ବ‌ାଗ୍‌ଦାଦ ବିମାନବନ୍ଦରରେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣ, ଇରାନ୍‌ କମାଣ୍ଡର ସୁଲେମାନୀ ନିହତ

ଇରାକ୍‌ ମିଲିସିଆ କମାଣ୍ଡର ଆବୁ ମେହଦି ସମେତ ଆଉ ୭ ମୃତ

ବାଗଦାଦ: ଇରାନର ସବୁଠାରୁ ଶକ୍ତିଶାଳୀ କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀ ଆଜି ବାଗ୍‌ଦାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ନିହତ ହୋଇଛନ୍ତି। ଆମେରିକା ବାୟୁସେନା ସୁଲେମାନୀଙ୍କୁ ଟାର୍ଗେଟ୍‌ କରି ଡ୍ରୋନ୍‌ରୁ ୩ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ ସୁଲେମାନୀଙ୍କ ସମେତ ଆଉ ୮ ଜଣ ନିହତ ହୋଇଥିବା ଜଣାପଡ଼ିଛି। ନିହତଙ୍କ ମଧ୍ୟରେ ଇରାକ୍‌ର ଉଗ୍ରବାଦୀ ସଂଗଠନ କତାଇବ୍‌ ହିଜ୍‌ବୁଲ୍ଲାର କମାଣ୍ଡର ଅବୁ ମେହଦି ଏବଂ ଇରାନ୍‌ ସେନାର ୩ ଜଣ ବରିଷ୍ଠ ଅଧିକାରୀ ମଧ୍ୟ ପ୍ରାଣ ହରାଇଥିବା ଇରାକ୍‌ ସରକାର ସ୍ପଷ୍ଟ କରିଛନ୍ତି। ଏଭଳି ଅପ୍ରତ୍ୟାଶିତ ଆକ୍ରମଣ ସମଗ୍ର ମଧ୍ୟପ୍ରାଚ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ସମଗ୍ର ବିଶ୍ବରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆ‌ୟାତୋଲ୍ଲା ଖାମିନୀଙ୍କ ପରେ ଇରାନର ଦ୍ବିତୀୟ ଶକ୍ତିଶାଳୀ ନେତା ଭାବେ ପରିଚିତ ଜେନେରାଲ ସୁଲେମାନୀ ହେଉଛନ୍ତି ଇରାନ ରିଭୋଲ୍ୟୁସନାରି ଗାର୍ଡର ପ୍ରମୁଖ ବିନ୍ଧାଣି ଏବଂ ସବୁଠୁ ଶକ୍ତିଶାଳୀ କୁଦ୍‌ସ ସେନାର ମୁଖ୍ୟ। ମଧ୍ୟପ୍ରାଚ୍ୟରେ ଇରାନର ସବୁତକ ସାମରିକ କାର୍ଯ୍ୟାନୁଷ୍ଠାନର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ସୁଲେମାନୀ ତାଙ୍କର ଆମେରିକା ବିରୋଧୀ ଆଭିମୁଖ୍ୟ ପାଇଁ ପରିଚିତ ଥିଲେ। ତେଣୁ ତାଙ୍କୁ ହତ୍ୟା କରିବା ପାଇଁ ଆମେରିକା ବହୁଦିନରୁ ଚେଷ୍ଟା ଚଳାଇଥିଲା। ଶୁକ୍ରବାର ସକାଳେ ଜେନେରାଲ ସୁଲେମାନୀ ଏବଂ ଅନ୍ୟ ଅଧିକାରୀମାନେ ୨ଟି କାର୍‌ରେ ବାଗଦାଦ ବିମାନବନ୍ଦରକୁ ଯାଉଥିବା ବେଳେ ବିମାନବନ୍ଦର ସଂଲଗ୍ନ ରାସ୍ତାରେ ସେମାନଙ୍କ ଉପରେ ଡ୍ରୋନ୍‌ରୁ ଲଗାତାର ୩ଟି କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା।

ମଧ୍ୟପ୍ରାଚ୍ୟରେ ଆଲୋଡ଼ନ; ବିଶ୍ବବ୍ୟାପୀ ତୀବ୍ର ପ୍ରତିକ୍ରିୟା
ରୁଷିଆ ଓ ଚୀନ୍‌ର ନିନ୍ଦା; ବ୍ରିଟେନ, ଜର୍ମାନୀ, ଇସ୍ରାଏଲର ସମର୍ଥନ
ଆମେରିକା ଭୟଙ୍କର ପରିଣାମ ଭୋଗିବ: ଇରାନ

ଏଥିରେ ଦୁଇଟି ଯାକ କାର୍ ଜଳି ଯାଇ ଧ୍ବଂସ ହୋଇ ଯାଇଥିବାବେଳେ ସେଥିରେ ଥିବା ସୁଲେମାନୀଙ୍କ ସମେତ ୮ ଜଣ ପ୍ରାଣ ହରାଇଥିଲେ। ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି- ‘ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶରେ ବିଦେଶରେ ରହୁଥିବା ଆମେରିକୀୟ ସେନାର ସୁରକ୍ଷା ପାଇଁ କ୍ବାସିମ ସୁଲେମାନୀଙ୍କୁ ନିପାତ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା ଏବଂ ଏହା ସଫଳ ହୋଇଛି।’ ଆମେରିକା ସୁଲେମାନୀଙ୍କୁ ପୂର୍ବରୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିସାରିଥିଲା। ଇରାକ୍‌ ଓ ମଧ୍ୟପ୍ରାଚ୍ୟର ଅନ୍ୟ ଅଂଚଳରେ ଆମେରିକାର ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ପାଇଁ ସୁଲେମାନୀ ଲଗାତାର ଷଡ଼ଯନ୍ତ୍ର କରୁଥିଲେ ଏବଂ ଏଥିରେ ପ୍ରତ୍ୟକ୍ଷ ଭାବେ ସାମିଲ ରହୁଥିବାରୁ ଆମେରିକା ସେନା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି ଆମେରିକା ପ୍ରତିରକ୍ଷା ବିଭାଗ କହିଛି। ଆମେରିକା ପ୍ରତିରକ୍ଷା ବିଭାଗ ଏହି ଘୋଷଣା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପ୍‌ କେବଳ ଆମେରିକାର ରାଷ୍ଟ୍ରୀୟ ପତାକାର ଫଟୋ ଟ୍ବିଟ୍‌ କରିଥିଲେ। ତେବେ ସେ ଗୋଟିଏ ଶବ୍ଦ ମଧ୍ୟ ଲେଖିନଥିଲେ। ତେବେ ପରବର୍ତ୍ତୀ ସମୟରେ ଟ୍ରମ୍ପ୍ ତାଙ୍କ ପ୍ରତିକ୍ରିୟା ରଖି ସୁଲେମାନୀକୁ ବହୁ ପୂର୍ବରୁ ନିପାତ କରିବାର ଥିଲା ବୋଲି କହିଛନ୍ତି। ଇରାନ୍‌ର ସବୁଠାରୁ ଶକ୍ତିଶାଳୀ କୁହାଯାଉଥିବା କୁଦ୍‌ସ ବାହିନୀର ମୁଖ୍ୟଙ୍କୁ ଆମେରିକା ଏଭଳି ନିପାତ କରିବା ପରେ ଇରାନ ଓ ଆମେରିକା ମଧ୍ୟରେ ସଂପର୍କକୁ ଅଧିକ ତିକ୍ତ କରିବା ସହ ମଧ୍ୟପ୍ରାଚ୍ୟରେ ଉତ୍ତେଜନାକୁ ବଢ଼ାଇ ଦେଇଛି। ଇରାନ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହାର ଭୟଙ୍କର ପରିଣାମ ଆମେରିକାକୁ ଭୋଗିବାକୁ ହେବ ବୋଲି ଧମକ ଦେଇଛି। ଇରାନ୍‌ ସରକାରଙ୍କର ସମସ୍ତ ସୁରକ୍ଷା ସଂସ୍ଥାର ମୁଖ୍ୟମାନଙ୍କ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ପରବର୍ତ୍ତୀ ରଣନୀତି ସଂପର୍କରେ ଆଲୋଚନା ହୋଇଛି। ଇରାନ୍‌ର ବିଦେଶ ମନ୍ତ୍ରୀ ଜୱାଦ ଜରିଫ୍‌ ଆମେରିକାର ଏଭଳି ଆକ୍ରମଣ ‘ଅନ୍ତର୍ଜାତୀୟ ଆତଙ୍କବାଦ’ ବୋଲି କହିଛନ୍ତି। ତୁରନ୍ତ ଏହାର ପରିଣାମ ଭୋଗିବା ପାଇଁ ଆମେରିକାକୁ ତୟାର ରହିବାକୁ ହେବ ବୋଲି ସେ କହିଛନ୍ତି। ସୁଲେମାନୀଙ୍କ ମୃତ୍ୟୁରେ ମ୍ରିୟମାଣ ଇରାନର ସର୍ବୋଚ୍ଚ ଧାର୍ମିକ ନେତା ଆୟାତୋଲ୍ଲା ଆଲି ଖାମିନୀ ୩ ଦିନ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ଘୋଷଣା କରିବା ସହ ଆମେରିକାକୁ କଡ଼ା ଚେତାବନୀ ଦେଇଛନ୍ତି। ‌େସ କହିଛନ୍ତି, ଏହି ହତ୍ୟା ପଛରେ ଥିବା ଅପରାଧୀମାନେ ଭୟଙ୍କର ପ୍ରତିଶୋଧ ପାଇଁ ଅପେକ୍ଷା କରନ୍ତୁ। ଆମେରିକା ମଧ୍ୟ ଆଜି ଇରାନ୍‌କୁ ଚେତାବନୀ ଦେଇ କହିଛି ଯେ ଭବିଷ୍ୟତରେ ଇରାନର ଆକ୍ରମଣ ଯୋଜନାକୁ ପଣ୍ଡ କରିବା ପାଇଁ ଆମେରିକା ସବୁ ପଦକ୍ଷେପ ଗ୍ରହଣ କରିବ। ଆମେରିକା ନିଜର ସେନା ଓ ନାଗରିକଙ୍କ ସୁରକ୍ଷା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରଖିବ ବୋଲି ଚେତାବନୀ ଦେଇଛି।

ଅନ୍ୟପକ୍ଷରେ ଆମେରିକାର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ବିଶ୍ବର ପ୍ରମୁଖ ଦେଶମାନେ ଦୁଇ ଭାଗ ହୋଇ ଯାଇଛନ୍ତି। ରୁଷିଆ ଓ ଚୀନ ଭଳି ଦେଶମାନେ ଏହାକୁ ନିନ୍ଦା କରିଥିବାବେଳେ ବ୍ରିଟେନ, ଜର୍ମାନୀ ଓ ଇସ୍ରାଏଲ ଭଳି ଦେଶମାନେ ଆମେରିକାକୁ ସମର୍ଥନ ଜଣାଇଛନ୍ତି। ଆମେରିକାର ଦୃଢ଼ ସମର୍ଥକ ଭାବେ ପରିଚିତ ଇସ୍ରାଏଲ ରାଷ୍ଟ୍ରପତି ନେତାନ୍ୟାହୁ ଦେଶର ସେନାକୁ ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଭାରତ ମାପିଚୁପି ପ୍ରତିକ୍ରିୟା ରଖିଛି। ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ ଉଭୟ ଇରାନ ଓ ଆମେରିକାକୁ ସଂଯମ ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର