ଆସାମରେ ସୁଧୁରୁଛି ସ୍ଥିତି, ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲା ଆମେରିକା

ଗୌହାଟୀ: ନାଗରିକ ସଂଶୋଧନ ବିଲକୁ ନେଇ ଉତ୍ତର ପୂର୍ବ ଭାରତରେ ଉତ୍ତେଜନା ଜାରି ରହିଛି । ଅବଶ୍ୟ ଆସାମରେ ସ୍ଥିତି ସାମାନ୍ୟ ବଦଳିଥିବା ବେଳେ କର୍ଫ୍ୟୁକୁ କୋହଳ କରାଯାଇଛି । କିନ୍ତୁ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ସେନା ମୁତୟନ କରାଯାଇଛି । ପୂର୍ବରୁ ବିଲକୁ ବିରୋଧ କରି ଦେଖା ଦେଇଥିବା ହିଂସାରେ ପୁଲିସର ଗୁଳିରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ଏବେ ସ୍ଥିତିରେ ବେଶ୍ ସୁଧାର ଆସିଛି । ଆସାମରେ କୌଣସି ସ୍ଥାନରେ ହିଂସାର ଖବର ଆସି ନଥିବା ବେଳେ ଗୌହାଟୀରେ ଗଣ ଆମରଣ ଅନଶନ ଆରମ୍ଭ ହୋଇଛି ।

ଏଥିରେ ହଜାର ହଜାର ଜନତା ସାମିଲ ହୋଇଛନ୍ତି । ହେଲେ ପଶ୍ଚିମବଙ୍ଗରେ ଏହି ବିଦ୍ରୋହର ନିଆଁ ହୁତ ହୁତ ହୋଇ ଜଳୁଛି । ମୁର୍ସିଦାବାଦରେ ଉତ୍ୟକ୍ତ ଲୋକେ ରେଳ ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ ।

ସେହିପରି ମେଘାଳୟରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଛି । ତେଣୁ ୪୮ ଘଣ୍ଟା ପାଇଁ ସେଠାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ପୁଲିସ ସ୍ଥିତି ଉପରେ କଡା ନଜର ରଖିଛି । ସେପଟେ ଭାରତର ଉତ୍ତର ପୂର୍ବାଂଚଳର ଏଭଳି ଅବସ୍ଥାକୁ ଦେଖି ଆମେରିକା ଭାରତ ଗସ୍ତରେ ଆସୁଥିବା ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ଏହା ସହ ଦେଶର ଉତ୍ତର ପୁର୍ବାଞ୍ଚଳକୁ ନଯିବାକୁ କହିଛି ।

ସମ୍ବନ୍ଧିତ ଖବର