ନୂଆଦିଲ୍ଲୀ: ଏବେ ବି ଜାରି ରହିଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି । କିଏ ଜିତିବ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନା ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ୍ , ତା ଉପରେ ରହିଛି ସାରା ବିଶ୍ୱର ନଜର । ଏସବୁ ଭିତରେ ଶେଷ ହୋଇଥିବା ଗଣତି ଅନୁସାରେ ଢ଼େର ଆଗୁଆ ଅଛନ୍ତି ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ । ବାଇଡେନଙ୍କୁ ୨୬୪ ଇଲେକ୍ଟୋରାଲ୍ ଭୋଟ୍ ମିଳିଛି । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପ ୨୧୪ ଇଲେକ୍ଟୋରାଲ୍ ଭୋଟ୍ ପାଇଛନ୍ତି । ଅର୍ଥାତ ବହୁମତ ଛୁଇଁବା ପାଇଁ ବାଇଡେନଙ୍କୁ ମାତ୍ର ୬ଟି ଆସନ ଆବଶ୍ୟକ ହେଉଥିବାବେଳେ ଟ୍ରମ୍ପ ବହୁ ଦୂରରେ ରହିଛନ୍ତି ।
ଅନ୍ୟ ପକ୍ଷରେ ମିଚିଗାନ, ଜର୍ଜିଆରେ ଭୋଟ ଗଣତି ସ୍ଥଗିତ ରଖିବାକୁ ଟ୍ରମ୍ପ କରିଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି କୋର୍ଟ । ଫଳରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଏକ ବଡ ଝଟକା ଲାଗିଛି । ସେପଟେ ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ଭୋଟଗଣତି ସରିବାକୁ ଆହୁରି ୧୦ ଦିନ ଲାଗିପାରେ । ସେପଟେ ନିର୍ବାଚନ ପରିଣାମକୁ ନେଇ ଆମେରିକାର ଅନେକ ସହରରେ ବିକ୍ଷୋଭ ଓ ପ୍ରତିବାଦ ଦେଖିବାକୁ ମିଳିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଗଣତି ବନ୍ଦ କରିବାକୁ ଦାବି କରି ପ୍ରତିବାଦ କରିଥିବାବେଳେ ତାଙ୍କ ବିରୋଧରେ ବହୁ ସଂଖ୍ୟାରେ ଗୋଷ୍ଠୀ ବାହାରେ ବିକ୍ଷୋଭ କରିଛନ୍ତି ।
/sambad/media/post_attachments/328347bce52ab845d9997297a5051d1615e22320cf9c0e4fca8f596456f5f14e.jpeg)
ଆମେରିକାରେ ରାଷ୍ଟ୍ରପତି ଚୟନ ହେବା ପାଇଁ ଅତିକମରେ ଆବଶ୍ୟକ ୨୭୦ ଇଲେକ୍ଟୋରାଲ ଭୋଟ ଆବଶ୍ୟକ । ପ୍ରାୟ ୧୦ କୋଟି ଭୋଟ୍ ପୋଷ୍ଟାଲ ବାଲଟ ଓ ଇ ବାଲଟରେ ଆସିଥିବାରୁ ଏହାର ଗଣତି ପ୍ରକ୍ରିୟାରେ ବିଳମ୍ୱ ହୋଇଛି । ତେଣୁ କିଏ ରାଷ୍ଟ୍ରପତି ହେବ ସେ ନେଇ ସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବାଇଡେନ୍ ଆଗୁଆ ଅଛନ୍ତି ।