ଆମେରିକା ରଦ୍ଦ କଲା ପ୍ରଦତ୍ତ ସମ୍ମାନ

ରୋହିଙ୍ଗ୍ୟା ପ୍ରସଙ୍ଗରେ ସ୍ୟୁ କି’ଙ୍କ ଉଦାସୀନତା

କଲମ୍ବିଆ: ମିଆଁମାର୍‌ରେ ନିର୍ଯାତିତ ରୋହିଙ୍ଗ୍ୟା ମୁସ୍‌ଲିମ୍‌ମାନଙ୍କ ଥଇଥାନ ଦିଗରେ ରାଷ୍ଟ୍ରନେତ୍ରୀ ଅଙ୍ଗ ସ୍ୟୁ କି’ଙ୍କ ଅହେତୁକ ନିରବତା ଅନ୍ୟ ବିଶ୍ୱ ନେତାଙ୍କୁ ଚକିତ କରିଛି। ସେଠାରେ ରୋହିଙ୍ଗ୍ୟାମାନଙ୍କ ଉପରେ ନିର୍ମମ ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବାରେ ବିଫଳ ସ୍ୟୁ କି’ଙ୍କୁ ଏଥିପାଇଁ ଭୀଷଣ ଭାବରେ ସମାଲୋଚିତ ହେବାକୁ ପଡ଼ିଛି। ଏପରିକି ଏଥିରେ ମର୍ମାହତ ହୋଇ ଆମେରିକାର ହୋଲୋକଷ୍ଟ ମେମୋରିଆଲ୍‌ ମ୍ୟୁଜିଅମ୍‌ ପକ୍ଷରୁ ଅତୀତରେ ପ୍ରଦତ୍ତ ସମ୍ମାନଜନକ ମାନବିକ ଅଧିକାର ସମ୍ମାନକୁ ଉକ୍ତ ଅନୁଷ୍ଠାନ ରଦ୍ଦ କରିଦେଇଥିବା ଘୋଷଣା କରିଛି।

ସୂଚନା ଥାଉ କି, ନିଜ ଦେଶରେ ସାମରିକ ଏକଛତ୍ରବାଦ ଶାସନ ବିରୋଧରେ ନିରନ୍ତର ସ୍ୱର ଉଠାଇଥିବା ମିଆଁମାର୍‌(ପୂର୍ବତନ ବର୍ମା)ର ଅନନ୍ୟ ନେତ୍ରୀ ଅଙ୍ଗ ସ୍ୟୁ କି’ଙ୍କୁ ୧୯୯୧ ମସିହାର ସମ୍ମାନଜନକ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା। ସେହିପରି ଏକଛତ୍ରବାଦ ରୋକିବା ସହ ବର୍ମାବାସୀଙ୍କ ଆତ୍ମମର୍ଯ୍ୟାଦା ଓ ସ୍ୱାଧୀନତା ବଜାୟ ରଖିବା ଦିଗରେ ତାଙ୍କର ସାହସିକ ନେତୃତ୍ୱ ଏବଂ ଉତ୍ସର୍ଗୀକୃତ ସେବା ପାଇଁ ଆମେରିକାର ହଲୋକଷ୍ଟ ମ୍ୟୁଜିଅମ୍‌ ପକ୍ଷରୁ ଛଅ ବର୍ଷ ତଳେ ସ୍ୟୁ କି’ଙ୍କୁ ସମ୍ମାନଜନକ ‘ଏଲି ଓ୍ଵିଜେଲ୍‌’ ସମ୍ମାନ ପ୍ରଦାନ କରାଯାଇଥିଲା। ତେବେ ୨୦୧୬ ଓ ୨୦୧୭ରେ ମିଆଁମାର୍‌ ସେନା ପକ୍ଷରୁ ରୋହିଙ୍ଗ୍ୟା ମୁସ୍‌ଲିମ୍‌ମାନଙ୍କୁ ବିତାଡ଼ିତ କରିବା ପାଇଁ ହୋଇଥିବା ଗଣହତ୍ୟା ପରି ନୃଶଂସ କାର୍ଯ୍ୟାନୁଷ୍ଠାନ ବିରୋଧରେ ସ୍ୟୁ କି’ ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି। ସ୍ଥାନୀୟ ବୌଦ୍ଧ ସମ୍ପ୍ରଦାୟ ଏବଂ ସେନାବାହିନୀର ହତ୍ୟା, ଗଣଧର୍ଷଣ ଏବଂ ଘରଦ୍ୱାର ଜଳାପୋଡ଼ାରେ ଅତିଷ୍ଠ ହୋଇ ପାଖାପାଖି ୭ ଲକ୍ଷ ରୋହିଙ୍ଗ୍ୟା ଦେଶ ଛାଡ଼ିଥିବା ପ୍ରମାଣ ମିଳିଛି। ଏପରିକି ସ୍ୟୁ କି’ଙ୍କ ରାଜନୈତିକ ଦଳ ନ୍ୟାସନାଲ୍‌ ଲିଗ୍‌ ଫର୍‌ ଡେମୋକ୍ରାସି(ଏନ୍‌ଏଲ୍‌ଡି) ଦେଶରେ ଚାଲିଥିବା ରୋହିଙ୍ଗ୍ୟା ବିରୋଧୀ ଅଭିଯାନର ଯାଞ୍ଚ କରିବା ଲାଗି ଯାଇଥିବା ଜାତିସଂଘ ପ୍ରତିନିଧିମାନଙ୍କୁ ସହଯୋଗ କରିନାହାନ୍ତି। ସେହିପରି ରୋହିଙ୍ଗ୍ୟାମାନଙ୍କୁ ଏପରି ଗଣହତ୍ୟା ଏବଂ ସେମାନଙ୍କର ଶରଣାର୍ଥୀ ସାଜି ବାଂଳାଦେଶକୁ ପଳାୟନ ସମ୍ପର୍କରେ ଖବର ସଂଗ୍ରହ ପାଇଁ ଉଦ୍ୟମ କରୁଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଏନ୍‌ଏଲ୍‌ଡି ପ୍ରତିରୋଧ କରିଛି। ତେଣୁ ଏଭଳି ସ୍ଥିତିରେ ସ୍ୟୁ କି’ଙ୍କ ନିରବତା ବା ଉଦାସୀନତା ଆଦୌ ଗ୍ରହଣୀୟ ନୁହେଁ ବୋଲି ହଲୋକଷ୍ଟ ମ୍ୟୁଜିଅମ୍‌ ପକ୍ଷରୁ କୁହାଯାଇଛି। ଏଥି ସହିତ ଉକ୍ତ ଅନୁଷ୍ଠାନ ଅତୀତରେ ପ୍ରଦାନ କରିଥିବା ‘ଏଲି ଓ୍ଵିଜେଲ୍‌’ ସମ୍ମାନକୁ ରଦ୍ଦ କରୁଛି ବୋଲି ଘୋଷଣା କରି ସ୍ୟୁ କି’ଙ୍କ ପାଖକୁ ଚିଠି ଲେଖି ଜଣାଇଦେଇଛି।

ସମ୍ବନ୍ଧିତ ଖବର