ୟ କରୁଛନ୍ତି ଏବଂ ସେ ନିଜେ ଏହାର ଶିକାର ହୋଇଛନ୍ତି ବୋଲି ‘ସେନାରେ‌ ଯୌନ ନିର୍ଯାତନା’ ସଂକ୍ରାନ୍ତ ଆଲୋଚନା ସମୟରେ ସେ ସିନେଟ୍‌‌ରେ ଏହା କହିଛନ୍ତି। ତେବେ ଅନ୍ୟମାନଙ୍କ ଭଳି ସେ ଏ ବିଷୟରେ ପାଟି ଖୋଲିନଥିଲେ। ସେନାରେ ଏଭଳି ଘଟୁଥିବା ସେ ପୂର୍ବରୁ ଶୁଣିଥିଲେ ମଧ୍ୟ ବିଶ୍ବାସ କରୁନଥିଲେ। କିନ୍ତୁ ନିଜ ସହ ଏଭଳି ଘଟିବା ପରେ ସେ ସ୍ତବ୍ଧ ହୋଇଯାଇଥିଲେ ଏବଂ ଏଥି ପାଇଁ କେବଳ ନିଜକୁ ଦାୟୀ କରିଥିଲେ। ସାଧାରଣ‌ରେ ଏହି କଥାକୁ ପ୍ରକାଶ କରିଦେଲେ ପରବର୍ତ୍ତୀ ପର୍ଯ୍ୟାୟରେ କିଭଳି ସ୍ଥିତି ଉପୁଜିବ ତାହା ଭାବି ସେ ଚୁପ୍‌ ରହିଥିଲେ ବୋଲି କହିଛନ୍ତି। ନିର୍ଯାତନାର ଶିକାର ହେବାର ୧୮ ବର୍ଷ ପରେ ମାକ‌ସେଲି ବାୟୁସେନା ଛାଡ଼ିଥିଲେ ବୋଲି କହିଛନ୍ତି। ସିନେଟ୍‌ରେ ମାକ୍‌ସେଲିଙ୍କ ଏଭଳି ବୟାନ ଝଡ଼ ସୃଷ୍ଟି କରିଛି। ‌ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ମାକ୍‌ସେଲି ଯେଉଁ ବରିଷ୍ଠ ଅଧିକାରୀଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିଲେ ତାଙ୍କ ପରିଚୟ ସେ ପ୍ରକାଶ କରିନାହାନ୍ତି। ମ‌ାର୍ଥାଙ୍କ ଅଭିଯୋଗ ପରେ ଆମେରିକା ବାୟୁସେନା ମୁଖପାତ୍ର କ୍ୟାପଟେନ୍‌ କ୍ୟାରି ଭୋଲ୍‌ପେ କହିଛନ୍ତି, ଆମେ ମାର୍ଥା ଏବଂ ଯୌନ ନିର୍ଯାତନାର ଶିକାର ହୋଇଥିବା ଅନ୍ୟ ମହିଳାଙ୍କ ସହ ଦୃଢ଼ ଭାବେ ରହିଛୁ । ଅପରପକ୍ଷେ, ଯୌନ ନିର୍ଯାତନା ରୋକିବା ଦିଗ‌ରେ ସେନା ବିଫଳ ହୋଇଛି ବୋଲି ଡେମୋକ୍ରାଟିକ୍‌ ସିନେଟର ଟମି ଡକ୍ଓର୍ଥ୍‌ କହିଛନ୍ତି।

ସମ୍ବନ୍ଧିତ ଖବର