ପାକ୍‌ର ପରମାଣୁ ଚୋରା ଚାଲାଣକୁ ଧରିଲା ଆମେରିକା, ୫ ପାକିସ୍ତାନୀଙ୍କୁ ଦୋଷୀ ଦର୍ଶାଇଲା

ୱାସିଂଟନ: ପରମାଣୁ ଅସ୍ତ୍ର ସଂକ୍ରାନ୍ତ ନୂତନ ଜ୍ଞାନକୌଶଳ ଏବଂ ଉପକରଣ ହାସଲ କରିବା ପାଇଁ ପାକିସ୍ତାନ ବ୍ୟାପକ ଚୋରା କାରବାରରେ ଲିପ୍ତ ରହିଛି। ପାକିସ୍ତାନ ପରମାଣୁ ଉପକରଣ ସ୍ମଗ୍‌ଲିଂରେ ଏକ ବଡ଼ ରୢାକେଟ୍‌କୁ ସଂଚାଳନ କରୁଥିବା ଆମେରିକା ଠାବ କରିଛି। ପୂର୍ବରୁ ପାକିସ୍ତାନ ସହାୟତାରେ ଚୋରାରେ ଅନେକ ରାଷ୍ଟ୍ର ପରମାଣୁ ଅସ୍ତ୍ର ହାସଲ କରିବାକୁ ସକ୍ଷମ ହୋଇଥିବାରୁ ପାକିସ୍ତାନର ଏଭଳି କାର୍ଯ୍ୟକଳାପକୁ ଆମେରିକା ଗମ୍ଭୀରତାର ସହ ନେଇଛି। ଆମେରିକାରୁ ନୂଆ ପରମାଣୁ ଜ୍ଞାନକୌଶଳ ଚୋରି କରିବା ପାଇଁ ନିୟୋଜିତ ଥିବା ୫ ଜଣ ପାକିସ୍ତାନୀଙ୍କୁ ଆମେରିକା ଚିହ୍ନଟ କରିବା ସହ ସେମାନଙ୍କ ସଂପର୍କରେ ବଳିଷ୍ଠ ପ୍ରମାଣ ହାସଲ କରିଛି। ଏହି ୫ ପାକିସ୍ତାନୀଙ୍କୁ ଆମେରିକା ଦୋଷୀ ବୋଲି ଦର୍ଶାଇବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସଙ୍କେତ ଦେଇଛି। ରାୱଲପିଣ୍ଡି ସ୍ଥିତ ଏକ କମ୍ପାନି ‘ବିଜ୍‌ନେସ୍‌ ୱାର୍ଲଡ’ ସହିତ ସଂପୃକ୍ତ ୫ ଜଣ ପାକିସ୍ତାନୀ ଆମେରିକାର ପରମାଣୁ ଜ୍ଞାନକୌଶଳକୁ ଚୋରାରେ ହାସଲ କରି ପାକିସ୍ତାନ ପଠାଉଥିଲେ ବୋଲି ଆମେରିକା ଗୁଇନ୍ଦା ବିଭାଗ କହିଛି। ଆମେରିକାର ନ୍ୟାୟ ବିଭାଗର ସୂଚନା ମୁତାବକ ଏହି ୫ ଜଣ ପାକିସ୍ତାନ କାନାଡ଼ା, ହଙ୍ଗ୍‌କଙ୍ଗ୍‌ ଏବଂ ବ୍ରିଟେନ୍‌ରେ ରହୁଛନ୍ତି। ଶକ୍ତି ଏବଂ ଇଂଜିନିରୟିଂ କ୍ଷେତ୍ରରେ ସେମାନେ ଲୋକ ଦେଖାଣିଆ ଭାବେ କାମ କରୁଥିବା ବେଳେ ଅସଲେରେ ସେମାନଙ୍କ ଉଦ୍ଦେଶ୍ୟ ପରମାଣୁ ଉପକରଣ ଏବଂ ଜ୍ଞାନକୌଶଳର ଚୋରାଚାଲାଣ ଥିଲା ବୋଲି ଆମେରିକା ସ୍ପଷ୍ଟ କରିଛି।

ପାକିସ୍ତାନର ପରମାଣୁ ସ୍ମଗ୍‌ଲିଂ ନେଟ୍‌ୱର୍କ ଧରାପଡ଼ିବା ଭାରତ ପାଇଁ ମଧ୍ୟ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ପାକିସ୍ତାନର ସ୍ମଗ୍‌ଲରମାନେ ଆମେରିକାର କଡ଼ା ନିରାପତ୍ତା ବ୍ୟବସ୍ଥାକୁ ଭେଦ କରି ପରମାଣୁ ଉପକରଣ ଏବଂ ଜ୍ଞାନକୌଶଳ ଚୋରାଚାଲାଣ ପାଇଁ ସକ୍ଷମ ହେଉଥିବାରୁ ଭାରତ ଏ କ୍ଷେତ୍ରରେ ନିଜର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଯୋଜନା କରୁଛି। ପାକିସ୍ତାନ ସରକାରଙ୍କ ଉପରେ ବିଭିନ୍ନ ଇସ୍‌ଲାମିକ ଆତଙ୍କବାଦୀ ସଂଗଠନର ପ୍ରଭାବ ଥିବାରୁ ଏହାକୁ ଭାରତ ଗମ୍ଭୀରତାର ସହ ନେଇଛି।

ସମ୍ବନ୍ଧିତ ଖବର