ଇରାନ୍‌ ଉପରେ ଆକ୍ରମଣ ପାଇଁ ଟ୍ରମ୍ପ୍‌ଙ୍କ ମଞ୍ଜୁରି

ବଡ଼ ଯୁଦ୍ଧ ଆଶଙ୍କାରେ ଆଦେଶ ପ୍ରତ୍ୟାହାର, ଭାରତର ସତର୍କ ନଜର

ନୂଆଦିଲ୍ଲୀ: ଆମେରିକାର ଗୁଇନ୍ଦା ଡ୍ରୋନ୍‌କୁ ଇରାନ୍‌ ଗୁଳି କରି ଖସାଇବା ପରେ ଏହାକୁ କେନ୍ଦ୍ର କରି ଦୁଇ ଦେଶ ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି। ୧୩ କୋଟି ଡଲାର ମୂଲ୍ୟର ଏହି ମାନବରହିତ ଗୁଇନ୍ଦା ଡ୍ରୋନ୍‌କୁ ଇରାନ୍‌ ନଷ୍ଟ କରିବା ପରେ ଏହାର ଭଗ୍ନାବ‌ଶେଷ ଗଣମାଧ୍ୟମକୁ ଦେଖାଇଛି। ଏହି ଘଟଣା ପରେ ଇରାନ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଆଜି ମଂଜୁରି ଦେଇଥିଲେ। କିନ୍ତୁ କିଛି ମିନିଟ୍‌ ମଧ୍ୟରେ ଆକ୍ରମଣ ପୂର୍ବରୁ ସେ ତାଙ୍କ ନିଷ୍ପତ୍ତି ବଦଳାଇ ଦେଇଥିଲେ। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ମୁତାବକ ଇରାନ୍‌ର ରାଡାର ବ୍ୟବସ୍ଥା ଏବଂ କ୍ଷେପଣାସ୍ତ୍ର ବ୍ୟବସ୍ଥା ଉପରେ ଆକ୍ରମଣ ପାଇଁ ଟ୍ରମ୍ଫ ମଂଜୁରି ଦେଇଥିଲେ। ଆଜି ଭୋର୍‌ ସମୟରେ ଏହି ଆକ୍ରମଣ କରାଯାଇଥାନ୍ତା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା, କିନ୍ତୁ ଅଚାନକ ଟ୍ରମ୍ପ୍‌ ତାଙ୍କ ନିଷ୍ପତ୍ତି ବଦଳାଇ ଆକ୍ରମଣକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଟ୍ରମ୍ପ୍‌ଙ୍କ ପ୍ରଥମ ନିର୍ଦ୍ଦେଶ ପରେ ପରେ ଆକ୍ରମଣ ପାଇଁ ଆମେରିକାର ଅନେକ ଯୁଦ୍ଧ ବିମାନ ବାହାରିଯାଇଥିଲା ଏବଂ ବିଭିନ୍ନ ଟାର୍ଗେଟ୍‌କୁ ଧ୍ବଂସ କରିବା ପାଇଁ କ୍ଷେପଣାସ୍ତ୍ର ମଧ୍ୟ ତୟାର ରହିଥିଲା। ତେବେ ଏହା କୌଣସି ବଡ଼ ଯୁଦ୍ଧ ଆଡ଼କୁ ଉଭୟ ଦେଶକୁ ଟାଣିନେବା ଆଶଙ୍କା କରି ଟ୍ରମ୍ପ୍‌ ନିଷ୍ପତ୍ତି ବଦଳାଇଥିଲେ। ଅନ୍ୟପକ୍ଷରେ ଆମେରିକାର ଯେ କୌଣସି କ୍ଷେପଣାସ୍ତ୍ର ଏବଂ ଯୁଦ୍ଧ ଜାହାଜର ମୁକାବିଲା କରିବା ପାଇଁ ଇରାନ୍‌ ତୟାର ରହିଛି ବୋଲି ଇରାନ୍‌ ସେନାର ବରିଷ୍ଠ କମାଣ୍ଡରମାନେ କହିଛନ୍ତି। ଇରାନ୍‌ ବାୟୁସୀମାରେ ପ୍ରବେଶ ପୂର୍ବରୁ ଆମେରିକାର କ୍ଷେପଣାସ୍ତ୍ର ଏବଂ ବିମାନକୁ ନଷ୍ଟ କରିବାକୁ ଆମେ ସକ୍ଷମ ବୋଲି ଇରାନ୍‌ ସେନା କହିଛି। ଇରାନ୍‌ ଏବଂ ଆମେରିକା ମଧ୍ୟରେ ଲାଗି ରହିଥିବା ଏହି ଉତ୍ତେଜନା ଉପରେ ଭାରତର ସତର୍କ ନଜର ରହିଛି। ଭାରତୀୟ ନୌସେନା ଓମାନ ଉପସାଗରରେ ଦୁଇଟି ଯୁଦ୍ଧ ପୋତ ମୁତୟନ କରିଛି। ଭାରତୀୟ ଜାହାଜଗୁଡ଼ିକୁ ସୁରକ୍ଷା ଦେବାପାଇଁ ଏହି ଯୁଦ୍ଧ ପୋତ ମୁତୟନ କରାଯାଇଥିବା ନୌସେନା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର