ଆମେରିକା ଉଡ଼ାଇଲା ବୋମାବର୍ଷୀ ବିମାନ

କୋରିଆ ଉପଦ୍ୱୀପରେ ଉଡ଼ିଲା ବି-୧ବି ବୋମାବର୍ଷୀ ବିମାନ

ଆମେରିକା- ଦକ୍ଷିଣ କୋରିଆର ମିଳିତ ସମରାଭ୍ୟାସ

ସିଓଲ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ ଗାଟିଏ ପରେ ଗୋଟିଏ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରି ଆମେରିକାକୁ ଚ୍ୟାଲେଂଜ କରୁଥିବା ବେଳେ ଆଜି ଆମେରିକା ତା’ର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନଗୁଡ଼ିକୁ କୋରିଆ ଉପଦ୍ୱୀପ ଆକାଶରେ ଉଡ଼ାଇଛି। ଏଥିରେ ବି-୧ବି ବୋମାବର୍ଷୀ ବିମାନ ମଧ୍ୟ ସାମିଲ ହୋଇଛି । ଆମେରିକା ଓ ଦକ୍ଷିଣ କୋରିଆର ବିଶାଳ ମିଳିତ ବାୟୁସେନା ସମରାଭ୍ୟାସରେ ଏହି ଉଡ଼ାଣ ହୋଇଥିବା ବେଳେ ଉତ୍ତର କୋରିଆ ଏହାର ତୀବ୍ର ପ୍ରତିବାଦ କରିଛି ଏବଂ ଏଥିଯୋଗୁଁ ଯେ କୌଣସି ମୁହୂର୍ତ୍ତରେ ପରମାଣୁ ଯୁଦ୍ଧ ସମ୍ଭାବନା ରହିଥିବା କହିଛି। ଉତ୍ତର କୋରିଆକୁ ଉଚିତ ଶିକ୍ଷା ଦେବାପାଇଁ ଆମେରିକା ତୟାର ରହିଛି ବୋଲି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ ଘୋଷଣା କରିବା ସହ କିମ୍‌ ଜଙ୍ଗ ଉନ୍‌ ତାଙ୍କର ଯୁଦ୍ଧଖୋର ମନୋବୃତ୍ତି ନ ଛାଡ଼ିଲେ ଭୟଙ୍କର ପରିସ୍ଥିତି ଉପୁଜିବ ବୋଲି ଚେତାଇ ଦେଇଛନ୍ତି। ଫଳରେ ଏକ ଅବଶ୍ୟମ୍ଭାବୀ ଯୁଦ୍ଧ ଆଶଙ୍କାରେ ବିଶ୍ୱ ସମୁଦାୟ ଆତଙ୍କିତ ହୋଇପଡ଼ିଛନ୍ତି। ଗୋଟିଏ ପଟେ ଆମେରିକା ଓ ଉତ୍ତର କୋରିଆ ପରସ୍ପରକୁ ଦୋଷାରୋପ କରି ଚାଲିଥିବା ବେଳେ ଅନ୍ୟପଟେ ଦକ୍ଷିଣ କୋରିଆ ଏବଂ ଜାପାନ ପ୍ରତି ବିପଦ ବଢ଼ି ଚାଲିଛି । ଆମେରିକା ତା’ର ବୋମାବର୍ଷୀ ବିମାନଗୁଡ଼ିକୁ ଉତ୍ତର କୋରିଆ ଆକାଶରେ ଉଡ଼ାଇବା ପରେ ଉତ୍ତର କୋରିଆ ଏବେ ସର୍ବାଧିକ ଆଲର୍ଟରେ ରହିଛି ।

ଆମେରିକା ବାୟୁସେନାର ବୋମାବର୍ଷୀ ବିମାନଗୁଡ଼ିକୁ ଆଣବିକ ଅସ୍ତ୍ର ସଂଯୋଗ କରି ରଖାଯାଇଛି। ଉତ୍ତର କୋରିଆର ଆଣବିକ ଅସ୍ତ୍ର ହାସଲ କରିବାର ଦକ୍ଷତା ବୃଦ୍ଧି ଚୀନ୍‌ ପାଇଁ ମଧ୍ୟ ସଙ୍କଟ ସୃଷ୍ଟି କରିଛି। ଆମେରିକା ଏବେ କୋରିଆ ଉପଦ୍ୱୀପରେ ତା’ର ଶକ୍ତି ପ୍ରଦର୍ଶନ ଚଳାଇଥିବାରୁ ଆଜି ଚୀନ୍‌ ଏଥିରେ ଉଦ୍‌ବେଗ ପ୍ରକାଶ କରିଛି। କୌଣସି ପକ୍ଷ ଉତ୍ତେଜନା ବଢ଼ାଇବା ଉଚିତ ନୁହେଁ ବୋଲି ଚୀନ୍‌ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି। ଆମେରିକା ସହ ଯୁଦ୍ଧପାଇଁ ଉତ୍ତର କୋରିଆର ରଣନୀତିକୁ କିମ୍‌ ଜଙ୍ଗ୍‌ ଶେଷ ସ୍ପର୍ଶ ଦେଉଥିବାରୁ ଜାପାନ ଓ ଦକ୍ଷିଣ କୋରିଆ ନିଜ କ୍ଷେପଣାସ୍ତ୍ର ବ୍ୟବସ୍ଥାଗୁଡ଼ିକୁ ସଜାଗ ରଖିଛନ୍ତି।

ଉତ୍ତର କୋରିଆ ଏବେ ଚୀନ୍‌ର କୌଣସି ପରାମର୍ଶ କିମ୍ବା ତାଗିଦ୍‌କୁ ଗ୍ରହଣ କରୁନାହିଁ। ଉତ୍ତର କୋରିଆ ରାଜଧାନୀ ପୋଙ୍ଗୟାଙ୍ଗ ସ୍ଥିତ ରକେଟ କେନ୍ଦ୍ରରୁ ଇତିମଧ୍ୟରେ କ୍ଷେପଣାସ୍ତ୍ର ସ୍ଥାନାନ୍ତର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି।। ଶକ୍ତିଶାଳୀ ଆଇସିବିଏମ୍‌ କ୍ଷେପଣାସ୍ତ୍ରଗୁଡ଼ିକୁ ଅତ୍ୟନ୍ତ ଗୁପ୍ତ ଭାବେ ରଣନୀତିକ ଦୃଷ୍ଟିରୁ ସୁବିଧାଜନକ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏହା ଆମେରିକା ବିରୋଧରେ ଯୁଦ୍ଧର ସଙ୍କେତ ବୋଲି ସ୍ପଷ୍ଟ ହୋଇଯାଇଛି । ଦକ୍ଷିଣ କୋରିଆ ଏବଂ ଆମେରିକାର ଗୁଇନ୍ଦା ସଂସ୍ଥା ଉତ୍ତର କୋରିଆର ଯୁଦ୍ଧ ପ୍ରସ୍ତୁତି ସଂପର୍କରେ ରିପୋର୍ଟ ଦେବାପରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍‌ ମଧ୍ୟ ତାଙ୍କ ଆଭିମୁଖ୍ୟ କଠୋର କରିଛନ୍ତି।

ସମ୍ବନ୍ଧିତ ଖବର