ଆମେରିକାର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଆଲୋଡ଼ନ, ନାଗରିକଙ୍କୁ ସତର୍କ କରାଇଲା ଆମେରିକା

ବହୁ ଆଗରୁ ମାରିବା ଆବଶ୍ୟକ ଥିଲା, ଟ୍ରମ୍ପ୍‌

ୱାସିଂଟନ: ଇରାନ୍‌ ରିଭେଲ୍ୟୁସନାରୀ ଗାର୍ଡ‌୍ସର ସବୁଠାରୁ ଶକ୍ତିଶାଳୀ କୁଦ୍‌ସ ବାହିନୀର ମୁଖ୍ୟ କମାଣ୍ଡର ଜେନେରାଲ କ୍ବାସିମ୍‌ ସୁଲେମାନୀଙ୍କୁ ଇରାକ୍‌ରେ ଏକ ଅପରେସନରେ ଆମେରିକା ଆଜି ସକାଳେ ନିପାତ କରିବା ପରେ ସମଗ୍ର ମଧ୍ୟପ୍ରାଚ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଇରାନ୍‌ ମଧ୍ୟପ୍ରାଚ୍ୟରେ ତା’ର ବନ୍ଧୁ ରାଷ୍ଟ୍ରମାନଙ୍କୁ ନେଇ ଆମେରିକା ବିରୋଧରେ ଏକପ୍ରକାର ଯୁଦ୍ଧ ଘୋଷଣା କରିଛି। ଏଭଳି ସ୍ଥିତିକୁ ଦେଖି ଆମେରିକା ନିଜ ନାଗରିକମାନଙ୍କ ପାଇଁ ସତର୍କ ସୂଚନା ଜାରି କରିବା ସହ ତତ୍କାଳ ଇରାକ୍‌ ଛାଡ଼ିବା ପାଇଁ କହିଛି। ସୁଲେମାନୀଙ୍କୁ ଆମେରିକା ବାୟୁସେନା କ୍ଷେପଣାସ୍ତ୍ର ଆକ୍ରମଣ କରି ନିପାତ କରିଥିବାରୁ ଏହାର ଭୟଙ୍କର ପ୍ରତିଶୋଧ ନିଆଯିବ ବୋଲି ଇରାନ୍‌ ଘୋଷଣା କରିଛି। ଇରାକ୍‌ରେ ଥିବା ଆମେରିକୀୟମାନେ ତୁରନ୍ତ ଦେଶ ଛାଡ଼ି ପଳାଇ ଆସିବାକୁ ଆମେରିକା କହିଛି। ଇରାକ୍‌‌ରେ ଥିବା ସମସ୍ତ ଆମେରିକୀୟ ଦୂତାବାସ ପ୍ରତିଷ୍ଠାନକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରି ଦିଆଯାଇଛି। ଆମେରିକୀୟ ନାଗରିକମାନେ ଦୂତାବାସର ସହାୟତା ବିନା ସ୍ବଦେଶ ଫେରିବାକୁ କୁହାଯାଇଛି।

ଇରାନ୍‌ର ଧମକ ପରେ ଉତ୍ତେଜନା ବଢ଼ିଲା
ଇରାନ୍‌ ରାଷ୍ଟ୍ରପତି ହସନ ରୁହାନି କହିଛନ୍ତି ଯେ ତାଙ୍କ ଦେଶ କମାଣ୍ଡର କ୍ବାସିମ୍‌ ସୁଲେମାନୀଙ୍କ ହତ୍ୟାର ଭୟଙ୍କର ପ୍ରତିଶୋଧ ନେବ। ଆମେରିକା ଅପରାଧୀଙ୍କ ଭଳି ଆକ୍ରମଣ କରିଛି ଏବଂ ଏହି ଜଘନ୍ୟ ଅପରାଧ ପାଇଁ ଆମେରିକାକୁ ଉଚିତ ଶାସ୍ତି ମିଳିବ ବୋଲି ସେ କହିଛନ୍ତି। ଏହା ସହିତ ଇରାନ୍‌ ସରକାର ସୁଲେମାନୀଙ୍କ ମୃତ୍ୟୁରେ ତିନି ଦିନ ଶୋକ ପାଳନ ପାଇଁ ଘୋଷଣା କରିଛନ୍ତି। ଇରାନ୍‌ର ଧମକ ପରେ ଇରାନ୍‌-ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିଛି ଏବଂ ଇରାନ୍‌ର ଯେ କୌଣସି ଆକ୍ରମଣ ଯୋଜନାକୁ ପଣ୍ଡ କରିବ ବୋଲି ଆମେରିକା ଘୋଷଣା କରିଛି। ଇରାନ୍‌ର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଖେମିନି ଆମେରିକାକୁ ଚେତାବନୀ ଦେଇ କହିଛନ୍ତି, ଆମେ ବଡ଼ ପ୍ରତିଶୋଧ ନେବୁ ଏବଂ ଆମେରିକା ତା’ର କୁକର୍ମ ପାଇଁ ସବୁଦିନ ପସ୍ତାଇବ। ସମଗ୍ର ମଧ୍ୟପ୍ରାଚ୍ୟରେ ଏବେ ଅସ୍ଥିରତା ବଢ଼ିଯାଇଥିବାରୁ ବିଶ୍ବ ତୈଳ ବଜାରରେ ମଧ୍ୟ ସମସ୍ୟା ଆରମ୍ଭ ହୋଇଯାଇଛି। ସିରିୟା, ଲେବାନାନ, ଇରାକ୍‌ ଏବଂ ୟେମେନରେ ଇରାନ୍‌ ବିଗତ କିଛି ମାସ ମଧ୍ୟରେ ତା’ର ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇଥିବା ରୁ ଏସବୁ ରାଷ୍ଟ୍ରରେ ଆମେରିକା ବିରୋଧୀ ଶକ୍ତିମାନଙ୍କୁ ଏବେ ଇରାନ୍‌ ଏକଜୁଟ୍‌ କରିବାକୁ ପ୍ରୟାସ ଆରମ୍ଭ କରିଦେଇଛି।

ବହୁ ଆଗରୁ ମାରିବା ଆବଶ୍ୟକ ଥିଲା
ବିଶ୍ବବ୍ୟାପୀ ଆମେରିକୀୟ ସେନା ଏବଂ ନାଗରିକଙ୍କ ପାଇଁ ଏକ ବଡ଼ ବିପଦ ପାଲଟି ଯାଇଥିଲେ ଇରାନ୍‌ର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନି। ଆମେରିକୀୟଙ୍କୁ ହତ୍ୟା କରିବାକୁ ଅହରହ ଷଡ଼ଯନ୍ତ୍ର କରୁଥିବାରୁ ତାଙ୍କୁ ନିପାତ କରାଗଲା ବୋଲି ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ କହିଛନ୍ତି। ଇରାନ୍‌ରେ ଅନେକ ନିରୀହ ଲୋକଙ୍କ ହତ୍ୟା ପାଇଁ ସୁଲେମାନୀ ଦାୟୀ ଥିଲେ ଏବଂ ଆମେରୀୟ ସେନା ବିରୋଧରେ ଆକ୍ରମଣ ପାଇଁ ବିଭିନ୍ନ ରାଷ୍ଟ୍ରରେ ଆମେରିକା ବିରୋଧୀ ଶକ୍ତିମାନଙ୍କ ସହ ହାତ ମିଳାଇ ଯୋଜନା କରୁଥିଲେ ବୋଲି ଟ୍ରମ୍ପ୍‌ କହିଛନ୍ତି। ସୁଲେମାନୀଙ୍କୁ ବହୁ ପୂର୍ବରୁ ନିପାତ କରାଯିବା ଆବଶ୍ୟକ ଥିଲା ବୋଲି ମଧ୍ୟ ସେ ଟ୍ବିଟ୍‌ କରି କହିଛନ୍ତି।

ସମ୍ବନ୍ଧିତ ଖବର