ନୂଆଦିଲ୍ଲୀ: ବିଶ୍ବରେ କରୋନା ସଂକ୍ରମଣ ଯୋଗୁଁ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ଆମେରିକାରେ ଗତକାଲି ପୁଣି ୬୦ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ଆମେରିକାରେ ୬୦ ହଜାର ୬୪୬ ନୂଆ ମାମଲା ରିପୋର୍ଟ କରାଯାଇଛି। ଏହା ସବୁ ରେକର୍ଡକୁ ଭାଙ୍ଗି ଦେଇଛି। ଆମେରିକାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ଲକ୍ଷ ୨୪ ହଜାର ଟପିଯାଇଛି ଏବଂ ୧ ଲକ୍ଷ ୩୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ପୂର୍ବରୁ ଗତ ୭ ତାରିଖରେ ଆମେରିକା ୬୦ ହଜାର ୨୧ ଟି ନୂଆ ମାମଲା ରେକର୍ଡ କରିଥିଲା। ଆମେରିକାର ଫ୍ଲୋରିଡାରେ ସଂକ୍ରମଣ ବଢ଼ିଚାଲିଛି। ଏହା ଏବେ ଆମେରିକାରେ କରୋନା ଭାଇରସ୍ର କେନ୍ଦ୍ରସ୍ଥଳ ପାଲଟିଛି।
ଫ୍ଲୋରିଡାର ମିଆମି ପ୍ରଦେଶରେ ପରିସ୍ଥିତି ସାଂଘାତିକ ହେବାରେ ଲାଗିଛି। ଏଠାରେ କରୋନା ପଜିଟିଭ୍ ହାର ୩୩ ପ୍ରତିଶତରୁ ଅଧିକ ଅଛି। ଏହି ପ୍ରଦେଶକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ଗସ୍ତ କରିଥିବା ଜଣାପଡ଼ିଛି। ତେବେ ସଂକ୍ରମଣ ବଢ଼ି ଚାଲିଥିବାରୁ ରାଷ୍ଟ୍ରପତି ଟ୍ରମ୍ପ୍ ମାସ୍କ ପିନ୍ଧିବାକୁ ରାଜି ହୋଇଛନ୍ତି। ଆଗାମୀ ଶନିବାର ଦିନ ସେ ଏକ ସାମରିକ ହସ୍ପିଟାଲ୍ ଗସ୍ତରେ ଯିବା ସମୟରେ ମାସ୍କ ପିନ୍ଧିବେ। ପୂର୍ବରୁ ମାସ୍କ ପିନ୍ଧିବାକୁ ମନା କରିଥିବା ଟ୍ରମ୍ପ୍ ଶେଷରେ କରୋନାର ଭୟଙ୍କର ରୂପ ଦେଖିବାପରେ ମାସ୍କ ପିନ୍ଧିବାକୁ ରାଜି ହୋଇଛନ୍ତି। ଆମେରିକାରେ ଜେଲ୍ଗୁଡ଼ିକରେ ମୃତ୍ୟୁସଂଖ୍ୟା ବଢ଼ିଛି। ଆମେରିକା ଜେଲ୍ମାନଙ୍କରେ ୧୦୦ରୁ ଅଧିକ କଏଦୀଙ୍କ କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆମେରିକା ପରେ ବ୍ରାଜିଲ୍ରେ ସଂକ୍ରମଣ ମାମଲା ୧୭ ଲକ୍ଷ ୬୨ ହଜାର ଟପିଛି ଏବଂ କରୋନା ମୃତ୍ୟୁସଂଖ୍ୟା ୬୯ ହଜାର ଟପିଯାଇଛି। ରୁଷ୍ରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୧୩ ହଜାର ଟପିଛି।